Latest Odisha News

କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ…

କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ…

ପ୍ରଶାନ୍ତ କୁମାର ସାହୁ

ବାହୁଡା ଦିନ ସକାଳୁ, ପ୍ରୟାଗ ଗାଧୁଆ ଘରୁ ଗାଧୋଇ ସାରି ବାହାରିଲା ବେଳକୁ, ପୂଜା ଘର ସାମ୍ନାରେ ପାଦ ତାର ଆପେ ଆପେ ଅଟକି ଗଲା। ପୂଜା ଘର ଦରଜା ଖୋଲାଥିଲା। ନଜର ମିଶିଲା ପ୍ରୟାଗର, ଗୋଲ ଗୋଲ ଯୋଡ଼େ ଆଖି ସାଙ୍ଗରେ। ମନେ ମନେ ଭାବିଲା ସେ “ତୋର ବାହୁଡ଼ିବା ସମୟ ହେଇଗଲା”।

କିଛି ସମୟ ଆଗରୁ ମୁକ୍ତି ଗାଧୋଉଥିବା ବେଳେ, ଗାଧୁଆ ଘରୁ ପାଣି ପଡିବାର ଶବ୍ଦ ଉହାଡୁ ବି ହଠାତ ଶୁଣା ଯାଇଥିଲା କୋହର ବିଳାପ। ଦଉଡି ଯାଇଥିଲା ପ୍ରୟାଗ। ଗାଧୁଆ ଘର କବାଟ ବାହାରୁ ଖଟ ଖଟ କରି ପଚାରିଲା “କ’ଣ ହେଲା ମୁକ୍ତି?” କିଛି ସମୟର ନୀରବତା ପରେ ମୁକ୍ତି ଉତ୍ତରିଲା “କିଛି ନାହିଁ ତ!”

“କିଛି ନାହିଁ ତ” ବୋଲି ଉତ୍ତରିଲେ ବି ପ୍ରୟାଗ କ’ଣ ଜାଣି ପାରିଲା ନାହିଁ କି? ଚିହ୍ନି ପାରିଲା ନାହିଁ କି ମୁକ୍ତିର ବିଳାପ? ତା ସାମ୍ନା ରେ ଛାତିକୁ ପଥର କରି ଲୁହ ନ ଝରାଉଥିବା ମୁକ୍ତି, ତାକୁ ଲୁଚେଇ ଲୁଚେଇ ଯେ ଲୁହର ମହୋଦଧି ସରଜୁଛି ସେ କ’ଣ ଜାଣି ନାହିଁ କି? ଭାସି ଯାଉନି କାହିଁକି ସବୁକିଛି ସେ ଲୁହର ମହୋଦଧିରେ!!!

ନଅ ଦିନ ହେଇଗଲା ଆଜିକୁ। ଶ୍ରୀଗୁଣ୍ଡିଚା ଦିନ ହିଁ ତ ! ସକାଳ ପହରୁ ମୁକ୍ତିର ମନ ବିବ୍ରତ ଥିଲା କାହିଁ କେଜାଣି। ପ୍ରୟାଗକୁ କହିଲା ତା ମନର ବିଚଳିତ ଭାବ। ପ୍ରୟାଗ ହସି ଦେଇ ବୋଧ କଲା ତାକୁ। କହିଲା “ଆଜି ପରା ତମ ପ୍ରିୟ ଠାକୁରଙ୍କ ଯାତ୍ରା। ଆଜି କାହିଁ ମନ ବିଚଳିତ ! ଆଜି ତ ମନ ଶାନ୍ତ ରହିବା କଥା ତମର।”

ମଧ୍ୟାନ୍ନ ବେଳା, ପ୍ରୟାଗ ଟିଭିରେ ପହଣ୍ଡି ଦେଖୁଥିଲା ବସି। ମୁକ୍ତି ରୋଷେଇ କରୁଥିବା ବେଳେ ହଠାତ ଦଉଡି ଗଲା ଗାଧୁଆ ଘରକୁ। କିଛି ସମୟ ଉତ୍ତାରୁ ବାହୁନି ବାହୁନି ଆସି ଡାକି ନେଇଗଲା ପ୍ରୟାଗକୁ ଗାଧୁଆ ଘରକୁ। କମୋଡ଼ ସାରା ରକ୍ତ ! ଆଉ ଅଳ୍ପ ଦିନରେ ତିନି ମାସ ପୁରିଥାନ୍ତା ମୁକ୍ତିର ଗର୍ଭ !

ଶ୍ରୀଗୁଣ୍ଡିଚା ପହଣ୍ଡି ଚାଲିଥିଲା ସେପଟେ। ଏପଟେ ଶ୍ରୀମନ୍ଦିର ଛାଡ଼ି ଦେଇଥିଲେ ମୁକ୍ତିର ଜଗନ୍ନାଥ !
ପ୍ରଥମ ଥର ନୁହଁ, ଏଇଟା ଦ୍ୱିତୀୟ ଥର ଥିଲା ମୁକ୍ତିର ଅସମୟ ଗର୍ଭପାତ। ବାହାଘରର ଦୁଇ ବର୍ଷ ପରେ ପ୍ରଥମ ଗର୍ଭ ରହିଥିଲା ତାର। ଦୁଇମାସ ପୁରୁ ପୁରୁ ନଷ୍ଟ ହେଇ ଯାଇଥିଲା। ସ୍ତମ୍ଭିଭୁତ ହେଇଯାଇଥିଲେ ଉଭୟ ମୁକ୍ତି ଓ ପ୍ରୟାଗ। “ସବୁ ସେଇ ଜଗନ୍ନାଥଙ୍କ ଇଛା” ବୋଲି ଭାବି ଧୈର୍ୟ୍ୟ ଧରି ରହିଥିଲେ।

ଏପଟେ ଘର ପରିବାରର ଘନ ଘନ ପ୍ରଶ୍ନ ଓ ଚାପ। ମନକୁ ଯେମିତି ସେମିତି ବୁଝାଇ ଆଗକୁ ବଢିବାର ପ୍ରୟାସ କଲାବେଳେ ଆତ୍ମୀୟ ସ୍ୱଜନଙ୍କ ଗଞ୍ଜଣା। କିଏ ବୁଝାଇବ ଲୋକଙ୍କୁ? ଜୀବ ବିଜ୍ଞାନରେ ସବୁ ବେଳେ ଏକ ମିଶାଣ ଏକ ଦୁଇ ତ ନୁହଁ! ସବୁ କିଛି ଠିକ ଥାଇ ବି ସର୍ଜନା କରିବା କଣ ମଣିଷ ହାତରେ!

ପ୍ରଥମ ଗର୍ଭର ତିନି ବର୍ଷ ପରେ ପୁଣି ଥରେ କୋଳ ପୁରିଥିଲା ମୁକ୍ତିର। ପ୍ରଥମ ଥରର ଭୟ ଆବୋରି ବସିଥିଲା ଉଭୟଙ୍କୁ। ଡାକ୍ତର ଦେଖେଇଥିଲେ, ସବୁ ଜରୁରୀ ଔଷଧ ନେଇଥିଲେ, ସବୁ ପ୍ରକାର ସାବଧାନତା ଅବଲମ୍ବନ କରିଥିଲେ। ତିନିମାସ ପୁରିବାକୁ ବସିଥିଲା। ଧୀରେ ଧୀରେ ସେମାନଙ୍କ ମନ ଥୟ ଧରୁଥିଲା। ଏଇଥର ହୁଏତ ଜଗନ୍ନାଥ ଝୁଲଣ ଝୁଲିବେ ତାଙ୍କ ଅଗଣାରେ।

ଶ୍ରୀଗୁଣ୍ଡିଚା ଦିନ ହିଁ ଶ୍ରୀମନ୍ଦିର ଛାଡିଦେଲେ ଜଗନ୍ନାଥ !!!
ଉଭୟେ ଉଭୟର ଦମ୍ଭ। ଦାମ୍ଭିକ ପ୍ରୟାଗର ଦମ୍ଭ ଛାତି ଫାଟିଗଲା ଏଥର। ଛୋଟ ଛୁଆ ପରି ଅନେକ କାନ୍ଦିଛି ସିଏ। ବୁଝିଛି ଏ କଥା ମୁକ୍ତି। କୋହ ମାରି, ମୋହ ପ୍ରଦୀପ ଜଳେଇ ଗୁମୁରି କାନ୍ଦିଛି ପଛେ, ପ୍ରୟାଗ ସାମ୍ନାରେ ପଥର ପାଲଟିଛି ସିଏ। ତା ଆଖି ଲୁହ ଯେ ଦେଖିପାରେନି ପ୍ରୟାଗ!
ବାହୁଡା ସକାଳୁ ଗାଧୋଇବା ବେଳେ ପେଟରେ ହାତ ବାଜୁ ବାଜୁ କୋହ ଆଉ ବନ୍ଧ ମାନିଲେନି ମୁକ୍ତିର। ଭୋ ଭୋ ହେଇ ବଡ଼ ପାଟିରେ କାନ୍ଦିବାକୁ ଲାଗିଲା ସେ। ବିଳାପ ବାରି ଦଉଡି ଆସିଲା ପ୍ରୟାଗ, ମିଛ କହିଲା ମୁକ୍ତି “କିଛି ହେଇନି ତ”
ମୁକ୍ତି ଗାଧେଇ ସାରିବା ପରେ ଆସି ପୂଜା କଲା, ଦୀପ ଜାଳିଲା ସବୁ ଦିନ ପରି। ଅନ୍ତହୀନ ଆଶାର ପ୍ରଦୀପ।
ମୁକ୍ତି ଜଗନ୍ନାଥଗାମୀ। ପ୍ରୟାଗ ବେଳେବେଳେ ଚିଡାଏ ତାକୁ “ଏ ଯୁଗର ମୀରା” ବୋଲି କହି। ମୁକ୍ତି ବି ସମର୍ଥନ କରେ ହସି ଦେଇ। କହେ “କୃଷ୍ଣ ଯଦି ସଶରୀର ଥାଆନ୍ତେ ସାମ୍ନାରେ, ତମକୁ କାହିଁକି ବାହା ହେଇଥାନ୍ତି ଆଉ! କେଜାଣି, ହୁଏତ ତମେ ହିଁ ମାନବ ଦେହୀ କୃଷ୍ଣ”

ମୁକ୍ତିର ବରାଦରେ, ପ୍ରୟାଗ ମହାରଣା ସାହିର ସବୁଠାରୁ କୁଶଳୀ ଶିଳ୍ପୀକୁ କହି ପିଆଶାଳ କାଠର ଖୁବ ସୁନ୍ଦର ଏକ ଜଗନ୍ନାଥ ମୂର୍ତ୍ତି ବନେଇଥିଲା। ଖୁବ ଶ୍ରଦ୍ଧାର ସହ ପୂଜା କରେ ମୁକ୍ତି। ପୀତ-ଲୋହିତ ବର୍ଣ୍ଣ ବସ୍ତ୍ର ପିନ୍ଧାଇ, ଚିତା ଚନ୍ଦନ ଲଗାଇ, ଦୀପ-ଧୂପ-ଝୁଣା-ତୁଳସୀ ଦେଇ ପୂଜା ତ କରେନି, ଜାଣ ନିଜ ଅବୋଧ ଶିଶୁର ଲାଳନ ପାଳନ କରେ କି ଆଉ !!!


ମୁକ୍ତିର ପୂଜା ସରିଲା ବେଳକୁ ପ୍ରୟାଗ ଗାଧୋଇ ବାହାରିଲା। ଗାଧୋଇ ସାରି ଫେରିବା ବେଳେ ପୂଜାଘର ସାମ୍ନାରେ ଆପେ ଆପେ ପାଦ ଅଟକିଗଲାରୁ ମୁହାଁ ମୁହିଁ ହେଲା ଗୋଲ ଗୋଲ ଆଖି ଯୋଡିକ ସହ।
ମୁକ୍ତି ଦୀପର ଶିଖାରେ ତେଜିୟାନ ଦିଶୁଥିଲେ ବେନି ଆଖି। କଳ୍କୀ ଅବତାର କି ଆଉ! ବାହୁଡ଼ାରେ ବାହୁଡିବେନି ତ, ସମସ୍ତଙ୍କ ଆଶା ଆକାଂକ୍ଷା କୁ ଉଜାଡ଼ିବେ କି ଆଉ!
“ସବୁଥିରୁ ବଞ୍ଚିତ କରି କେଉଁ ଯଶ ବାନା ଉଡାଇବ ହେ?
ଯାହା ଦେଇଥିଲ ସବୁ ତ ନେଲଣି, ଆଉ କିସ ପାଇଁ ଡ଼ରାଇବ ହେ?”
ନା, ସ୍ଥାନ ନାହିଁ ତୋର ଆଉ ଏଠି। ଦୁଇ ଦୁଇ ଥର ଆମ ଜୀବନ ଧନ ନେଲୁଣି। କରି କରି ଆଉ କଣଟା କରିବୁ? ମୋ ଜୀବନ ନେବୁ, ମୋତେ ନିଃସ୍ୱ କରିବୁ? ହଉ, କର। କିନ୍ତୁ ଯା, ବାହୁଡ଼ି ଯା। ନିଜ ଘରକୁ ଯା, ମାଉସୀ ଘରେ ରହ, ଯୁଆଡେ ଯାଉଛୁ ଯା। ବାହୁଡ଼ି ଯା!

ଅଭିମାନ ଲହରୀ ଭାଙ୍ଗୁଥିଲେ ପ୍ରୟାଗ ମନେ। କଣ କମି କରିଥିଲେ ସେମାନେ। ଶାନ୍ତ, ଉଦାର, ଭଗବତ ବିଶ୍ୱାସୀ ଦୁହେଁ। କାହାର କେବେ କ୍ଷତି କରିନାହାନ୍ତି, ଅନିଷ୍ଟ ପାଞ୍ଚି ନାହାନ୍ତି। ତାଙ୍କରି ସହ ଏମିତି କାହିଁକି ହେଲା?
ପ୍ରୟାଗ ଅଭିମାନ ଅଗ୍ନୀରେ ଘିଅ ଢାଳିଲା ମୁକ୍ତିର ଲୁଚା କୋହ।

ଗାଧୋଇ ସାରି ପୂଜା କରେ ପ୍ରୟାଗ। ଆଜି ଆଉ ପୂଜା କଲାନି! ଲୁଗା ପିନ୍ଧି ସାରି ପୂଜା ଘରକୁ ଗଲା। ଜଗନ୍ନାଥ ମୂର୍ତ୍ତିକୁ ଦୁଇ ହାତରେ ତୋଳି ଧରିଲା। ପୂଜା ଘରୁ ବାହାରି ଆସିଲା ବେଳକୁ, ଦେଖିପକାଇଲା ମୁକ୍ତି।
“କୁଆଡେ ନେଇ ଯାଉଛ ଜଗନ୍ନାଥଙ୍କୁ?” ମୁକ୍ତି ପଚାରିଲା।
“ଜାଣିନି। ଭାବୁଛି ପାଖ ମନ୍ଦିର ରେ ଦେଇ ଆସିବି। ସେଠି ପୂଜା ପାଇବେ। ନହେଲେ, ଯଦି କେହି ନେବ ବି, ଠିକ ଅଛି। ଏଠୁ କିନ୍ତୁ ଯିବେ। ଆଜି ବାହୁଡା ପରା। ବାହୁଡନ୍ତୁ ଜଗତ ଠାକୁର। ଆମର କଲ୍ୟାଣ ନକଲେ ନାହିଁ, ଜଗତ କଲ୍ୟାଣ କରନ୍ତୁ।” ଅଭିମାନ ଓଗାଳୁ ଥିଲା ପ୍ରୟାଗ। ଦୌଡ଼ି ଆସି ପ୍ରୟାଗ ହାତରୁ ଶ୍ରୀମୂର୍ତ୍ତିଙ୍କୁ ଭିଡ଼ିନେଲା ମୁକ୍ତି।


“କୁଆଡେ ନେବନି ତମେ ମୋ ପୁଅକୁ! ମୋ ପେଟରେ ନ ରହିଲା ନାହଁ, ମୋ ସାମ୍ନାରେ ତ ରହୁଛି। ମାତୃତ୍ତ୍ୱ ରେ ପୂର୍ଣ୍ଣ ନ ହେଲା ନାହିଁ, ତା ଅଧଃଖଣ୍ଡିଆ ରୂପ ଦେଖି ତ ମୋ ଜୀବନ ପୂର୍ଣ୍ଣ। ମୁଁ କଣ ଜାଣିନି, ଛୁଆ ଖଣ୍ଡେ ହେଲେ ତାକୁ କାଳେ ହତାଦର କରିବି ଭାବି ନେଇଗଲା ବୋଧେ ମୋ ଗର୍ଭ । ସେଇୟା ହଉ ରେ କପଟିଆ। ମୋତେ ନିଃସ୍ୱ କଲା ସେ, ମୋ ଭକ୍ତିରେ ନିଃସ୍ୱ ହେଉ ସେ। ଏଇଠି ରହୁ ସେ!”

ପ୍ରୟାଗକୁ ଲୁଚି ଲୁଚି କାନ୍ଦୁଥିବା ମୁକ୍ତି, ଭୋ ଭୋ ହୋଇ କାନ୍ଦି ଉଠିଲା। ତା ଲୁହରେ ଭିଜିଲା ପଣତ, ଭିଜିଲା ବି ଯୋଡ଼େ ଗୋଲ ଗୋଲ ଆଖି। ପଣତ ବେଢ଼ିଲା ମୁକ୍ତି, ମୂର୍ତ୍ତି ଚାରିକଡେ। ଗର୍ଭ ତାର ସିନା କ୍ଷଣଭଙ୍ଗୁର, ତା ଭକ୍ତି ନୁହେଁଟ୍ଟ
“କୁଆଡେ ଯିବୁନି ତୁ…କୁଆଡେ ବି ଯିବୁନି।”

ବାଙ୍ଗାଲୋର, କର୍ଣ୍ଣାଟକ
ମୋ – ୭୦୪୪୦୯୯୭୭

 

 

 

 

 

Comments are closed.