Latest Odisha News

BREAKING NEWS

ପୁଣିଥରେ ମୁମ୍ବାଇ ଇଣ୍ଡିଆନ୍ସର କ୍ୟାପ୍ଟେନ୍ ହୋଇପାରନ୍ତି ରୋହିତ ଶର୍ମା, ଜାଣନ୍ତୁ କାରଣ

ମୁମ୍ବାଇ : ଆଇପିଏଲ୍ ୨୦୨୭ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିପାରେ ।  ରୋହିତ ଶର୍ମାଙ୍କୁ ପୁଣିଥରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ କରାଯାଇପାରେ । ତାଙ୍କ ନେତୃତ୍ୱରେ ଦଳ ୫ ଥର ଆଇପିଏଲ୍ ଟ୍ରଫି ଜିତିସାରିଛି । ରିପୋର୍ଟ ଅନୁଯାୟୀ, ଫ୍ରାଞ୍ଚାଇଜି ପୁଣିଥରେ ନିଜର ସବୁଠାରୁ ସଫଳ ଅଧିନାୟକ ରୋହିତ ଶର୍ମାଙ୍କୁ ଏହି ଗୁରୁ ଦାୟିତ୍ୱ ଦେବା ପାଇଁ ବିଚାର କରୁଛି । ରୋହିତ ନିଜ ନେତୃତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସକୁ ୫ଟି ଐତିହାସିକ ଆଇପିଏଲ୍ ଟାଇଟଲ୍ ଜିତାଇଥିଲେ, କିନ୍ତୁ ୨୦୨୪ ସିଜନ୍ ପୂର୍ବରୁ ଗୁଜରାଟ ଟାଇଟନ୍ସରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟ୍ରେଡ୍ କରି ରାତାରାତି ଦଳର ନୂଆ କ୍ୟାପ୍ଟେନ୍ କରାଯାଇଥିଲା । ହାର୍ଦ୍ଦିକ ପାଣ୍ଡ୍ୟା ୨୦୨୪ ରୁ ୨୦୨୬ ପର‌୍ୟ୍ୟନ୍ତ କ୍ରମାଗତ ତିନୋଟି ସିଜନ୍‌ରେ ଦଳର ଅଧିନାୟକ ରହିଥିଲେ, କିନ୍ତୁ ଏହି ସମୟ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ପଡ଼ିଆ ଭିତରେ ଏବଂ ବାହାରେ ବେଶ୍ ଉତ୍ଥାନ-ପତନପୂର୍ଣ୍ଣ ରହିଥିଲା । ପ୍ରଶଂସକଙ୍କ ବ୍ୟାପକ ଅସନ୍ତୋଷ ଏବଂ ଡ୍ରେସିଂ ରୁମ୍‌ର ମତଭେଦ ଖବର ପରେ ଏବେ ମ୍ୟାନେଜମେଣ୍ଟ ଅଧିନାୟକ ପଦରେ ବଡ଼ ପରିବର୍ତ୍ତନ କରିବା ମୁଡ୍‌ରେ ଥିବା ଜଣାପଡ଼ିଛି ।

ରିପୋର୍ଟ ଅନୁଯାୟୀ, ମ୍ୟାନେଜମେଣ୍ଟ ରୋହିତଙ୍କ ଉପରେ ପୂର୍ଣ୍ଣ ଭରସା  ପ୍ରକଟ କରିଛନ୍ତି । ଅଧିନାୟକ ପଦ ପାଇଁ ଭାରତର ଟି-୨୦ କ୍ୟାପ୍ଟେନ୍ ସୂର‌୍ୟ୍ୟକୁମାର ଯାଦବ ଏବଂ ଯୁବ ବ୍ୟାଟର ତିଳକ ବର୍ମାଙ୍କ ନାମ ମଧ୍ୟ ଦୌଡ଼ରେ ଥିଲା । ତଥାପି, ଫ୍ରାଞ୍ଚାଇଜିର ମୁଖ୍ୟ ପରିଚାଳନା କର୍ତ୍ତୃପକ୍ଷ ବିଶ୍ୱାସ କରନ୍ତି ଯେ ଦଳର ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ରୋହିତ ଶର୍ମା ହିଁ କ୍ୟାପ୍ଟେନ୍ସିର ପ୍ରକୃତ ହକ୍‌ଦାର । ଏହି କାରଣରୁ ରୋହିତଙ୍କୁ ପୁଣିଥରେ ଅଧିନାୟକ ଭାର ଦେବାକୁ ଯୋଜନା କରାଯାଉଛି । ଅଧିନାୟକ ପରିବର୍ତ୍ତନ ନେଇ ଆଲୋଚନା ଚାଲିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭବିଷ୍ୟତକୁ ନେଇ ମଧ୍ୟ ସସପେନ୍ସ ଗଭୀର ହୋଇଛି । କୁହାଯାଉଛି ଯେ ଆଇପିଏଲ୍ ୨୦୨୬ ପରେ ହାର୍ଦ୍ଦିକ ପାଣ୍ଡ୍ୟା ନିଜେ ଫ୍ରାଞ୍ଚାଇଜି ଛାଡ଼ିବାକୁ ଇଚ୍ଛା ପ୍ରକାଶ କରିଥିଲେ, ଯାହା ପରେ ମୁମ୍ବାଇ ତାଙ୍କୁ ଟ୍ରେଡ୍ କରିବା ପାଇଁ ଅନ୍ୟ ଦଳଗୁଡ଼ିକ ସହ ଯୋଗାଯୋଗ କରିଥିଲା । କ୍ରିକେଟ୍ ମହଲରେ ରୋହିତ ଶର୍ମା ଅଧିନାୟକ ଭାବେ ଫେରିବା ନେଇ ଜୋରଦାର ଆଲୋଚନା ଚାଲିଥିଲେ ବି, ମୁମ୍ବାଇ ଇଣ୍ଡିଆନ୍ସ ଫ୍ରାଞ୍ଚାଇଜି କିମ୍ବା ରୋହିତ ଶର୍ମାଙ୍କ ପକ୍ଷରୁ ଏପର‌୍ୟ୍ୟନ୍ତ କୌଣସି ଆନୁଷ୍ଠାନିକ ବୟାନ ଜାରି କରାଯାଇ ନାହିଁ ।

Leave A Reply

Your email address will not be published.