ନୂଆଦିଲ୍ଲୀ: ଆଧୁନିକ ଓଡ଼ିଶାର ନିର୍ମାତା, ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ନିଜ ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସରେ ଏକ ପୋଷ୍ଟ କରି ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
ମୋଦୀ କହିଛନ୍ତି ଯେ, କିମ୍ବଦନ୍ତୀ ପୁରୁଷ ବିଜୁ ପଟ୍ଟନାୟକଙ୍କ ଦୂରଦର୍ଶୀ ନେତୃତ୍ୱ ଏବଂ ଅଦମ୍ୟ ସାହସ ପିଢ଼ି ପରେ ପିଢ଼ିକୁ ପ୍ରେରଣା ଦେଉଛି । ଆମ ଦେଶ ପାଇଁ ତାଙ୍କର ଅବଦାନ ଏବଂ ବିକାଶ ପ୍ରତି ତାଙ୍କର ଅତୁଟ ପ୍ରତିବଦ୍ଧତା ଉଦାହରଣୀୟ । ଆଜି ଏହି ସ୍ୱତନ୍ତ୍ର ଦିନରେ ମୁଁ ଚଣ୍ଡିଖୋଲରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବା ପାଇଁ ଓଡ଼ିଶାବାସୀଙ୍କ ମଧ୍ୟରେ ଉପସ୍ଥିତ ରହିବି । ଏହା ସହ ଏକ ସାଧାରଣ ସଭାକୁ ମଧ୍ୟ ସମ୍ବୋଧିତ କରିବି ବୋଲି ଲେଖିଛନ୍ତି ମୋଦୀ ।
ସେପଟେ ଜୟନ୍ତୀ ଅବସରରେ ବିଜୁବାବୁଙ୍କୁ ମନେ ପକାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମାଜର ସବୁ ବର୍ଗର ଲୋକଙ୍କୁ ନେଇ ବିକାଶକୁ ବଳିଷ୍ଠ କରିବା ଲାଗି ସେ ଆଙ୍କିଥିବା ନକ୍ସା ଏବେ ମଧ୍ୟ ଆମକୁ ବାଟ ଦେଖାଉଛି । ବିକାଶ ପୁରୁଷଙ୍କ ଅବଦାନକୁ ମନେ ପକାଇ ଓଡ଼ିଆ ଜାତୀୟତାର ପରିଚୟକୁ ଆହୁରି ଗୌରବାନ୍ଵିତ କରିବା ସହ ନୂଆ ଓଡ଼ିଶା ଗଠନର ସଂକଳ୍ପକୁ ଆହୁରି ଦୃଢ଼ କରିବାକୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।
Comments are closed.