Latest Odisha News

ଏନଆଇଟି ରାଉରକେଲାରେ ୬ଟି ମେଗା ପ୍ରକଳ୍ପର ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ରାଉରକେଲା: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି (ଗୁରୁବାର) ଏନଆଇଟି ରାଉରକେଲା ଠାରେ ୬ଟି ମେଗା ପ୍ରକଳ୍ପର ଶିଳାନ୍ୟାସ ଓ ଭୂମିପୂଜନ କରିଛନ୍ତି । ପ୍ରାୟ ୨୫୦ କୋଟି ଟଙ୍କା ବ୍ୟୟରେ ଏହି ମେଗା ପ୍ରକଳ୍ପ ନିର୍ମାଣ କରାଯିବ । ଏହାସହିତ ଏନଆଇଟି କ୍ୟାମ୍ପସରେ କେନ୍ଦ୍ରୀୟ ବିଦ୍ୟାଳୟର ଶୁଭାରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।

ଛାତ୍ରଛାତ୍ରୀ ଓ ଅଧ୍ୟାପକଙ୍କ ସୁବିଧା ପାଇଁ ଶିଳାନ୍ୟାସ କରାଯାଇଥିବା ଏହି ପ୍ରକଳ୍ପ ଗୁଡିକ ହେଲା ୭୭.୫୩ କୋଟି ବ୍ୟୟରେ ୧ ହଜାର ସିଟ୍ ସଂଖ୍ୟା ବିଶିଷ୍ଟ ଛାତ୍ରାବାସ, ୩୮.୮୭ କୋଟି ବ୍ୟୟରେ ୫୦୦ ସିଟ୍ ବିଶିଷ୍ଟ ଛାତ୍ରୀନିବାସ, ୧୩.୨୧ କୋଟି ବ୍ୟୟରେ ୧.୫ ଏମଏଲଡି ସ୍ୱରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ ଓ ୩୬.୨୦ କୋଟି ବ୍ୟୟରେ ଅଧ୍ୟାପକ ନିବାସ ନିର୍ମାଣ ହେବ ।

ସେହିପରି ଏମସିଏଲ ଦ୍ୱାରା ୪୨.୬୯ କୋଟି ବ୍ୟୟରେ ୫୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀନିବାସ ଓ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗର ଛାତ୍ରୀଙ୍କ ପାଇଁ ୫୦୦ ସିଟ୍ ବିଶିଷ୍ଟ ହଷ୍ଟେଲ ନିର୍ମାଣ ହେବ ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ୨୦୩୬ ରେ ଓଡିଶା ଭାଷାଭିତ୍ତିକ ରାଜ୍ୟ ଭାବରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ଓ ୨୦୪୭ ରେ ଦେଶ ସ୍ୱତନ୍ତ୍ରତା ପୂର୍ତ୍ତିର ୧୦୦ ବର୍ଷ ପୂରଣ କରିବ । ଏହି ୧୩ ବର୍ଷ ଓ ୨୫ ବର୍ଷ ସମୟ ମଧ୍ୟରେ ୧୦୦ କୋଟି ଟଙ୍କା ରୋଜଗାର କରାଇବା ଭଳି ୧୦୦ ଜଣ ଓଡ଼ିଆ ପିଲାଙ୍କୁ ତିଆରି କରିବାକୁ ହେବ । ଏହି ଲକ୍ଷ୍ୟକୁ ସାକାର କରିବାକୁ ହେଲେ ଏନଆଇଟି ରାଉରକେଲା ଭଳି ଶିକ୍ଷାନୁଷ୍ଠାନକୁ ନେତୃତ୍ୱ ନେବାକୁ ପଡିବ ବୋଲି ମନ୍ତ୍ରୀ କହିଛନ୍ତି ।

ନିକଟରେ ସଫଳ ହୋଇଥିବା ଚନ୍ଦ୍ରାୟାନ ମିଶନରେ ସାମିଲ ଥିବା ଅଧିକରୁ ଅଧିକ ବୈଜ୍ଞାନିକ କେଭିରୁ ହିଁ ପାଠ ପଢିଛନ୍ତି । ତେଣୁ ଆଜି ଶୁଭାରମ୍ଭ ହୋଇଥିବା କେନ୍ଦ୍ରୀୟ ବିଦ୍ୟାଳୟରୁ ଭବିଷ୍ୟତର ନୂଆ ନୂଆ ନେତୃତ୍ୱ ନେଉଥିବା ପିଲା ବାହାରିବେ ବୋଲି ଆଶାବ୍ୟକ୍ତ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଏହାସହ କେନ୍ଦ୍ରମନ୍ତ୍ରୀ ଆହୁରୀ କହିଛନ୍ତି ଯେ, ରାଉରକେଲା ଆମ ଦେଶର ଗୌରବ । ଆମ ରାଜ୍ୟର ବୌଦ୍ଧିକ ପରିପ୍ରକାଶର ପରିଚୟ ପତ୍ର । ଦେଶ ବିଦେଶର ୮ ହଜାର ଛାତ୍ରଛାତ୍ରୀ ଏହି ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରୁଛନ୍ତି । ଓଡ଼ିଶାର ୩ ହଜାରରୁ ଅଧିକ ଛାତ୍ରଛାତ୍ରୀ ଏଠାରେ ପାଠ ପଢୁଛନ୍ତି ।

ଏନଆଇଟି ରାଉରକେଲାର ଛାତ୍ରଛାତ୍ରୀମାନେ ଦେଶ ବିଦେଶରେ ସଫଳ ନାଗରିକ ଭାବେ ଦାୟିତ୍ୱ ନେଇଛନ୍ତି । ଆଜି ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ, ପିଏସୟୁ ଓ ଅନ୍ୟାନ୍ୟ ବ୍ୟବସ୍ଥାରୁ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଗୌରବମୟ ଉପଲବ୍ଧି । ଆଜିର ସୁବିଧା ଦ୍ୱାରା ଅଧିକ ଅଢେଇ ହଜାର ଛାତ୍ରଛାତ୍ରୀମାନେ ଲାଭ ପାଇବେ । ଏହାବ୍ୟତିତ ରାଉରକେଲାରେ ପୂର୍ବରୁ ୨ଟି କେଭି ଥିଲା ବେଳେ ଆଜି ଏନଆଇଟି ରାଉରକେଲା ପରିସରରେ ତୃତୀୟ କେଭି ହେବା ଖୁସିର ବିଷୟ ବୋଲି ମନ୍ତ୍ରୀ କହିଛନ୍ତି ।

Comments are closed.