ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ
କରିଲେ ତ୍ତ ଏବେ ବର୍ଜନ
ବିପତି ଲେଖିବାକୁ ମନ
ବଳିବ ନିଶ୍ଚେ ଆପେ ଆପେ
ଏମିତି କି ସଂସ୍କାର ବ୍ୟାପେ ?
ଚିତ, ବିତ ଓ ଚିତ୍ତ, ବିତ୍ତ
ଯେଉଁଟି ବହୁ ପ୍ରଚଳିତ
ତାହା ନ କଲେ ବ୍ୟବହାର
ହେବ କି କାହା ଉପକାର ?
ଗୁଣବତ୍ତା ଓ ଗୁଣବତା
ନୁହେ ଯେହେତୁ ଏକ କଥା
ତ୍ତ ଏବେ କରିଲେ ବର୍ଜନ
ବଢ଼ିବ କି ଭାଷାର ମାନ ?
ଆପତ୍ତି ବିପତ୍ତି ସଂପତ୍ତି
ଆପତି ବିପତି ସଂପତି
ଯାହା କହୁଁ ଓ ଲେଖୁଁ ନିତି
ତାହା ଛାଡ଼ିଲେ ହେବ କ୍ଷତି
ସ୍ବୈଚ୍ଛିକ ହୋଇପାରେ କଥା
ଲେଖାରେ ନ ଥିଲେ ସ୍ଥିରତା
ଭାଷାରେ ଚଳେ ଅବ୍ୟବସ୍ଥା
କରିବାନାହିଁ କିଆଁ ଚିଂତା ?
ମୁଁ ଜଣେ ସାମାନ୍ୟ ଲେଖକ
ନୁହେଁ ଭାଷାର ନିର୍ଣାୟକ
ତଥାପି ନୁହେଁ ଯେଣୁ ମୂକ
ଲେଖିଲି ମନକଥା ତକ
ଭାଷାକୁ ଯାହା କରୁଁ ଆମେ
ଭାଷା ତା’ ହୁଏ କାଳକ୍ରମେ
ଏ କଥା ନୁହଇ ଅସତ୍ୟ
ଏହା ତ ତଥ୍ୟାଶ୍ରିତ ସତ୍ୟ
ସତ୍ୟର ବିରୋଧାଚରଣ
କରିବା ନୁହେ ସମୀଚୀନ
ଏ କଥା ବୁଝି, ଜାଣି ମୁହିଁ
ମନର କଥା ଦେଲି କହି
ବ୍ୟତିକ୍ରମ ନୁହେ ନିୟମ
ମନେ ପୂରାଏ ବହୁ ଭ୍ରମ
ଲେଖାରେ ରହିଲେ ସ୍ଥିରତା
ବଢ଼େ ଭାଷାର ଗୁଣବତ୍ତା
Comments are closed.