Latest Odisha News

ବିବାଦୀୟ ନେତା ସମୀର ଦାଶ ବଦଳାଇଲେ ଦଳ, ମୋଦୀଙ୍କୁ ରୋଡ୍ ଶୋ ପୂର୍ବରୁ ବିଜେପିକୁ ଲାଭ ନା କ୍ଷତି?

ଭୁବନେଶ୍ୱର: ନିମାପଡା ବିଧାୟକ ସମୀର ରଞ୍ଜନ ଦାଶ ଶେଷରେ ବିଜେପିରେ ସାମିଲ ହୋଇଛନ୍ତି। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସଭାପତି ସମୀର ମହାନ୍ତି ଏବଂ ପ୍ରଭାରୀଙ୍କ ଉପସ୍ଥିତିରେ ସେ ଏବଂ ତାଙ୍କ ସମର୍ଥକ ବିଜେପିରେ ସାମିଲ ହୋଇଛନ୍ତି। ବିଜୁ ଜନତା ଦଳ ତାଙ୍କୁ ଚଳିତଥର ଟିକେଟ୍ ଦେଇନଥିଲା। ତାଙ୍କ ସ୍ଥାନରେ ଦିଲ୍ଲୀପ ନାୟକଙ୍କୁ ବିଧାୟକ ପ୍ରାର୍ଥୀ କରିଛି ବିଜେଡି। ଏହାପରେ ସମୀର ଅସନ୍ତୁଷ୍ଟ ଥିଲେ। ବିଜେଡି ତାଙ୍କ ପିଠି ଥାପୁଡାଇବାକୁ ଯାଇ ଢେଙ୍କାନାଳ ଲୋକସଭା ଆସନର ପର୍ଯ୍ୟବେକ୍ଷକ କରିଥିଲା। ହେଲେ ସେ ଶେଷରେ ବିଜେପିରେ ସାମିଲ ହୋଇଛନ୍ତି।

କିନ୍ତୁ ଜଣେ ବିବାଦୀୟ ନେତା ତଥା ହତ୍ୟା ମାମଲାରେ ସଂଶ୍ଳିଷ୍ଟ ଥିବା ନେତା ବିଜେପିରେ ସାମିଲ ହେବା ଦଳକୁ କେତେ ଫାଇଦା ଦେବ ତାହା ଏବେ ଆଲୋଚନାର ବିଷୟ। ଆଜି ପ୍ରଧାନମନ୍ତ୍ରୀ ଓଡ଼ିଶା ଆସୁଛନ୍ତି। ଆସନ୍ତାକାଲି ପୁରୀରେ ରୋଡ୍ ଶୋ କରିବେ ଦଳୀୟ ପ୍ରାର୍ଥୀଙ୍କ ପାଇଁ। ଏହାପୂର୍ବରୁ ସମୀର ଦାଶଙ୍କ ଭଳି ବିବାଦୀୟ ନେତା ବିଜେପିରେ ସାମିଲ ହେବା ପରେ ନିମାପଡାରେ ଦଳକୁ ଏହା କେତେ ଲାଭ ହେବ ତାହା ଏବେ ପ୍ରଶ୍ନବାଚୀ।

ନିମାପଡାରେ ଦୀର୍ଘ ଦିନରୁ ସମୀର ଦାଶ ବିଧାୟକ ଭାବେ ଜିତି ଆସୁଥିଲେ। ସେ ମନ୍ତ୍ରୀ ମଧ୍ୟ ଥିଲେ। କିନ୍ତୁ ଏକ ହତ୍ୟା ମାମଲାରେ ଯୋଡ଼ି ହୋଇଯିବା ପରେ ସେ ତାଙ୍କ ମନ୍ତ୍ରୀ ପଦ ହରାଇଥିଲେ। ବିରୋଧୀ ବିଜେପି ସେତେବେଳେ ଅନେକ ନାରାବାଜି କରି ସମୀରଙ୍କୁ ବିରୋଧ କରିଛି। ସମୀର ସେତେବେଳେ ଅନେକ ବୟାନବାଜି କରି ବିଜେପି ଉପରେ ବର୍ଷିଥିଲେ। କିନ୍ତୁ ଦୁନିଆରେ କିଛି ସ୍ଥାୟୀ ନୁହେଁ ନୀତିରେ ସମୀର ଦାଶ ଦଳ ବଦଳାଇଛନ୍ତି। ଯେଉଁ ଦଳ ସମୀରଙ୍କୁ ବିରୋଧ କରୁଥିଲା ସେଇ ଦଳ ତାଙ୍କୁ କୋଳେଇ ନେଇଛି।

ବଡ଼କଥା ହେଉଛି ସମୀରଙ୍କ ଟିକେଟ କାଟିବା ପରେ ଏବଂ ଦଳୀୟ ସମର୍ଥକଙ୍କୁ ନେଇ ବିଧାୟକ ଶକ୍ତି ପ୍ରଦର୍ଶନ କରିବା ପରେ ବିଜେଡିର ପୁରୀ ଜିଲ୍ଲା ପର୍ଯ୍ୟବେଷକ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଥିଲେ ସମୀରଙ୍କ ବିରୋଧରେ ଅନେକ ମାମଲା ରହିଛି। ଯାହାର କାଗଜପତ୍ର ଦେଖିବା ପରେ ଦଳର ସୁପ୍ରିମୋ ତାଙ୍କ ଟିକେଟ୍ କାଟିଛନ୍ତି। ଯଦି ଟିକେଟ ଦିଆଯାଇ ଥାନ୍ତା ତାହେଲେ ଦଳ ଆଗାମୀ ଦିନରେ ଅଡୁଆରେ ପଡିଥାନ୍ତା। ଏପରି ସ୍ଥିତିରେ ଆଗାମୀ ଦିନରେ ଯଦି ବିଜେଡି କ୍ଷମତାକୁ ଆସେ ତାହେଲେ ଖୋଲିବ କି ସମୀରଙ୍କ ପାପର ପେଡି?

ସେହିପରି ସମୀରଙ୍କ ବିରୋଧରେ ନିମାପଡାରେ ମଧ୍ୟ ଅସନ୍ତୋଷ ରହିଛି ବୋଲି କୁହାଯାଏ। ଏପରି ସ୍ଥିତିରେ ସେ ବିଜେପିରେ ସାମିଲ ହେବା ପରେ ଅସନ୍ତୋଷ ପ୍ରଶମିତ ହୋଇଯିବ କି? ଯାହା ବିଜେଡିକୁ ଅଡୁଆ ସୃଷ୍ଟି କରିବ ଏବଂ ବିଜେପିକୁ ଫାଇଦା ଦେବ?

Comments are closed.