Latest Odisha News

ନିର୍ବାଚନ ରଣଭୂମିରେ ମୁହାଁମୁହିଁ: ଫଳାଫଳ ପରେ ରହିଛି କି ପ୍ୟାଚ୍-ଅପ ସମ୍ଭାବନା ?

ଭୁବନେଶ୍ୱର: ନିର୍ବାଚନ ରଣଭୂମିରେ ମୁହାଁମୁହିଁ । ଆରୋପ-ପ୍ରତ୍ୟାରୋପ, କଥା କଟାକଟି। ଜନତାଙ୍କ ଆଗରେ ପରସ୍ପର ବିରୋଧରେ ବିଷ ଓଗାଳୁଛନ୍ତି ବିଜେଡି ଓ ବିଜେପି ନେତା । ହେଲେ ଫଳାଫଳ ଘୋଷଣା ପରେ ରହିଛି କି ପ୍ୟାଚ୍-ଅପ ସମ୍ଭାବନା ? ଉଭୟ ଦଳ ଭିତରେ ରହିଛି କି ଭିତିରି ବୁଝାମଣା ? ମେଣ୍ଟ ନକରି ବି ଏକାଠି ଅଛନ୍ତି କି ଦୁଇ ଦଳ ? ବିଜେପିର ଅଫିସିଆଲ୍ ଆକାଉଣ୍ଟରୁ ଗୁରୁବାର କରାଯାଇଥିବା ପୋଷ୍ଟ ବଢାଇଛି ସନ୍ଦେହ।

ଗୁରୁବାର ସଂଧ୍ୟାର ଏକ ପୋଷ୍ଟଟି ସୋସିଆଲ ମିଡିଆ ଏକ୍ସରେ ବିଜେପିର ଅଫିସିଆଲ ଆକାଉଣ୍ଟରୁ କରାଯାଇଛି । ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପୋଷ୍ଟରେ କୋଟ୍ କରାଯାଇଛି। ଏଥିରେ ସମ୍ବିଧାନ ପରିବର୍ତ୍ତନ ନେଇ କଂଗ୍ରେସର ଟାର୍ଗେଟକୁ କାଉଣ୍ଟର କରିଛି ବିଜେପି । ଲେଖିଛି, ଏନଡିଏ ପାଖରେ ଏବେ ପାଖାପାଖି ୩୬୦ ସିଟ୍ । ଏନଡିଏରେ ନଥିବା ବିଜେଡିର ସିଟକୁ ମିଶାଇଲେ ପାଖାପାଖି ୪ ଶହ ସିଟ୍ ହେବ। ଏବେବି ପାଖରେ ପ୍ରାୟ ୪ଶହ ସିଟ୍ ରହିଛି । ତେଣୁ ଆଗକୁ ବିଜେପି ସମ୍ବିଧାନ ବଦଳାଇବା ନେଇ କଂଗ୍ରେସ କରୁଥିବା ପ୍ରଚାର ମିଛ । ଏପରିକି ସମ୍ବିଧାନର ପବିତ୍ରତା ଉପରେ ବିଶ୍ବାନ ନକରିବାରେ କଂଗ୍ରେସର ଇତିହାସ ରହିଛି ବୋଲି ବିଜେପି ଉଲ୍ଲେଖ କରିଛି ।

ଏନଡିଏରେ ନାହିଁ କିନ୍ତୁ ଅଛି ବିଜେଡି !
ଚଳିତ ନିର୍ବାଚନ ପୂର୍ବରୁ ରାଜ୍ୟରେ ବିଜେଡି-ବିଜେପି ମେଣ୍ଟ ନେଇ ଜୋରଦାର ଚର୍ଚ୍ଚା ହୋଇଥିଲା । ଆସନ ବୁଝାମଣାରୁ ବିଜେପି ରାଜ୍ୟ ନେତୃତ୍ବଙ୍କ ବିରୋଧ ପରେ ମେଣ୍ଟ ହୋଇ ପାରିଲାନି । ଏପରିକି ରାଜ୍ୟର ବିଭିନ୍ନ ସିଟରେ ବିଜେଡି ଓ ବିଜେପି ମଧ୍ୟରେ ସିଧା ମୁକାବିଲା ହେଉଛି । ଏଭଳି ସ୍ଥିତିରେ କେମିତି ଏନଡିଏରେ ସାମିଲ ନଥିବା ବିଜେଡିର ସଂଖ୍ୟା ମିଶାଇ ଅଙ୍କ କଷୁଛି ବିଜେପି ? ବିଜେପିର ଏହି ଟ୍ବିଟ୍ ପଛରେ କଣ ରହିଛି ରହସ୍ୟ? ବାହାରକୁ ବିରୋଧୀ ଦିଶୁଥିବା ବିଜେଡି ଓ ବିଜେପି ମଧ୍ୟରେ ରହିଛି କି ଭିତିରିଆ ବୁଝାମଣା ?

ହଁ କଲେନି କି ନା କଲେନି
ଓଡିଆ ଗଣମାଧ୍ୟମକୁ ସାକ୍ଷାତକାରରେ ମେଣ୍ଟ ନେଇ ଝୁଲା ଉତ୍ତର ରଖିଛନ୍ତି ବିଜେଡିର ନମ୍ବର-ଟୁ ନେତା ଭିକେ ପାଣ୍ଡିଆନ୍ । ନିର୍ବାଚନ ପରେ ବିଜେଡି ଓ ବିଜେପି ମଧ୍ୟରେ ମେଣ୍ଟ ସମ୍ଭାବନା ରହିଛି କି? ଏପ୍ରଶ୍ନର ସିଧାସଳଖ ଉତ୍ତର ଦେଇନାହାନ୍ତି ପାଣ୍ଡିଆନ୍ । ନା ହଁ କରିଛନ୍ତି ନା ମନା କରିଛନ୍ତି । ଏବେ ଅଧିକ ସିଟ୍ ଜିତିବା ଉପରେ ଦଳ ଫୋକସ କରୁଥିବା କହି ପ୍ରଶ୍ନକୁ ଏଡାଇ ଯାଇଛନ୍ତି । କିନ୍ତୁ ମେଣ୍ଟକୁ ନେଇ ଛାଡି ଯାଇଛନ୍ତି ଅନେକ ପ୍ରଶ୍ନ? ରାଜ୍ୟ ବିଜେପିକୁ କଥା କଥାରେ ଜବାବ ଦେଉଥିବା ବିଜେଡି, ମୋଦି, ଶାହାଙ୍କୁ ସିଧାସଳଖ କାଉଣ୍ଟର କରୁନାହିଁ। ରାଜ୍ୟ ନିର୍ବାଚନ ଅଧିକାରୀ ହୁଅନ୍ତୁ କି ଗଣମାଧ୍ୟମ, ରାଜ୍ୟ ବିଜେପିକୁ ହିଁ ସବୁବେଳେ ଟାର୍ଗେଟ୍ କରିଆସିଛି ବିଜେଡି । କେବେବି କେନ୍ଦ୍ରୀୟ ବିଜେପିକୁ ପଦେ କହିନି ଦଳ । ଏପରିକି ବିଜେଡିର ପ୍ରାର୍ଥୀ ଚୟନକୁ ନେଇ ବି ବିଭିନ୍ନ ସମୟରେ ପ୍ରଶ୍ନ ଉଠୁଛି।

ବିଜେଡି ବିଜେପି ଏକାଠି ନା ଏକା ଏକା ? ନିର୍ବାଚନ ପରେ ରହିଛି କି ମେଣ୍ଟ ସମ୍ଭାବନା? ନା ସଂଖ୍ୟା ହିସାବ ଦେଖି ନିଆଯିବ ନିଷ୍ପତ୍ତି ? ଏନଡିଏର ସହଯୋଗୀ ଦଳ ହୋଇନଥିଲେ ବି କାହିଁକି ବିଜେଡି ଉପରେ ବିଜେପିର ଏତେ ଭରସା? ରାଜ୍ୟ ବିଜେପିକୁ କଡା କାଉଣ୍ଟର କରୁଥିବା ଭିକେ ପାଣ୍ଡିଆନ୍ କାହିଁକି ଏଡାଇ ଯାଉଛନ୍ତି ନିର୍ବାଚନ ପରବର୍ତ୍ତୀ ମେଣ୍ଟ ପ୍ରଶ୍ନ ? ମେଣ୍ଟ ନେଇ ରହିଛି କି ଭିତିରି ବୁଝାମଣା?

Comments are closed.