Latest Odisha News

ଭାଷା ଭାଗବତ : ବିବାଦ ଉତ୍ପାଦକ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ 

 

ମୁଂଡ ହଲାଇଲେ ବିବାଦ

ତୁଂଡ ଖୋଲିଲେ ପ୍ରତିବାଦ

ଯାହା କରିଲେ ବି ସଂବାଦ

ପଢ଼ିଲେ ଘାରେ ଅବସାଦ

 

କେତେ ବିବାଦ ଉତ୍ପାଦକ

ବନିଲେ ଯଦି ସଂପାଦକ

ସଭିଂକଠାରେ ଖୋଜି ଖୁଣ

ଗାଉଥାଆଂତି ନିଜ ଗୁଣ

 

ନାନା ଧଂଦାରେ ହୋଇ ଛଂଦି

ବନଂତି ନିଜେ ସ୍ବେଚ୍ଛାବଂଦୀ

ମାନଂତିନାହିଁ ନୀତି, ବିଧି

ଜଗଂତି ଆପଣା ପରିଧି

 

ସୃଷ୍ଟି କରଂତି ଯେଉଁ ହାୱା

ତାହା ଶୀତଳ ମୋଟା ତାୱା

କିଛି ବି ହୁଏନାହିଁ ଭାଜି

କାଂଥରେ ରହେ ତା ବିରାଜି

 

ଏଠାରେ ବହୁ ବାର୍ତାବହ

ଛାତି ତଳେ ଲୁଚାଇ କୋହ

ଆଖିରୁ ନ ଝରାଇ ଲୁହ

ହୋଇଯାଆଂତି ଆଜ୍ଞାବହ

 

ତାଂକର ଅଦୃଶ୍ୟ ମାଲିକ

ଘନଘନ ପଠାଇ ଲୋକ

ହୁଅଂତି ବାର୍ତା ସଂଗ୍ରାହକ

ପଢ଼ଂତି ନିରୀହ ପାଠକ

 

ଦୃଷ୍ଟିର ଭଂଗୀ ଆଉ କୋଣ

କରିଲେ ନୀତି ନିର୍ଧାରଣ

ତାଂକର ପୋଷ୍ୟ ସଖାଗଣ

କରଂତି ନିଶ୍ଚୟ ପୂରଣ

 

ବେତନଭୋଗୀ କର୍ମଚାରୀ

ସବୁଠି ଗଲେ ସୁଦ୍ଧା ହାରି

କାମରେ ରହିଥାଂତି ଲାଖି

ହୁଅଂତି ପଂଜୁରୀର ପକ୍ଷୀ

 

ଡେଣା ଥିଲେ ବି ହଲେନାହିଁ

ଥଂଟ ଥିଲେ ବି ଖୁଂପେନାହିଁ

ନଖ କେବେ ରାଂପୁଡ଼େନାହିଁ

କେକା କି କୁହୁ ଶୁଭେନାହିଁ

 

ବାସ୍ତବତାର ମହାଭ୍ରମ

ଯାହାକୁ ଦିଶେ ମନୋରମ

ସେ କରେ ନିଜତ୍ବ ହନନ

କାର୍ଯକ୍ଷେତ୍ରରେ ପ୍ରତିଦିନ

 

ପ୍ରଫୁଲ୍ଲ କୁମାର ତ୍ରିପାଠୀ

Leave A Reply

Your email address will not be published.