Latest Odisha News

BREAKING NEWS

ବିଜେପୁର ଉପ-ନିର୍ବାଚନ: ନବୀନ ଜନ୍ମଦିନ ପରେ ଆରମ୍ଭ କରିବେ ପ୍ରଚାର

ଭୁବନେଶ୍ୱର: ବିଜୁ ଜନତା ଦଳର ସଭାପତି ତଥା ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅକ୍ଟୋବର ୧୬ ତାରିଖରେ ତାଙ୍କର ଜନ୍ମଦିନ ପରଦିନ ହିଁ ବିଜେଡ଼ି ପ୍ରାର୍ଥୀ ରୀତା ସାହୁଙ୍କ ଲାଗି ବିଜେପୁରରେ ନିର୍ବାଚନ ପ୍ରଚାର ଆରମ୍ଭ କରିବେ ।

ଦୀର୍ଘ ପାଞ୍ଚଦିନ ଧରି ଦୁର୍ଗାପୂଜା ଉପଲକ୍ଷେ ବିଜେପୁର ରାଜନୀତିରେ ଶୀଥିଳତା ଆସିଯାଇଥିବା ପରେ ଆଗାମୀ ଅକ୍ଟୋବର ୨୧ ତାରିଖ ନିର୍ବାଚନକୁ ଦୃଷ୍ଟିରେ ରଖି ଏବେ ମଇଦାନକୁ ଓହ୍ଲାଇଥିବା ସମସ୍ତ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ପୁଣି ତତ୍ପରତା ଦେଖାଦେଇଛି ।

ଦଳୀୟ ସୂତ୍ରରୁ ଜଣାପଡ଼ିଛି, ଆଗାମୀ ଅକ୍ଟୋବର ୧୭ରେ ନବୀନ ଏକ ସ୍ୱତନ୍ତ୍ର ବିମାନରେ ବିଜେପୁର ଗସ୍ତ କରିବେ । ସେହିଦିନ ବରପାଲିଠାରେ ଏକ ନିର୍ବାଚନୀ ସଭାରେ ଉଦବୋଧନ ଦେବେ ବିଜେଡ଼ି ସୁପ୍ରିମୋ । ସନ୍ଧ୍ୟାରେ ବରପାଲି ଏବଂ ବିଜେପୁରଠାରେ ନବୀନଙ୍କର ରୋଡ଼ ଶୋ କରିବାର କାର୍ଯ୍ୟକ୍ରମ ରହିଛି ।

ବରପାଲି ସର୍କିଟ ହାଉସଠାରେ ରାତ୍ରୀ ଯାପନ କରିବାପରେ ମୁଖ୍ୟମନ୍ତ୍ରୀ ୧୮ ତାରିଖରେ ଗାଇସିଲଟ ବ୍ଲକରେ ଏକ ସଭାକୁ ସମ୍ବୋଧିତ କରିବେ । ସେହିଦିନ ଅପରାହ୍ନରେ ନବୀନ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି ।

ନବୀନ ତୃତୀୟ ଥର ଲାଗି ନିର୍ବାଚନ ପ୍ରଚାର କରି ଅନ୍ୟସ୍ଥାନରେ ରାତ୍ରିଯାପନ କରିବେ ।

ଚଳିତ ବର୍ଷ ଏପ୍ରିଲରେ ସେ ସାଧାରଣ ନିର୍ବାଚନ ସମୟରେ କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀରେ ପ୍ରଚାର କାର୍ଯ୍ୟ ସାରି ସେଠାରେ ରାତ୍ରୀ ଯାପନ କରିଥିଲେ । ସେହିପରି ନବୀନ ୨୦୧୪ ବିଧାନସଭା ନିର୍ବାଚନ ସମୟରେ ହିଞ୍ଜିଳିରେ ନିର୍ବାଚନୀ ସଭା ଏବଂ ରୋଡ଼ ଶୋ କରିବା ସହିତ ଗୋପାଳପୁରଠାରେ ରାତ୍ରୀ ଯାପନ କରି ବିଶ୍ରାମ ନେଇଥିଲେ ।

ଏଠାରେ ଉଲ୍ଲେଖଯୋଗ୍ୟ, ବିଜେପୁରର କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ମୃତ୍ୟୁ ପରେ ୨୦୧୮ ଉପ-ନିର୍ବାଚନରେ ତାଙ୍କର ପତ୍ନୀ ରୀତା ସାହୁ ବିଜେଡ଼ି ଟିକଟରେ ନିର୍ବାଚନ ଜିତିଥିଲେ ।

ଏହି ଉପ-ନିର୍ବାଚନରେ ବିଜେଡ଼ି ପ୍ରାର୍ଥୀ ରୀତା ସାହୁ, କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡା ଏବଂ ବିଜେପି ପ୍ରାର୍ଥୀ ସନତ ଗଡ଼ତିଆଙ୍କ ମଧ୍ୟରେ ତ୍ରୀମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେଉଛି ।

 

 

Leave A Reply

Your email address will not be published.