Latest Odisha News

ରାଜ୍ୟପାଳ ରଘୁବର ଦାସ ଦେଖିବେ ଫିଲ୍ମ “ଶାନ୍ତି ଆପାର୍ଟମେଣ୍ଟ”

ଭୁବନେଶ୍ବର: ଫେବୃଆରୀ ୨ରେ ପରଦାକୁ ଆସିବ ବହୁ ପ୍ରତୀକ୍ଷିତ ଓଡ଼ିଆ ଚଳଚ୍ଚିତ୍ର ‘ଶାନ୍ତି ଆପାର୍ଟମେଣ୍ଟ’ । ରାଜ୍ୟପାଳ ରଘୁବର ଦାସ ଏହି ସିନେମା ଦେଖିବେ । ଏଥିପାଇଁ ଚଳଚ୍ଚିତ୍ରର ନାୟିକା ରାଗିଣୀ ଓ ନିର୍ଦ୍ଦେଶକ ଅଶ୍ଵିନୀ ତ୍ରିପାଠୀ ରାଜଭବନରେ ରାଜ୍ୟପାଳଙ୍କୁ ଭେଟିବା ସହ ପ୍ରିମିୟରରେ ଯୋଗ ଦେବା ପାଇଁ ଅନୁରୋଧ କରିଥିଲେ। ଚଳଚ୍ଚିତ୍ରର ଟ୍ରେଲର ଦେଖି ରାଜ୍ୟପାଳ ଖୁବ୍ ପ୍ରଶଂସା କରିବା ସହ ଚଳଚ୍ଚିତ୍ର ଦେଖିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ଶାନ୍ତି ଆପାର୍ଟମେଣ୍ଟ ଏକ ଭିନ୍ନ ଧରଣର ସିନେମା। ଏଥିରେ ରହସ୍ୟ, ରୋମାଞ୍ଚ ଭରି ରହିଛି ଏବଂ ତାହା ଦର୍ଶକଙ୍କୁ ନିଶ୍ଚୟ ପ୍ରଭାବିତ କରିବ । ବିକ୍ରମ ଶଙ୍କର ଏହି ଚଳଚ୍ଚିତ୍ରର ପ୍ରଯୋଜକ ଥିବା ବେଳେ କାର୍ଯ୍ୟକାରୀ ପ୍ରଯୋଜକ ଅଛନ୍ତି ଅଭିଜିତ। ଫିଲ୍ମଟିର କାହାଣୀ ଏବଂ ଚିତ୍ରନାଟ୍ୟ ସହିତ ନିର୍ଦ୍ଦେଶନାର ଦାୟିତ୍ଵ ତୁଲାଇଛନ୍ତି ଅଶ୍ବିନୀ ତ୍ରିପାଠୀ। ସଂଳାପ ଦାୟିତ୍ବରେ ଅଛନ୍ତି ଆଗଧାଡ଼ିର ସଂଳାପକାର ତଥା ନାଟ୍ୟକାର ଡ. ଦୀପକ ଜେନା। ସନ୍ଦୀପ ପଣ୍ଡାଙ୍କ ସଂଗୀତ ନିର୍ଦେଶନାରେ କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର, ଅନନ୍ୟା ଶ୍ରୀତମ ନନ୍ଦ, ଅର୍ପିତା ଚୌଧୁରୀ ଓ ସ୍ବୟଂ ପାଢ଼ୀ ।

‘ଶାନ୍ତି ଆପାର୍ଟମେଣ୍ଟ’ର ବିଭିନ୍ନ ଭୂମିକାରେ ଅଛନ୍ତି ଦ୍ବୀପନ୍ବିତ ଦାସମହାପାତ୍ର, ଶୁଭାଶିଷ, ରାଗିଣୀ, ଆଲିଆ, ବରଦା, ସନ୍ତୁ ପ୍ରସନ୍ନଜିତ, ଶକ୍ତି, ରାକ୍ଷୀ, ଅନୁଷ୍କା ପ୍ରମୁଖ । ଫିଲ୍ମଟି ଫେବୃଆରୀ ୨ରେ ମୋଟ ୩୦ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାର ସୂଚନା ରହିଛି। ଓଡ଼ିଆ ଚଳଚ୍ଚିତ୍ର ଇତିହାସରେ ଏହା ଏକ ନୂଆ ଫର୍ଦ୍ଦ ଯୋଡିବ ବୋଲି କହିଛନ୍ତି ଚଳଚ୍ଚିତ୍ରର ନିର୍ଦ୍ଦେଶକ ଅଶ୍ୱିନୀ ତ୍ରିପାଠୀ।

Comments are closed.