Latest Odisha News

BREAKING NEWS

ଚଳିତବର୍ଷ ଭାଙ୍ଗିଲା ଗ୍ରୀଷ୍ମ ପ୍ରବାହ ରେକର୍ଡ; ରାଜ୍ୟରେ ୪୪ ଡିଗ୍ରୀ ଡେଇଁଲା ତାପମାତ୍ରା, ୨୧ରୁ ବଦଳିବ ପାଗ

ଭୁବନେଶ୍ୱର: ସାରା ରାଜ୍ୟରେ ଅନୁଭୂତ ହେଉଛି ଅସହ୍ୟ ଗ୍ରୀଷ୍ମ ପ୍ରବାହ । ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟରେ ୪୪ ଡିଗ୍ରୀ ଡେଇଁଲା ତାପମାତ୍ରା । ଆଜି ରାଜ୍ୟରେ ୩୨ଟି ସହରର ତାପମାତ୍ରା ୪୦ ଡିଗ୍ରୀ ବା ତା’ ଉପରେ ରହିଛି । ସେଥିମଧ୍ୟରୁ ୧୦ଟି ସହରର ତାପମାତ୍ରା ୪୩ ଡିଗ୍ରୀ ବା ତା’ ଉପରେ ରହିଛି ।

ସେହିପରି ୪୪.୩ ଡିଗ୍ରୀ ସହ ବୌଦ୍ଧ ପାଲଟିଛି ସର୍ବାଧିକ ଉତ୍ତପ୍ତ ସହର । ଏହା ତଳକୁ ରହିଛି ବାରିପଦା । ଆଜି ଏଠାରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୪.୨ ଡିଗ୍ରୀ ରେକର୍ଡ କରାଯାଇଥିବା ସୂଚନା ଦେଇଛି ପାଣିପାଗ ବିଭାଗ । ଏହାପରକୁ ଝାରସୁଗୁଡ଼ାରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୩.୮ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଅନୁଗୋଳରେ ୪୩.୭, ଟିଟିଲାଗଡ଼ରେ ୪୩.୫, ବଲାଙ୍ଗିରରେ ୪୩, ଭବାନୀପାଟଣାରେ ୪୩, ମାଲକାନଗିରିରେ ୪୩, ନୂଆପଡ଼ାରେ ୪୩ ଓ ନୟାଗଡ଼ରେ ୪୩ ଡିଗ୍ରୀ ରହିଛି ।

ସେହିପରି ତାଳଚେରର ତାପମାତ୍ରା ୪୨.୮ ଡିଗ୍ରୀ ରେକର୍ଡ ହୋଇଥିବାବେଳେ କଟକରେ ୪୨.୭, ସମ୍ବଲପୁରରେ ୪୨.୫, ସୁନ୍ଦରଗଡ଼ରେ ୪୨.୫, ରାଉରକେଲାରେ ୪୨.୪, ଚାନ୍ଦବାଲିରେ ୪୨.୨, ପାରଳାଖେମୁଣ୍ଡିରେ ୪୨.୨, କେନ୍ଦୁଝରରେ ୪୨.୨, ହୀରାକୁଦରେ ୪୨.୧ ଓ ଢେଙ୍କାନାଳରେ ୪୨.୫ ଡିଗ୍ରୀ ହୋଇଛି । ଏଥିସହ ଚଳିତ ଏପ୍ରିଲରେ ୭ ଦିନ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇସାରିଛି ।

ଆଗାମୀ ୨୪ ଘଣ୍ଟା ମଧ୍ୟରେ ଦିନ ତାପମାତ୍ରା ରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନଥିବା ବେଳେ ପରବର୍ତ୍ତୀ ୩ ଦିନ ମଧ୍ୟରେ ପଶ୍ଚିମା-ଝଡ ଦ୍ୱାରା ପ୍ରଶମିତ କାଳବୈଶାଖୀ ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରା ୨ ରୁ ୩ ଡ଼ିଗ୍ରୀ ଯାଏଁ ହ୍ରାସ ଘଟିବାରେ ସମ୍ଭାବନା ରହିଛି ।

ଯାହାର ପ୍ରଭାବରେ ୨୧ ରୁ ୨୪ ଅପ୍ରେଲ ମଧ୍ୟରେ ରାଜ୍ୟରେ ତାତିରୁ ସାମୟିକ ଆଶ୍ବସ୍ତି ମିଳିବାର ସମ୍ଭାବନା ରହିଥିବା ବେଳେ, ୨୫ ତାରିଖ ପରଠାରୁ ପୁଣି ଶୁଷ୍କ ବାୟୁର ପ୍ରଭାବ ବୃଦ୍ଧି ସହ ରାଜ୍ୟର ତାପମାତ୍ରା ବୃଦ୍ଧି ଘଟି ଏପ୍ରିଲ ଶେଷ ଆଡକୁ ଗ୍ରୀଷ୍ମ ଲହରୀ ସହ କିଛି ଅଞ୍ଚଳରେ ଉଷ୍ମ ଆଦ୍ର ପାଣିପାଗ ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି ।

Comments are closed.