Latest Odisha News

BREAKING NEWS

ଭାଷା ଭାଗବତ : ମହାଶୈଳ ଶିଖରବାସୀ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ 

‘ ମହା ‘ ବୋଲି ପଡ଼ୁଛି ହୁରି
କାନକୁ ଶୁଭୁଛି ସବୁରି
ମହାଡ଼ଂବରେ ମହୋତ୍ସବ
ଚାଲିଛି ଶୁଭେ ମହାରବ

ମହାରାଜ୍ୟର ମହାଜନ
ଅର୍ଜନ କରି ମହାଧନ
ମହାନଂଦରେ ଥିଲେ ଜିଇଁ
ମହୋନ୍ନତି ତ ହୁଏନାହିଁ

ମହାପ୍ରଚାର ଅହର୍ନିଶ
ଚାଲିଛି, ହେଉନାହିଁ ଶେଷ
ସଭିଏଁ ଭୋଗି ମହାକ୍ଳେଶ
ଦେଖାଂତି କଳ୍ପିତ ଉଲ୍ଲାସ

ମହାରାଜ୍ୟର ମହାନେତା
କହଂତି ବଡ଼ ବଡ଼ କଥା
ଯୁବକ, ବୃଦ୍ଧ, ପ୍ରୌଢ଼ ଲୋକ
ନୁଆଂତି ଆପଣା ମସ୍ତକ

ମହାଶୈଳ ଶିଖରବାସୀ
ବୋଲାଂତି ଅପୂର୍ବ ସାହସୀ
ନୁହଂତି ଯେଣୁ ଭୂମିଲଗ୍ନ
ଅଜସ୍ର ସ୍ବପ୍ନ ହୁଏ ଭଗ୍ନ

ନ ବୁଝି ଆଗ୍ରହ ଓ ରୁଚି
ଯିଏ ଯୋଗାଏ କାର୍ଯସୂଚି
ତହିଁରୁ ହୁଏନାହିଁ କିଛି
ଏହା କି ଅଜଣା ରହିଛି ?

ମହାସ୍ବପ୍ନର ସୌଦାଗର
ହୁଅଂତିନାହିଁ କର୍ମବୀର
ପ୍ରଚାର ଚାଲେ ଅବିରତ
ଗଠିତ ହୁଏ ଜନମତ

ମହାମତର ଦ୍ବାହି ଦେଇ
ଯେ ପାରେ ଲୋକଂକୁ ଭଳାଇ
ସେ ହୁଏ ପ୍ରାତଃସ୍ମରଣୀୟ
ସେ ଥିଲେ, ନାହିଁ କିଛି ଭୟ

ଗୋଟେ ପ୍ରକାର କଥା କହି
ଯେ ପାରେ ଜନମନ ମୋହି
ତାହାର କଥା କିଂବା କାର୍ଯ
କିଛି ବି ନୁହଇ ସ୍ବୀକାର୍ଯ

ମହାଭାଷାର ଦୀନ ସ୍ଥିତି
ଯୋଗୁଁ ଘୂରେନି କାହା ମତି
ଏହାକୁ କହିଲେ ପ୍ରଗତି
ନିରଂତର ହୋଇବ କ୍ଷତି

Comments are closed.