Latest Odisha News

BREAKING NEWS

ଶିଶୁ ମହୋତ୍ସବ ‘ସୁରଭି’: ‘ଆକାଂକ୍ଷୀ ପାଭିଲିୟନ୍‌‌’ରେ ପ୍ରଦର୍ଶିତ ହେବ ବିଦ୍ୟାଳୟ ରୂପାନ୍ତରଣ ଚିତ୍ର

ଭୁବନେଶ୍ବର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଶିଶୁ ଦିବସ ଅବସରରେ ଅନୁଷ୍ଠିତ ହୋଇଛି ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’। ରାଜଧାନୀ ଭୁବନେଶ୍ବର ୟୁନିଟ୍-୯ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଆରମ୍ଭ ହୋଇଛି ୩ ଦନିଆ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସୁରଭି । ସୁରଭିରେ ଦେଖିବାକୁ ମିଳିଛି ଫାଇଭ-ଟି ବିଦ୍ୟାଳୟ ରୂପାନ୍ତରଣର ଗାଥା। ‘ଆକାଂକ୍ଷୀ ପାଭିଲିୟନ୍‌‌’ରେ ପ୍ରଦର୍ଶିତ ହୋଇଛି ବିଦ୍ୟାଳୟ ରୂପାନ୍ତରଣ ଚିତ୍ର। ଏହାକୁ ଉଦଘାଟନ କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି।

ଏଠାରେ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅଭିଭାବକମାନେ ଫାଇଭ-ଟି ବିଦ୍ୟାଳୟ ରୂପାନ୍ତରଣ ଅଧୀନରେ ଗ୍ରହଣ କରାଯାଇଥିବା ଅଭିନବ ପଦକ୍ଷେପଗୁଡ଼ିକୁ ଦେଖିବାକୁ ପାଇଛନ୍ତି। ଉଦ୍‌ଘାଟନୀ ଉତ୍ସବରେ ଭୁବନେଶ୍ଵର ମେୟର ସୁଲୋଚନା ଦାସ, ବିଧାୟକ ଅନନ୍ତ ନାରାୟଣ ଜେନା, ସୁଶାନ୍ତ କୁମାର ରାଉତ ଅତିଥି ଭାବେ ଯୋଗ ଦେଇଥିଲେ। ମୌଳିକ ସ୍ୱାକ୍ଷରତା ଓ ସଂଖ୍ୟାଗାନ କାର୍ଯ୍ୟକ୍ରମକୁ ସୁରଭିରେ ସାମିଲ କରାଯାଇଛି। କାର୍ଯ୍ୟକ୍ରମରେ ୩୨ ଷ୍ଟଲ, ୩ଟି କର୍ମଶାଳା, ୨ ହଜାର ଛାତ୍ରଛାତ୍ରୀ ଓ ୧୨ ଶହ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଛନ୍ତି।

ଚଳିତବର୍ଷ ପ୍ରଥମଥର ପାଇଁ ଉଚ୍ଚତର ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ୨୪୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି। ଦ୍ୱିତୀୟ ଦିନରେ ଛାତ୍ରଛାତ୍ରୀମାନେ ବିଭିନ୍ନ କୀର୍ତ୍ତିରାଜି ଓ ଶିକ୍ଷଣୀୟ ସ୍ଥାନ ପରିଦର୍ଶନ କରିବେ। ଅପରାହ୍‌ଣରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ‘ଛାୟା ମିଳିତ ଜାତିସଂଘ’ ପରିବେଷଣ କରାଯିବ। ଏଥିରେ ମୁଖ୍ୟ ଅତିଥି ଭାବେ ବାଚସ୍ପତି ପ୍ରମିଳା ମଲ୍ଲିକ ଓ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସୁଦାମ ମାର୍ଣ୍ଡି ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ। ଏଥିରେ ବିଭାଗୀୟ ମନ୍ତ୍ରୀ ଶ୍ରୀ ମାର୍ଣ୍ଡିଙ୍କ ସହ ବୈଦ୍ୟୁତିକ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ତୁଷାରକାନ୍ତି ବେହେରା, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶିକ୍ଷା ପରାମର୍ଶଦାତା ତଥା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା ଉପେନ୍ଦ୍ର ତ୍ରିପାଠୀ ଯୋଗଦେବେ। ଉଦ୍‌‌ଯାପନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ପ୍ରେରଣାଦାୟୀ ବାର୍ତ୍ତା ଦେବାର କାର୍ଯ୍ୟକ୍ରମ ରହିଛି।

Comments are closed.