ମୁମ୍ବାଇ: ସିଙ୍ଗିଙ୍ଗ ରିଆଲିଟି ସୋ ‘ଇଣ୍ଡିଆନ୍ ଆଇଡଲ୍ ୧୪’ ର ବିଜେତା ହୋଇଛନ୍ତି ବୈଭବ ଗୁପ୍ତା । ଟ୍ରଫି ସହ ସେ ୨୫ ଲକ୍ଷ ଟଙ୍କାର ପୁରସ୍କାର ଜିତିଛନ୍ତି । ଏହା ସହ ତାଙ୍କୁ ଏକ ମାରୁତି ବ୍ରେଜା କାର ମଧ୍ୟ ପୁରଷ୍କାର ଭାବେ ଦିଆଯାଇଛି । ଏହି ଶୋ’ର ରନର୍ ଅପ୍ ହୋଇଛନ୍ତି ସୁଭାଦୀପ ଦାସ । ତାଙ୍କୁ ୫ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯାଇଛି ।
ସେହିପରି ଦ୍ୱିତୀୟ ରନର୍ ଅପ୍ ପୀୟୁଷ ପନୱାରଙ୍କୁ ଟ୍ରଫି ସହିତ ୫ ଲକ୍ଷ ଟଙ୍କା ଚେକ୍ ମଧ୍ୟ ଦିଆଯାଇଛି । ଶୋ’ର ତୃତୀୟ ରନର୍ ଅପ୍ ହୋଇଥିବା ଅନନ୍ୟା ପାଲଙ୍କୁ ୩ ଲକ୍ଷ ଟଙ୍କା ଚେକ୍ ପ୍ରଦାନ କରାଯାଇଛି । ତେବେ ଅନନ୍ୟା ପାଲ, ଅଞ୍ଜନା, ଆଧା ମିଶ୍ର, ପୀୟୁଷ ପନୱାର, ସୁଭାଦୀପ ଦାସ ଏବଂ ବୈଭବ ଗୁପ୍ତା ସୋ’ର ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲେ । କିନ୍ତୁ ଯିଏ ତାଙ୍କ ସ୍ୱରର ଜାଦୁରେ ବିଚାରପତି ଏବଂ ଦର୍ଶକଙ୍କୁ ଅଧିକ ପ୍ରଭାବିତ କରିଥିଲେ ସେ ହେଉଛନ୍ତି ବୈଭବ ଗୁପ୍ତା ।
ବୈଭବ ଗୁପ୍ତା ଆରମ୍ଭରୁ ତାଙ୍କ ସ୍ୱରର ଜାଦୁଗରୀରେ କୋଟି କୋଟି ଦର୍ଶକଙ୍କ ହୃଦୟ ଜିତିଥିଲେ । ଉତ୍ତରପ୍ରଦେଶ କାନପୁର ସ୍ଥିତ ନାନକରୀ ସହରର ମଣ୍ଟୋରା ସ୍କୁଲରେ ପଢୁଥିବା ବୈଭବ ଆରମ୍ଭରୁ ସଙ୍ଗୀତ ପ୍ରତି ଆଗ୍ରହ ପ୍ରକାଶ କରିଥିଲେ । ସେ ନିଜେ ବିଦ୍ୟାଳୟରେ ଶାସ୍ତ୍ରୀୟ ସଙ୍ଗୀତ ଶିଖିଥିଲେ । ତାଙ୍କ ପିତା ଚାହୁଁଥିଲେ ଯେ ବୈଭବ ଇଞ୍ଜିନିୟରିଂ ପଢନ୍ତୁ, କିନ୍ତୁ ସେ କେବଳ ସଙ୍ଗୀତରେ ହିଁ କ୍ୟାରିୟର କରିବାକୁ ନିଷ୍ପତ୍ତି ନେଇଥିଲେ ।
ହେଲେ ବୈଭବଙ୍କ ଭାଗ୍ୟ ଏତେ ଭଲ ଥିଲା ଯେ, ପ୍ଲସ ଟୁ ପରେ ତୁରନ୍ତ ସେ ଇଣ୍ଡିଆନ୍ ଆଇଡଲ୍ ପାଇଁ ମନୋନୀତ ହୋଇଥିଲେ ଏବଂ ସେ ମଧ୍ୟ ଏହି ଶୋ’ର ବିଜେତା ହୋଇଛନ୍ତି । ଯାହା ତାଙ୍କ ପାଇଁ ଓ ପରିବାର ପାଇଁ ଏକ ଖୁସିର ମୁହୁର୍ତ୍ତ ଅଟେ ।
ସିଙ୍ଗିଙ୍ଗ ରିଆଲିଟି ସୋ ‘ଇଣ୍ଡିଆନ୍ ଆଇଡଲ୍ ୧୪’ ର ବିଚାରପତି ଭାବେ ବିଶାଲ ଦଦଲାନି, କୁମାର ସାନୁ ଏବଂ ଶ୍ରେୟା ଘୋଷାଲ ରହିଥିଲେ । ଏଥି ସହିତ ବଲିଉଡର ପ୍ଲେ ବ୍ୟାକ୍ ସିଙ୍ଗର ନେହା କକ୍କଡ ଓ ସୋନୁ ନିଗମ ଗ୍ରାଣ୍ଡ ଫାଇନାଲରେ ଏକ ବିଶେଷ ଅତିଥି ଭାବରେ ଉପସ୍ଥିତ ହୋଇଥିଲେ । ଉଭୟ ଏହି ଶୋ’ରେ ସେମାନଙ୍କର ନିଜସ୍ବ ସ୍ୱର ର ଜଲଓ୍ବା ମଧ୍ୟ ପ୍ରଦର୍ଶନ କରିଥିଲେ ।
Comments are closed.