ଭୁବନେଶ୍ବର: ଜନତାଙ୍କ ସାମନାକୁ କେମିତି ଆସନ୍ତି ନେତା ? କାହାକୁ ପସନ୍ଦ କେମିତି ଡ୍ରେସ୍ ? କାହାକୁ କୁର୍ତ୍ତା ପାଇଜାମା ପସନ୍ଦ ତ କିଏ ପିନ୍ଧନ୍ତି ଧୋତି ପଞ୍ଜାବୀ । ଦିନକୁ ଦିନ ଧୋତିପିନ୍ଧା ନେତାଙ୍କ ସଂଖ୍ୟା କମିଲାଣି। ଅନେକ ଯୁବ ନେତା ଏବେ ମଇଦାନରେ ପ୍ୟାଣ୍ଟ ସାର୍ଟ ପିନ୍ଧିଲେଣି । ନେତ୍ରୀ ବି ପ୍ରାୟ ଶାଢୀ ପିନ୍ଧୁଥିବା ବେଳେ କିଛି ଡ୍ରେସ ପିନ୍ଧି ପ୍ରଚାରକୁ ଆସୁଛନ୍ତି। ଜନତାଙ୍କ ଆଖିରେ ନେତାଙ୍କର ସ୍ବତନ୍ତ୍ର ଇମେଜ୍ ରହିଥିବା ବେଳେ ସେମାନଙ୍କ ପୋଷାକ ପାଲଟିଥାଏ ଟ୍ରେଡ୍ ମାର୍କ।…
କେବେ କୁର୍ତ୍ତା କେବେ ଲୁଙ୍ଗି
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଧିକାଂଶ ସମୟରେ ଧଳାକୁର୍ତ୍ତା ପାଇଜାମା ଓ ହାୱାଇ ଚପଲରେ ଦେଖିବାକୁ ମିଳେ । ବିଧାନସଭା ହେଉ କି ନିର୍ବାଚନୀ ପ୍ରଚାର, ନବୀନ କୁର୍ତ୍ତା ପାଇଜାମା ହିଁ ପିନ୍ଧିବାକୁ ପସନ୍ଦ କରନ୍ତି । ତେବେ ଘରେ ଥିଲେ ଲୁଙ୍ଗି ତାଙ୍କର ପ୍ରିୟ । ନିକଟରେ ରାଜ୍ୟ ରାଜନୀତିରେ ଲୁଙ୍ଗିକୁ ନେଇ ଝଡ ହୋଇଥିଲା । ତାମିଲ ଲୁଙ୍ଗି ବନାମ ସମ୍ବଲପୁରୀ ଲୁଙ୍ଗିକୁ ନେଇ ମୁହାଁମୁହିଁ ହୋଇଥିଲେ ବିଜେପି ଓ ବିଜେଡି । ତେବେ ଅନେକ ସମୟରେ କୁର୍ତ୍ତା ପାଇଜାମା ଛାଡି ଟିସର୍ଟରେ ବି ନଜର ଆସିଛନ୍ତି ନବୀନ । ୫ବର୍ଷ ତଳେ ଧୁସର ରଙ୍ଗର ପ୍ୟାଣ୍ଟ ସହ କଳା ଟିସର୍ଟରେ ନବୀନଙ୍କ ଜିମ୍ ଭିଡିଓ ଭାଇରାଲ୍ ହୋଇଥିଲା । ସେହିପରି ହକିକୁ ପ୍ରମୋଟ କରିବା ଅବସରରେ ମଧ୍ୟ ଟ୍ରାକ ପ୍ୟାଣ୍ଟ ଟିସର୍ଟରେ ନଜର ଆସିଛନ୍ତି ନବୀନ ।
ଧର୍ମେନ୍ଦ୍ରଙ୍କ ନିଆରା ଷ୍ଟାଇଲ୍
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାଧାରଣତଃ କୁର୍ତ୍ତା ପାଇଜାମାରେ ନଜର ଆସନ୍ତି । ତେବେ ତାଙ୍କ ଟ୍ରେଡ୍ ମାର୍କ ଷ୍ଟାଇଲ୍ ହେଉଛି ଗାମୁଛା ବା ଉତ୍ତରୀୟ । ଅଧିକାଂଶ ସମୟରେ ଧର୍ମେନ୍ଦ୍ରଙ୍କ ଗଳାରେ ଉତ୍ତରୀୟ ରହିଥାଏ। ଚବିଶ ନିର୍ବାଚନରେ ସମ୍ବଲପୁରରୁ ଲୋକସଭା ଲଢେଇ ଲଢୁଛନ୍ତି ଧର୍ମେନ୍ଦ୍ର । ସେଥିପାଇଁ ପ୍ରଚାର ବେଳେ ଅନେକ ସମୟରେ ତାଙ୍କୁ ସମ୍ବଲପୁରୀ କୁର୍ତ୍ତାରେ ଦେଖିବାକୁ ମିଳୁଛି । ତେବେ ବିଭିନ୍ନ ଟିଭି ଶୋ ଓ ସଂସଦରେ ଧର୍ମେନ୍ଦ୍ର କୁର୍ତା ପାଇଜାମା ସାଙ୍ଗକୁ ମୋଦି ଜ୍ୟାକେଟରେ ନଜର ଆସିଛନ୍ତି ।
ହଜିଗଲେଣି ଧୋତି ପିନ୍ଧା ନେତା
ଦିନେ ଧୋତି କୁର୍ତ୍ତା ଥିଲା ରାଜନେତାଙ୍କ ପରିଚୟ। ହେଲେ ସମୟ ବଦଳିବା ସହ ବଦଳିଲାଣି ବେଶଭୂଷା । ଧୋତି ପିନ୍ଧା ନେତାଙ୍କ ସଂଖ୍ୟା କମିଗଲାଣି । ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଧୋତି ପିନ୍ଧୁଥିଲେ । ଏବେ ନରସିଂହ ମିଶ୍ର, ଅନନ୍ତ ଦାସ, ନିତ୍ୟାନନ୍ଦ ସାହୁ, ପ୍ରଫୁଲ୍ଲ ଘଡେଇଙ୍କ ପରି ନେତା ହିଁ ଧୋତି ପିନ୍ଧୁଛନ୍ତି । ଜାନକୀ ବଲ୍ଲଭ ପଟ୍ଟନାୟକ ଟସର କୁର୍ତା ଓ ହେମାନନ୍ଦ ବିଶ୍ବାଳଙ୍କର ସୂତା କୁର୍ତ୍ତା ପସନ୍ଦ ଥିଲା ।
ପ୍ୟାଣ୍ଟ ସାର୍ଟ ପିନ୍ଧା ନେତା
ପାରମ୍ପରିକ ଧୋତି ପଞ୍ଜାବୀ କି କୁର୍ତ୍ତା ପାଇଜାମାକୁ ଅନେକ ଯୁବ ନେତା ପସନ୍ଦ କରୁନାହାନ୍ତି। ପ୍ରଶାସକରୁ ନେତା ବନିଥିବା ଭିକେ ପାଣ୍ଡିଆନଙ୍କ ଟ୍ରେଡ ମାର୍କ ସାଜିଛି ଖାକି ପ୍ୟାଣ୍ଟ ସାଙ୍ଗକୁ ଧଳା ସାର୍ଟ । ସେହିପରି ପ୍ୟାଣ୍ଟ ସାର୍ଟରେ ହିଁ ନଜର ଆସନ୍ତି ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ। ସମ୍ବଲପୁର ଲୋକସଭା ଲଢୁଥିବା ବବି ନାମାଙ୍କନ ଦାଖଲ ବେଳେ ସମ୍ବଲପୁରୀ ଡ୍ରେସରେ ନଜର ଆସିଥିଲେ। ସେହିପରି ପାରଳାଖେମୁଣ୍ଡିରୁ ନିର୍ବାଚନ ଲଢୁଥିବା କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ବି ସାର୍ଟ ପ୍ୟାଣ୍ଟ ପିନ୍ଧିବାକୁ ପସନ୍ଦ କରନ୍ତି । ପ୍ରଶାସକରୁ ନେତା ହୋଇଥିଲେ ବି ବିଜୟଙ୍କର ବଦଳିନି ପୋଷାକ ।
ନେତ୍ରୀଙ୍କୁ ପସନ୍ଦ ଶାଢୀ ସଲଓ୍ବାର
ରାଜ୍ୟରେ ନେତାଙ୍କୁ କୁର୍ତ୍ତା ପାଇଜାମାରେ ଅଧିକାଂଶ ସମୟରେ ଦେଖିବାକୁ ମିଳୁଥିବା ବେଳେ ନେତ୍ରୀଙ୍କ ପସନ୍ଦ ଶାଢୀ । ଅପରାଜିତା ଷଡଙ୍ଗୀ ହୁଅନ୍ତୁ କି ଲେଖାଶ୍ରୀ ସାମନ୍ତସିଂହାର, ସ୍ନେହାଙ୍ଗିନୀ ଛୁରିଆ ହୁଅନ୍ତୁ କି ବର୍ଷା ସିଂ ବରିହା । ନେତ୍ରୀଙ୍କୁ ପାରମ୍ପରିକ ଶାଢୀରେ ଅଧିକାଂଶ ସମୟ ଦେଖିବାକୁ ମିଳେ । ଅବସର ହିସାବରେ ବଦଳୁଛି ଶାଢୀର ପ୍ରକାର । ତେବେ ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀଙ୍କ ଝିଅ ସୁଲକ୍ଷଣା ଗୀତାଞ୍ଜଳି ଓ ଦୀପାଳି ଦାସଙ୍କ ପରି ଯୁବ ନେତ୍ରୀ ସଲଓ୍ବାର ସୁଟ ପିନ୍ଧିବାକୁ ବେଶୀ ପସନ୍ଦ କରୁଛନ୍ତି ।
କେବଳ ପୋଷାକ ନୁହେଁ ଜୋତା ଓ ଚଷମାର ଫ୍ୟାସନ ଟ୍ରେଣ୍ଡ ବି ରାଜନେତାଙ୍କ ପାଖରେ ଦେଖିବାକୁ ମିଳେ । ନବୀନ ପଟ୍ଟନାୟକ କୋହ୍ଲାପୁରୀ କିମ୍ବା ହାଓ୍ବାଇ ଚପଲ ପିନ୍ଧନ୍ତି ତ ଭିକେ ପାଣ୍ଡିଆନ୍ ସାଣ୍ଡାଲ ପିନ୍ଧନ୍ତି । ଅଧିକାଂଶ ନେତ୍ରୀ ସାଣ୍ଡଲ ପିନ୍ଧିବାକୁ ପସନ୍ଦ କରନ୍ତି । ତେବେ ଅପରାଜିତା ଷଡଙ୍ଗୀଙ୍କୁ ସ୍ପୋର୍ଟସ ସୁରେ ବି ଦେଖିବାକୁ ମିଳେ । ସୁରଙ୍କ ବଡପୁଅ ସିଦ୍ଧାର୍ଥ ରାଉତରାୟ ମୁଣ୍ଡରେ ଟୋପି ଲଗାଉଛନ୍ତି ତ ତାରାପ୍ରସାଦ ବାହିନୀପତିଙ୍କ ଗଗଲ୍ସ ଲୁକ୍ ବେଶ୍ ଜଣାଶୁଣା । ସେହିପରି ସନ୍ତୋଷ ସିଂ ସାଲୁଜାଙ୍କ ମୁଣ୍ଡରେ ପଗଡି ଦେଖିବାକୁ ମିଳେ । ସମୟ ସହ ବଦଳୁଛି ନେତାଙ୍କ ପୋଷାକ, ବଦଳୁଛି ଜନତାଙ୍କ ଗ୍ରହଣୀୟତା ।
Comments are closed.