Latest Odisha News

BREAKING NEWS

କିଏ କହୁଛି ସତ ?

ଭୁବନେଶ୍ବର: ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରୁମରେ ନାହିଁ ଟେଲିଫୋନ୍ ସଂଯୋଗ। ସିଧାସଳଖ ନବୀନଙ୍କ ରୁମରେ ନାହିଁ ଟେଲିଫୋନ୍ କନେକ୍ସନ୍ । ମୁଖ୍ୟମନ୍ତ୍ରୀଙ୍କ ରୁମରେ ଥିବା ଟିଭିରେ ଓଡିଆ ଚ୍ୟାନେଲ୍ ଆସୁନାହିଁ । ନବୀନଙ୍କ ରୁମରେ ଥିବା ଟିଭିରେ କେବଳ ଇଂରାଜୀ ନ୍ୟୁଜ ଚ୍ୟାନେଲ୍ ଦିଆଯାଇଛି । ନବୀନ ଆଗରୁ ସଂଧ୍ୟା ୭ଟାରେ ଓଡିଆ ଖବର ଦେଖୁଥିଲେ । ହେଲେ ତାଙ୍କ ଟିଭିରୁ ଓଡିଆ ନ୍ୟୁଜ ଚ୍ୟାନେଲ୍ କାଟି ଦିଆଯାଇଛି । ଏଏନଆଇକୁ ସାକ୍ଷାତକାର ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଏଭଳି ବିସ୍ଫୋରକ ବୟାନକୁ ନେଇ ଏବେ ରାଜ୍ୟ ରାଜନୀତିରେ ସରଗରମ ଚର୍ଚ୍ଚା। ପ୍ରଧାନମନ୍ତ୍ରୀ ନବୀନଙ୍କ ଖରାପ ସ୍ବାସ୍ଥ୍ୟ ନେଇ ଚିନ୍ତା ପ୍ରକାଶ କରିବା ସହ ଏନେଇ ଯାଞ୍ଚ କରିବାକୁ ସ୍ବତନ୍ତ୍ର କମିଟି ଗଠନ କରାଯିବ ବୋଲି କହିଥିଲେ । ଏହାର ଜବାବରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ଜାଣିବାକୁ ଚାହୁଁଥିଲେ ମୋଦି ତାଙ୍କୁ ଫୋନ୍ କରିପାରିଥାନ୍ତେ ବୋଲି ନବୀନ କହିଥିଲେ । ଏହି ସନ୍ଦର୍ଭରେ ନବୀନଙ୍କ ରୁମରେ ଟେଲିଫୋନ୍ ସଂଯୋଗ ନଥିବା କହିଛନ୍ତି ଧର୍ମେନ୍ଦ୍ର ।

କାହିଁକି ଏଭଳି ବୟାନ ଦେଲେ ଧର୍ମେନ୍ଦ୍ର ?

ପୂରା ନିର୍ବାଚନରେ ବିଜେପି ଓଡିଆ ଅସ୍ମିତାକୁ ପ୍ରସଙ୍ଗ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ନବୀନ ନିବାସ ଉପରେ ଭିକେ ପାଣ୍ଡିଆନଙ୍କର ସଂପୂର୍ଣ୍ଣ ନିୟନ୍ତ୍ରଣ ରହିଥିବା ନେଇ ନାରେଟିଭ୍ ପ୍ରସ୍ତୁତ କରିଛି । ଏପରିକି ନବୀନ କୌଣସି ଫାଇଲରେ ନିଜେ ବ୍ୟକ୍ତିଗତ ଭାବେ ହସ୍ତାକ୍ଷର କରୁଛନ୍ତି ନା ପାଣ୍ଡିଆନ ଡିଜିଟାଲ୍ ହସ୍ତାକ୍ଷରର ଉପଯୋଗ କରୁଛନ୍ତି ବୋଲି ପ୍ରଶ୍ନ କରିଥିଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । ସମାନ ନାରେଟିଭରେ ଆଉ ପାଦେ ଆଗକୁ ଯାଇଛନ୍ତି ଧର୍ମେନ୍ଦ୍ର । ନବୀନଙ୍କୁ ରାଜ୍ୟ ସଂପର୍କରେ ସଂପୂର୍ଣ୍ଣ ଆଢୁଆଳରେ ରଖାଯାଇଥିବା ସୂଚାଇବା ପାଇଁ ତାଙ୍କ ଟିଭିରେ ଓଡିଆ ନ୍ୟୁଜ ଚ୍ୟାନେଲ କଟାଯାଇଥିବା କହିଛନ୍ତି । ଏଥିସହ ନବୀନ କାହା ସହ କଥା ହେବେ, ତାକୁ ମଧ୍ୟ ନିୟନ୍ତ୍ରଣ କରାଯାଉଥିବା ସଂକେତ ଦେଇଛନ୍ତି ଧର୍ମେନ୍ଦ୍ର । ସେଥିପାଇଁ ତାଙ୍କ ରୁମରୁ ଟେଲିଫୋନ୍ କନେକ୍ସନ୍ କଟାଯାଇଥିବା କହିଛନ୍ତି ।

ଧର୍ମେନ୍ଦ୍ରଙ୍କୁ ବିଜେଡି କାଉଣ୍ଟର

ଧର୍ମେନ୍ଦ୍ରଙ୍କ ବିସ୍ଫୋରକ ବୟାନ ପରେ ତାଙ୍କୁ କାଉଣ୍ଟର କରିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର । ସୋସିଆଲ୍ ମିଡିଆରେ ପୋଷ୍ଟ କରି ସେ ଲେଖିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ରୁମରେ ଟିଭି ଓ ଫୋନ୍ ତାର କାମ କରୁଛି କି ନାହିଁ ଜାଣିବାକୁ ନବୀନ ନିବାସରେ  ଧର୍ମେନ୍ଦ୍ର ପ୍ରଧାନ ବୋଧେ ସୁରକ୍ଷା କର୍ମୀ ଚାକିରି କରିଛନ୍ତି । ଜୁନ୍ ୪ତାରିଖରେ ପରାଜୟ ପରେ ଧର୍ମେନ୍ଦ୍ର ତାଙ୍କ ଟିଭି ଓ ଟେଲିଫୋନ୍ ବ୍ୟବହାର କରିବେ ନାହିଁ । କାରଣ ରାଗରେ ସେ ଉଭୟ ଟିଭି ଓ ଫୋନ୍ ଭାଙ୍ଗି ଦେଇଥିବେ ବୋଲି ସସ୍ମିତ କହିଛନ୍ତି ।

କାହା ନିୟନ୍ତ୍ରଣରେ ନବୀନ?

ଓଡିଶାର ଶାସନ ବ୍ୟବସ୍ଥା ଓ ମୁଖ୍ୟମନ୍ତ୍ରୀଙ୍କୁ ବିଜେଡି ନେତା ଭିକେ ପାଣ୍ଡିଆନ ନିୟନ୍ତ୍ରଣ କରୁଥିବା ବିଜେପି ନେତା ବାରମ୍ବାର କହି ଆସୁଛନ୍ତି । ଏକ ନିର୍ବାଚନୀ ସଭାରେ ଭାଷଣ ଦେଉଥିବା ବେଳେ ନବୀନଙ୍କ ହାତ ଥରୁଥିଲା। ତେବେ ତାଙ୍କ ହାତକୁ ଟାଣି ନେଇଥିଲେ ଭିକେ ପାଣ୍ଡିଆନ । ଭିଡିଓକୁ ନେଇ ଅନେକ ପ୍ରତିକ୍ରିୟା ହୋଇଥିଲା । ଏପରିକି ବର୍ଷେ ମଧ୍ୟରେ ନବୀନଙ୍କ ସ୍ବାସ୍ଥ୍ୟରେ ଅବନତି ଆସିଛି । ନବୀନଙ୍କ ଖରାପ ସ୍ବାସ୍ଥ୍ୟ ପଛରେ କୌଣସି ଷଡ଼ଯନ୍ତ୍ର ରହିଛି କି ବୋଲି ପ୍ରଶ୍ନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଯଦିଓ ନବୀନ ଏହାର କାଉଣ୍ଟର କରିଥିଲେ, ତେବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ତୁନି ପଡିନଥିଲେ ବିରୋଧୀ। ନବୀନଙ୍କ ଅସୁସ୍ଥତା, ତାଙ୍କ ଉପରେ ପାଣ୍ଡିଆନଙ୍କ ନିୟନ୍ତ୍ରଣ, ତାମିଲବାବୁଙ୍କ ଶାସନ ବ୍ୟବସ୍ଥାରେ ଅନୁପ୍ରବେଶକୁ ନେଇ ବାରମ୍ବାର ଆକ୍ରମଣ କରିଛନ୍ତି ବିଜେପି ନେତା । ଗୁରୁବାର ପାଣ୍ଡିଆନ ତାଙ୍କ ଉତ୍ତରାଧିକାରୀ ନୁହନ୍ତି ବୋଲି କହିଥିଲେ ନବୀନ । ତେବେ ଅଟକିନି ବିଜେପି ନେତାଙ୍କ ଆଟାକ୍ ।

ପାଣ୍ଡିଆନ୍ କାଟିବେ ବିଜେଡି ଭୋଟ୍ !

ରାଜ୍ୟରେ ତିନିଟି ପର୍ଯ୍ୟାୟ ନିର୍ବାଚନ ସରିଥିବା ବେଳେ ବିଭିନ୍ନ ସର୍ଭେ ଓ ସମୀକ୍ଷକଙ୍କ ମତରେ ପାଣ୍ଡିଆନଙ୍କ ପାଇଁ ବିଜେଡିର କମିବ ଉଭୟ ଭୋଟ୍ ଓ ସିଟ୍। ଅର୍ଥାତ ବିଜେପିର ଓଡିଆ ବନାମ ଅଣଓଡିଆ ନାରେଟିଭ୍ ଉପରେ କେଉଁଠି ନା କେଉଁଠି ଜନତା ବିଶ୍ବାସ କରୁଛନ୍ତି । ଅଫିସରରୁ ନେତା ସାଜିଥିବା ପାଣ୍ଡିଆନ ରାଜନୀତିରେ ଏଣ୍ଟ୍ରି କରୁ କରୁ ବିଜେଡିର ନମ୍ବର ଟୁ ପାଲଟିଛନ୍ତି । ଦଳ ଓ ରାଜ୍ୟ ଶାସନ ବ୍ୟବସ୍ଥାରେ ତାଙ୍କ ପ୍ରଭାବକୁ ବି ଅସ୍ବୀକାର କରିହେବନି । ଜନ ଅସନ୍ତୋଷ ଶାନ୍ତ କରିବା ପାଇଁ ଶେଷ ପର୍ଯ୍ୟାୟ ନିର୍ବାଚନ ଦିନକ ପୂର୍ବରୁ ନିଜେ ନବୀନ ସାକ୍ଷାତକାର ଦେଇ ପାଣ୍ଡିଆନ ତାଙ୍କ ଉତ୍ତରାଧିକାରୀ ହେବେନି ବୋଲି କହି ଡ୍ୟାମେଜ୍ କଣ୍ଟ୍ରୋଲ କରିବାକୁ ଉଦ୍ୟମ କରିଥିଲେ । ହେଲେ ବିଜେପି ପ୍ରସଙ୍ଗ ପାଣିଚିଆ କରିବାକୁ ଚାହୁଁନି। ସେଥିପାଇଁ ଧର୍ମେନ୍ଦ୍ର ପ୍ରସଙ୍ଗକୁ ଅଧିକ ରୋଚକ କରିବାକୁ ଯାଇ ନବୀନଙ୍କ ଟିଭି ଓ ଫୋନ୍ କଥା କହିଛନ୍ତି । ଶେଷ ପର୍ଯ୍ୟାୟ ଭୋଟରେ ବିଜେଡିର ଉପକୂଳ ଦୁର୍ଗ ଭାଙ୍ଗିବାକୁ ଧର୍ମେନ୍ଦ୍ର ଚଳାଇଛନ୍ତି ବଡ଼ ଅସ୍ତ୍ର ।

Comments are closed.