Latest Odisha News

ଗାଜା ପଟ୍ଟିରେ ଇସ୍ରାଏଲର ଭୟଙ୍କର ଗୁଳିମାଡ; ୨୪ ଘଣ୍ଟାରେ ୨୦୦ ମୃତ

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ଗାଜା ମଧ୍ୟରେ ଦୁଇ ମାସ ଧରି ଜାରି ରହିଥିବା ଯୁଦ୍ଧର ଅବସାନ ଏଯାଏ ଘଟିନି । ଅକ୍ଟୋବର ୭ ତାରିଖରେ ଆରମ୍ଭ ହୋଇଥିବା ଏହି ଯୁଦ୍ଧରେ ଇସ୍ରାଏଲ ଗାଜା ପଟ୍ଟିକୁ ଟାର୍ଗେଟ କରିଛି । ରଏଟର୍ସ ରିପୋର୍ଟ ଅନୁସାରେ, ଶୁକ୍ରବାର ରାତିରେ ଗାଜା ପଟ୍ଟିରେ ଖାନ ୟୁନିସ ଉପରେ ଇସ୍ରାଏଲି ଟ୍ୟାଙ୍କ ପ୍ରବଳ ଗୁଳିମାଡ କରିଛି । ଏହି ଗୁଳିମାଡରେ ୨୪ ଘଣ୍ଟା ମଧ୍ୟରେ ୨୦୦ ଲୋକଙ୍କ ଜୀବନ ଯାଇଥିବା ସୂଚନା ମିଳିଛି । ସ୍ଥାନୀୟ ଲୋକଙ୍କଠାରୁ ଏହି ସୂଚନା ମିଳିଛି ।

ଇସ୍ରାଏଲି ସେନା ମୁଖ୍ୟ ଦକ୍ଷିଣ ସହର ଆଡକୁ ବଢିବା ପାଇଁ ପ୍ରୟାସ କରୁଛି । ସେଥିପାଇଁ ଖାନ ୟୁନିସ  ଉପରେ ଆକ୍ରମଣ କରିଛି । ଇସ୍ରାଏଲ ରକ୍ଷା ମନ୍ତ୍ରୀ ୟୋବ ଗେଲେଟ କହିଛନ୍ତି, ସେନା ହମାସର କମାଣ୍ଡ ସେଣ୍ଟର ଏବଂ ଅସ୍ତ୍ରଶସ୍ତ୍ର ଡିପୋ ପର୍ଯ୍ୟନ୍ତ ପହଞ୍ଚି ଗଲେଣି । ଆମେ କିଛି ଇଲାକାକୁ ଡିସେମ୍ବର ସୁଦ୍ଧା କବ୍ଜା କରି ନେଇଛୁ । ଗାଜା ସହରର ହମାସ ନେତାଙ୍କ ଘରକୁ ସଂଯୁକ୍ତ କରୁଥିବା ଏକ ସୁଡଙ୍ଗ ପରିସରକୁ ନଷ୍ଟ କରି ଦିଆଯାଇଛି ।

ସୂଚନା ଥାଉ କି, ଇସ୍ରାଏଲ ଆକ୍ରମଣ ପରେ ଗାଜାର ୨.୩ ମିଲିୟନ ଲୋକରୁ ଅଧିକାଂଶ ନିଜ ଘର ଛାଡି ପଳାଇ ଗଲେଣି । କିଛି ଲୋକ ଘର ଛାଡି ଟେଣ୍ଡରେ ଆଶ୍ରୟ ନେଇଛନ୍ତି । କିଛି ଲୋକ ଜରି ପାଲ ତଳେ ଖୋଲି ପଡିଆରେ ଜୀବନ ବିତାଉଛନ୍ତି । ଅନ୍ୟପକ୍ଷେ ଗାଜା ସ୍ୱାସ୍ଥ୍ୟ ଅଧିକାରୀ ସୂଚନା ଦେଇ କହିଛନ୍ତି ଗତ ୨୪ ଘଣ୍ଟା ମଧ୍ୟରେ ଇସ୍ରାଏଲି ଆକ୍ରମଣରେ ୧୮୭ ପାଲେଷ୍ଟାଇନୀଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ଇସ୍ରାଏଲି ଆକ୍ରମଣରେ ମୋଟ ମୃତକଙ୍କ ସଂଖ୍ୟା ୨୧,୫୦୭ରେ ପହଞ୍ଚିଛି  । ଏହି ଯୁଦ୍ଧରେ କେବଳ ୧୦୬ ପାଲେଷ୍ଟାଇନୀ ସାମ୍ବାଦିକଙ୍କ ମୃତ୍ୟୁ ଘଟିଛି ।

Comments are closed.