Latest Odisha News

କବିତା : ମନେଇବା ଦୀପାବଳି

ତରୁଣ କୁମାର ମିଶ୍ର

ଶନିବାର ଆଜି ସ୍କୁଲ ଛୁଟିଥିଲା
ନାତି ବସିଥିଲା ପାଶେ ,
କହେ ଜେଜେନନା ଦିଓ୍ବାଲୀ ପାଳିବା
ବାଣ ନଫୁଟାଇ ମୋଟେ ।

ଦୀପ ବସାଇବା ଲିଚୁ ଲଗାଇବା
ଜାଳିବା ମହମବତୀ ,
ବାଣ ଫୁଟାଇଲେ ଶବଦରେ କାନ
ପରଦା ଯିବରେ ଫାଟି ।

ବାରୁଦ ଧୂଆଁରେ ନିଃଶ୍ବାସ ନେବାକୁ
ଜୀବଜନ୍ତୁ ଛଟପଟ ,
ବୃକ୍ଷଶୂନ୍ଯ ଆମ ପରିବେଶ ଏବେ
ଅମ୍ଳଜାନର ସଙ୍କଟ ।

ହୃଦୟ ରୋଗୀଙ୍କୁ ବାଣର ଶବଦ
ପକାଇବ ବିପଦରେ ,
ଦରଫୁଟା ବାଣ ବିପଦ କାରଣ
ଦୂରେଇ ରହିବା ତା’ରେ ।

ଏବେ ନିଉଜରେ ଦେଖାଏ ଦିଲ୍ଲୀରେ
ପ୍ରଦୂଷଣର ସଙ୍କଟ ,
ଜୀବଜନ୍ତୁସାଥେ ରୋଗୀ ଛୋଟଶିଶୁ
ହେଉଛନ୍ତି ଛଟପଟ ।

ଅଙ୍ଗାରକାମ୍ଳର ମାତ୍ରା ବଢ଼ିଯାଏ
ବୃକ୍ଷଶୂନ୍ଯ ଧରା ପାଇଁ ,
ବୃକ୍ଷ ନିଏ ଅଙ୍ଗାରକାମ୍ଳ ତା’ ପାଇଁ
ଅମ୍ଳଜାନ ଛାଡ଼ିଦେଇ ।

ବାୟୁ ପ୍ରଦୂଷଣ ଶବ୍ଦ ପ୍ରଦୂଷଣ
ସହିତ ଯାତନା କେତେ ,
ଦୃଷ୍ଟିଶକ୍ତି ହ୍ରାସ ଜଳାପୋଡ଼ା କଷ୍ଟ
ଏମିତି କହିବା କେତେ ।

ବାଣର ଦହନ ପ୍ରକ୍ରିୟା ଯେ ଜାଣ
ଅଟଇ ପ୍ରଖର ଅତି ,
ଅସାବଧାନରେ ଶରୀରକୁ ପୋଡ଼ି
ବିପଦ ଆଣଇ ଡାକି ।

ତାହାଛଡ଼ା ନିଆଁ ଯେଉଁଠି ପଡ଼ିବ
ଦହନ କରିବ ତାକୁ ,
ତେଣୁ ସାବଧାନେ ପାଳିବା ଦିଓ୍ବାଲୀ
ଲଗାଇ ଲାଇଟି ଲିଚୁ ।

କଥାଟା ମୋହର ମନକୁ ପାଇଲା
କହିଲି ନାତିଆ ତୁହି ,
ପରିବେଶ ପାଇଁ ସୁନ୍ଦର ଶିକ୍ଷଣ
କଥାଟେ କହିଲୁ ରହି ।

ଖଣ୍ଡଗିରି ,ଭୁବନେଶ୍ବର ।

Comments are closed.