ନଷ୍ଟ ପ୍ରେମିକ
ରିତାଞ୍ଜଳି ମହାରଣା
ଯଦି ବ୍ୟାକୁଳ ତୁମେ ଉଡିବାକୁ
ତେବେ ଅଣନିଶ୍ୱାସୀ ହେବା ଆଗରୁ
ଉଡିଯାଅ, ଖୋଲିଦେଲି
ପ୍ରେମ ପଞ୍ଜୁରି ଦ୍ୱାର
ଯେଉଁଠି ପୋଷା ମନେଇବାର ପ୍ରଚେଷ୍ଟାରେ
ହାରିଯାଏ ବାରମ୍ବାର।
ହୁଏତ ମୁଁ ଜିଇ ଯାଇପାରେ ନିଃସଙ୍ଗ ମୁଦ୍ରାରେ
ପ୍ରତାରିତ ମୁହୂର୍ତ୍ତମାନଙ୍କୁ ଦେହରେ ନାଇ
ତୁମେ କିନ୍ତୁ ଉଡିଯାଅ
ଛଳନାର ପର ଝାଡ଼ି
ପୁଣି ଏକ ମହୋତ୍ସବ ପାଇଁ।
ଥାଇପାରେ ରଙ୍ଗୀନ ଉଦ୍ୟାନ ତୁମ ଅପେକ୍ଷାରେ
କିଛି ଝାପ୍ସା ସ୍ୱପ୍ନ ପରି
ତୁମ ମନରୁ ହଜିଯିବି, ଆଜି ନହେଲେ କାଲି
ନିଃସନ୍ଦେହରେ
କିନ୍ତୁ ମୁଁ ଅସମର୍ଥ କହିବାକୁ
ପତଙ୍ଗ କାହିଁକି ସେହି ଅନଳକୁ ଝୁରେ
ହଁ ମୃତ୍ୟୁ ଭୟରେ
ମୁଁ ପଳାତକ ସୈନିକ ନୁହେଁ
ତୁମ ଅବର୍ତ୍ତମାନର କଞ୍ଚା ଘାରେ ରକ୍ତାକ୍ତ ହୋଇ
ତାତ୍ସଲ୍ୟରେ ମରୁଥିବା ନିରବ ପ୍ରେମିକାଟିଏ
ଯାହାର ଚାରିଆଡେ ସେହି ଅନ୍ଧାର, ସେଇ ରାତି
ଯେଉଁଠି ତୁମକୁ ପେନ୍ସିଲର ଅନାବଶ୍ୟକ
ଗାର ଭାବି ଲିଭେଇଦେବା
ଆଦୌ ସହଜ ନୁହେଁ।
ତୁମ ଅଲୋଡ଼ାପଣରେ ମନରେ ଗାଢହୁଏ
ଶହେ ପାଞ୍ଚ ତାତି।
ଏବେ ତୁମେ ନିଜକୁ ସନ୍ନ୍ୟାସୀ କହି
ନିର୍ବାଣ ପଥେ ଯାଇପାର
କିନ୍ତୁ ମୁଁ ଜାଣେ ତୁମ ପରିଚୟ
ପ୍ରେମର ମୁଖା ତଳେ
ପ୍ରତାରଣାର ପ୍ରତିମୂର୍ତ୍ତି ଗଢୁଥିବା
ତୁମେ ଜଣେ ନିଖୁଣ ଚିତ୍ରକର।
…………………………
ଶିକ୍ଷୟିତ୍ରୀ, ଭଦ୍ରକ
Comments are closed.