Latest Odisha News

ନ୍ୟୁଜ୍ କ୍ଲିକ୍ ପ୍ରତିଷ୍ଠାତା ପ୍ରବୀର ପୁରକାୟାସ୍ତାଙ୍କ ଗିରଫଦାରୀକୁ ‌ଅବୈଧ ଘୋଷଣା କଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (UAPA) ମାମଲାରେ ଗିରଫ ହୋଇଥିବା ନ୍ୟୁଜ୍ କ୍ଲିକ୍ ପ୍ରତିଷ୍ଠାତା ପ୍ରବୀର ପୁରକାୟାସ୍ତାଙ୍କୁ ତୁରନ୍ତ ମୁକ୍ତ କରିବାକୁ ନିର୍ଦ୍ଦେଶ ସୁପ୍ରିମକୋର୍ଟ ଦେଇଛନ୍ତି। ତାଙ୍କ ଗିରଫଦାରୀ ଏବଂ ପରବର୍ତ୍ତୀ ରିମାଣ୍ଡ ଅବୈଧ ଅଟେ। ରିମାଣ୍ଡ ଆବେଦନ ପରେ ଜଷ୍ଟିସ ବି.ଆର ଗାଭି ଏବଂ ଜଷ୍ଟିସ ସନ୍ଦୀପ ମେହେଟ୍ଟାଙ୍କ ଏକ ବେଞ୍ଚ ମାମଲାର ଶୁଣାଣି କରି ତାଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ସମ୍ପାଦନକ ଦିଲ୍ଲୀ ପୋଲିସର ଗିରଫକୁ ଚ୍ୟାଲେଞ୍ଜ କରି ଆବେଦନ କରିଥିଲେ।

ତେବେ ଦିଲ୍ଲୀ ପୋଲିସ ଏହି ମାମଲାରେ ଏକ ଚାର୍ଜସିଟ୍ ଦାଖଲ କରିଥିବାରୁ ଟ୍ରାଏଲ କୋର୍ଟ ଦ୍ୱାରା ସ୍ଥିର ହେବାକୁ ଥିବା ସର୍ତ୍ତ ଅନୁଯାୟୀ ପ୍ରବୀର ପୁରକାୟାସ୍ତାଙ୍କୁ ଜାମିନରେ ମୁକ୍ତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ୍ ବି.ଆର ଗାଭାଇ ଏବଂ ସନ୍ଦୀପ ମେହେଟ୍ଟାଙ୍କ ଏକ ଖଣ୍ଡପୀଠ କହିଛନ୍ତି ଯେ ରିମାଣ୍ଡ କପି ପ୍ରଦାନ କରାଯାଇ ନାହିଁ, ଯାହା ଏହି ଗିରଫଦାରୀକୁ ବିକୃତ କରୁଛି। ସେଥିପାଇଁ ଗିରଫଦାଦୀକୁ ‘ଶୂନ୍ୟ ’ ବୋଲି ବିବେଚନା କରାଗଲା।

ଉଲ୍ଲେଖଯୋଗ୍ୟ, ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ଗତ ବର୍ଷ ପ୍ରବୀର ପୁରକାୟାସ୍ତା ଏବଂ ଏଚଆର ମୁଖ୍ୟ ଅମିତ ଚକ୍ରବର୍ତ୍ତୀଙ୍କୁ “ଭାରତର ସାର୍ବଭୌମତ୍ୱକୁ ଭଣ୍ଡୁର କରିବା” ତଥା ଦେଶ ପ୍ରତି ଅସନ୍ତୋଷ ସୃଷ୍ଟି କରିବା, ଆତଙ୍କବାଦ ନିରୋଧୀ ଅଭିଯୋଗରେ ଗିରଫ କରିଥିଲା। ଏଫ୍ଆଇଆର୍ ଅନୁଯାୟୀ, ଚୀନ୍‌ ସହିତ ସମ୍ପର୍କ ଥିବା ସଙ୍ଗଠନ ସହିତ ଯୋଗାଯୋଗ କରି ଚୀନ୍‌ର ପ୍ରଚାର ପ୍ରସାରଣ କରିବା ଲାଗି ଅର୍ଥ ଗ୍ରହଣ କରୁଥିବା ଅଭିଯୋଗରେ ‘ନ୍ୟୁଜ କ୍ଲିକ’ ଆତଙ୍କବାଦ ନିରୋଧୀ ଆଇନ ‘ୟୁଏପିଏ’ ତଦନ୍ତର ସମ୍ମୁଖୀନ ହୋଇଥିଲା। ‘ନ୍ୟୁଜ କ୍ଲିକ’ କୋଟି କୋଟି ଟଙ୍କା ଗ୍ରହଣ କରିଥିବା ଅଭିଯୋଗ ହୋଇଥିଲା।

ଜାମିନ ବଣ୍ଡ ପ୍ରଦାନ ଉପରେ ଟ୍ରାଏଲ କୋର୍ଟର ସନ୍ତୁଷ୍ଟତା ଆଧାରରେ ସମ୍ପାଦକଙ୍କୁ ମୁକ୍ତ କରାଯିବ ବୋଲି କୋର୍ଟ କହିଛନ୍ତି। ଗତ ବର୍ଷ ୟୁଏପିଏ ଅଧୀନରେ ଦିଲ୍ଲୀ ପୁଲିସ ଦ୍ୱାରା ଗିରଫ ହୋଇଥିବା ପୁରକାୟାସ୍ତାଙ୍କ ଗିରଫଦାରୀ ଓ ରିମାଣ୍ଡକୁ ସୁପ୍ରିମକୋର୍ଟ ଅବୈଧ ଘୋଷଣା କରିଛନ୍ତି। ଏହି ମାମଲାରେ ଚାର୍ଜସିଟ ଦାଖଲ ହେବା ପରଠାରୁ ସୁପ୍ରିମକୋର୍ଟ ତାଙ୍କୁ ତୁରନ୍ତ ଜାମିନରେ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ସର୍ବୋଚ୍ଚ ନ୍ୟାୟାଳୟ ଆହୁରି ବି କହିଛନ୍ତି ଯେ ଜାମିନ ପ୍ରଦାନ ପାଇଁ କ’ଣ ସର୍ତ୍ତ ରହିବ ତାହା ଟ୍ରାଏଲ କୋର୍ଟ ସ୍ଥିର କରିବେ।

Comments are closed.