Latest Odisha News

କର୍ଣ୍ଣାଟକ ଯୌନ କେଳେଙ୍କାରୀ ମାମଲାରେ ଗିରଫ ହେଲେ ପୂର୍ବତନ ସାଂସଦ ପ୍ରଜ୍ବଳ ରେବନ୍ନା

ବେଙ୍ଗାଲୁରୁ: ଗିରଫ ହେଲେ ପୂର୍ବତନ ସାଂସଦ ପ୍ରଜ୍ବଳ ରେବନ୍ନା । ରେବନ୍ନାଙ୍କୁ ବେଙ୍ଗାଲୁରୁ ବିମାନବନ୍ଦରରୁ ସିଧାସଳଖ ଗିରଫ କରିଛି ଏସଆଇଟି ଟିମ୍ । ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍.ଡି ଦେବଗୌଡ଼ାଙ୍କ ନାତି ହେଉଛନ୍ତି ପ୍ରଜ୍ବଳ ରେବନ୍ନା । ଏକାଧିକ ଯୌନ ନିର୍ଯାତନା ମାମଲାରେ ପ୍ରଜ୍ବଳ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିଲା । ଏହାପରେ ଜେଡିଏସରୁ ନିଲମ୍ବିତ ହୋଇଥିଲେ ରେବନ୍ନା । ଶେଷରେ କୌଣସି ବିକଳ୍ପ ନପାଇ ଗିରଫ ଭୟରେ ଜର୍ମାନୀ ପଳାୟନ କରିଥିଲେ ପ୍ରଜ୍ବଳ ରେବନ୍ନା ।

ସୂଚନା ଅନୁସାରେ, କର୍ଣ୍ଣାଟକର ଚର୍ଚ୍ଚିତ ଯୌନ କେଳେଙ୍କାରୀ ମାମଲାର ଅଭିଯୁକ୍ତ ଏବଂ ଜେଡିଏସର ପୂର୍ବତନ ସାଂସଦ ପ୍ରଜ୍ବଳ ରେବାନ୍ନା ଆଜି ବେଙ୍ଗାଲୁରୁ ଫେରିଛନ୍ତି । ବେଙ୍ଗାଲୁରୁ ବିମାନବନ୍ଦରରେ ତାଙ୍କର ବିମାନ ଅବତରଣ କରିବା କ୍ଷଣି ତାଙ୍କୁ ଗିରଫ କରିଛି ଏସଆଇଟି ଟିମ । ତେବେ ପୂର୍ବରୁ ପ୍ରଜ୍ଜ୍ଵଳ ଜାରି କରିଥିବା ଏକ ଭିଡିଓ ବାର୍ତ୍ତରୁ ଏସଆଇଟି ଟିମ୍ ତାଙ୍କର ଭାରତ ଫେରିବା କଥା ଜାଣିପାରିଥିଲା । ଏହାପରେ ବେଙ୍ଗାଲୁରୁ ବିମାନ ବନ୍ଦରରେ ପହଞ୍ଚିବା କ୍ଷଣି ତାଙ୍କୁ ଗିରଫ କରିବାକୁ ଏସଆଇଟିକୁ ନିର୍ଦ୍ଦେଶ ଦେଇଥିଲେ କର୍ଣ୍ଣାଟକ ସରକାର । ପୂର୍ବ ଯୋଜନା ଅନୁସାରେ ଆଜି ରେବନ୍ନାଙ୍କୁ ଗିରଫ କରିଛି ଏସଆଇଟି । ଗିରଫ ପରେ ତାଙ୍କୁ ସିଧାସଳଖ ବେଙ୍ଗାଲୁରୁ ସିଆଇଡି କାର୍ଯ୍ୟାଳୟକୁ ନିଆଯାଇଛି । ସେପଟେ ରେବନ୍ନା ଫେରିବା ପୂର୍ବରୁ ତାଙ୍କ ମା’ ଆଗୁଆ ଜାମିନ ଆବେଦନ କରିଥିଲେ । ବେଙ୍ଗାଲୁରୁ କୋର୍ଟରେ ରେବନ୍ନାଙ୍କ ମା’ ଆବେଦନ ପତ୍ର ଦାଖଲ କରିଛନ୍ତି ।

ସୂଚନଯୋଗ୍ୟ ଯେ, କର୍ଣ୍ଣାଟକର ହାସନ ଲୋକସଭାର ଜେଡିଏସ୍ ପ୍ରାର୍ଥୀ ପ୍ରଜ୍ଜ୍ଵଳ। ଏପ୍ରିଲ ୨୬ ତାରିଖରେ ସେଠାରେ ଭୋଟ ଗ୍ରହଣ ହେବାରଥିଲା। କିନ୍ତୁ ମତଦାନର ଅଳ୍ପ କିଛି ଦିନ ପୂର୍ବରୁ ରେବନ୍ନାଙ୍କ କଳା କାରନାମାର ହୋଇଥିଲା ପର୍ଦ୍ଦାଫାସ। ହାତକୁ ହାତ ବୁଲିଥିଲା ରେବନ୍ନା ବିଭିନ୍ନ ମହିଳାଙ୍କୁ କରିଥିବା ଶାରୀରିକ ଶୋଷଣର ଭିଡିଓ। ପ୍ରଜ୍ଜ୍ଵଳ ନିଜ ଯୌନ କେଳେଙ୍କାରୀ ପ୍ରଘଟ ହୋଇଯିବା ଜାଣି ଭୋଟ ଗ୍ରହଣର ଠିକ ପରଦିନ କର୍ଣ୍ଣାଟକରୁ ଗାୟବ ହୋଇଯାଇଥିଲେ। ସେ ନିଜର ଡିପ୍ଲୋମାଟିକ୍ ପାସପୋର୍ଟ ବ୍ୟବହାର କରି ଜର୍ମାନୀ ଚାଲିଯିବାରେ ସଫଳ ହୋଇଥିଲେ ବୋଲି କୁହାଯାଉଛି।

ସାଂସଦ ରେବନ୍ନାଙ୍କ ନାଁରେ ପୋଲିସ ନିକଟରେ ଏକାଧିକ ଏଫ୍‌ଆଇଆର୍ ଦାଖଲ ହୋଇଛି। ଏସଆଇଟି ଗଠନ କରି କର୍ଣ୍ଣାଟକ ପୋଲିସ ଘଟଣାର ତଦନ୍ତ କରୁଛି। ବିଭିନ୍ନ ଅଭିଯୋଗକୁ ଭିତ୍ତିକରି ପ୍ରଜ୍ଜ୍ୱଳଙ୍କ ବିରୋଧରେ ଆଇପିସିର ୩୭୬, ୩୫୪-ଏ, ୩୫୪-ଡି, ୫୦୬ ଏବଂ ୫୦୯ ଆଦି ଧାରା ଅନୁଯାୟୀ ମାମଲା ରୁଜୁ ହୋଇଛି। ତେବେ ରେବନ୍ନାଙ୍କୁ ଫେରାଇ ଆଣିବାକୁ ଇଣ୍ଟରପୋଲ୍‌ର ବ୍ଲୁ କର୍ନର ନୋଟିସ୍‌ ଜାରି କରାଯାଇଥିଲା। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନୋଟିସ୍‌ ଜାରି କରିବା ସହ ସ୍ବତନ୍ତ୍ର କୂଟନୈତିକ ପାସ୍‌ପୋର୍ଟ ଖାରଜ କରିବାକୁ ମଧ୍ୟ ଚେତାବନୀ ଦେଇଥିଲା।

 

 

Comments are closed.