Latest Odisha News

BREAKING NEWS

କେଜ୍ରିୱାଲଙ୍କୁ ଶାହାଙ୍କ କଡା ଜବାବ୍, କହିଲେ ବିଜେପିର ସମ୍ବିଧାନରେ ଲେଖାହୋଇନି ମୋଦୀଙ୍କ ପ୍ରଧାନମନ୍ତ୍ରୀ ହେବା କଥା

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିଜେପିକୁ ଟାର୍ଗେଟ କରି ଦେଇଥିବା ଭବିଷ୍ୟବାଣୀକୁ ନେଇ ଜବାବ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ତେଲେଙ୍ଗାନାର ହାଇଦ୍ରାବାଦରେ ଏକ ସମ୍ବାଦିକ ସମ୍ମିଳନୀ କରି ଅରବିନ୍ଦ କେଜ୍ରିୱାଲଙ୍କୁ ଟାର୍ଗେଟ କରିଛନ୍ତି ଶାହା ।

ଅମିତ ଶାହା କହିଛନ୍ତି ଯେ, ମୁଁ ଅରବିନ୍ଦ କେଜ୍ରିୱାଲ ଏବଂ ଇଣ୍ଡିଆ ମେଣ୍ଟକୁ କହି ରଖୁଛି ଯେ ମୋଦୀଙ୍କୁ ୭୫ ବର୍ଷ ହେବାକୁ ନେଇ ଆପଣଙ୍କୁ ଆନନ୍ଦିତ ହେବାର କୌଣସି ଆବଶ୍ୟକତା ନାହିଁ । ବିଜେପିର ସମ୍ବିଧାନରେ କେଉଁଠି ବି ଲେଖାହେଇନି ଯେ ମୋଦୀ ପ୍ରଧାନମନ୍ତ୍ରୀ ହେବେ ନାହିଁ । ମୋଦୀ ପୁଣି ଥରେ ପ୍ରଧାନମନ୍ତ୍ରୀ ହେବେ ଏବଂ ନିଜ କାର୍ଯ୍ୟକାଳ ପୂରା କରିବେ । ମୋଦୀ ହିଁ ଦେଶର ଆଗାମୀ ପ୍ରଧାନମନ୍ତ୍ରୀ ହେବା ସହିତ ଦେଶର ନେତୃତ୍ୱ ନେବେ ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ।

ଅମିତ ଶାହା ଆହୁରି ମଧ୍ୟ କହିଛନ୍ତି ଯେ, ଆମେ କେବେ ବି ପାକିସ୍ତାନ ଦଖଲ କରିଥିବା କାଶ୍ମୀର ପିଓକେ ଉପରେ ଆମର ଅଧିକାର ସାବ୍ୟସ୍ତ କରିବା ଛାଡିବୁ ନାହିଁ । ପିଓକେ ଆମର ଭାଗ । ନିର୍ବାଚନକୁ ନେଇ ଅମିତ ଶାହା କହିଛନ୍ତି ଯେ, ଗତ ତିନୋଟି ପର୍ଯ୍ୟାୟର ଆନୁମାନିକ ଫଳାଫଳରୁ ଜଣା ପଡୁଛି ଯେ ଏନଡିଏ ୨୦୦ ଆସନରୁ ଅଧିକ ଜିତି ସାରିଛି । ବର୍ତ୍ତମାନ ଆମେ ଚତୁର୍ଥ ପର୍ଯ୍ୟାୟରେ, ଏବଂ ଏଥର ମଧ୍ୟ ଆମକୁ ବିପୁଳ ପରିମାଣର ସମର୍ଥନ ମିଳିବ । ଦକ୍ଷିଣର ଅଧିକାଂଶ ଅଞ୍ଚଳରେ ଆମର ସବୁଠୁ ବଡ ଦଳ ହେବ ଓ ତେଲେଙ୍ଗାନାରେ ଆମେ ୧୦ ରୁ ଅଧିକ ଆସନରେ ବିଜୟ ଲାଭ କରିବୁ । ଖୁବ ଦ୍ରୁତ ବେଗରେ ଆମେ ୪୦୦ ଆସନ ପାଖକୁ ଗତି କରୁଛୁ ବୋଲି କହିଛନ୍ତି ଶାହା ।

Comments are closed.