Latest Odisha News

BREAKING NEWS

ଭୋଟ୍ ପାଇଁ କିଏ ରକ୍ତମୁଖା?

ଭୁବନେଶ୍ବର: ଗଡ଼ିଲା ମୁଣ୍ଡ, ବହିଲା ରକ୍ତ । କେଉଁଠି ମରଣାନ୍ତକ ଆକ୍ରମଣ ତ କେଉଁଠି ଯାଇଛି ଜୀବନ। ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବି ନିର୍ବାଚନ ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ରାଜନୈତିକ ହିଂସା ସାମନାକୁ ଆସିଛି । ଖଲ୍ଲିକୋଟରେ ଦିଲ୍ଲୀପ ପାହାନଙ୍କ ମୃତ୍ୟୁ ହୋଇଥିବା ବେଳେ ଲହୁଲୁହାଣ ହୋଇଛନ୍ତି ଯୁବ ବିଜେପି ରାଜ୍ୟ ସଭାପତି ଅଭିଳାଷ ପଣ୍ଡା । କେବଳ ସେତିକି ନୁହେଁ ନିର୍ବାଚନ ଲଢୁଥିବା ପ୍ରାର୍ଥୀଙ୍କ ଉପରେ ବି ହୋଇଛି ଆକ୍ରମଣ ।

ଖଲ୍ଲିକୋଟରେ ମୁଣ୍ଡ ଗଡିଲା

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ବେଳେ ଗଞ୍ଜାମର ବିଭିନ୍ନ ସ୍ଥାନରେ ରାଜନୈତିକ ହିଂସା ସାମନାକୁ ଆସିଥିଲା । ଖଲ୍ଲିକୋଟ୍ ଶ୍ରୀକୃଷ୍ଣଶରଣପୁର ଗାଁରେ ପୋଷ୍ଟର ମାରିବାକୁ ନେଇ ବିଜେଡି ଓ ବିଜେପି କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଆକ୍ରମଣ ପ୍ରତିଆକ୍ରମଣରେ ବିଜେପି କର୍ମୀ ଦିଲ୍ଲୀପ ପାହାନଙ୍କ ମୃତ୍ୟୁ ହୋଇଥିଲା। ଉଭୟ ପକ୍ଷର ୭ଜଣ ଆହତ ହୋଇଥିଲେ। ଘଟଣା ନେଇ ଏସଆଇଟି ତଦନ୍ତ କରୁଥିବା ବେଳେ ତୁମ୍ବିତୋଫାନ କରିଥିଲା ବିଜେପି । ସେହିପରି ପୋଲସରାରେ ଗୁଳିମାଡରେ ଜଣେ ଆହତ ହୋଇଥିଲେ ।

ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ

ବ୍ରହ୍ମପୁର ଲୋକସଭା ନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା । ଘଟଣାରେ ସ୍ବାଧୀନ ପ୍ରାର୍ଥୀ ଶିବଶଙ୍କର ଦାସଙ୍କୁ ଗିରଫ କରିଥିଲା ପୋଲିସ । ପ୍ରଥମ ପର୍ଯ୍ୟାୟ ଭୋଟିଂ ବେଳେ ପ୍ରଦୀପଙ୍କୁ ଶିବଶଙ୍କର ଆକ୍ରମଣ କରିଥିବା ଅଭିଯୋଗ ହୋଇଥିବା ବେଳେ ସିସିଟିଭି ଫୁଟେଜ ବି ସାମନାକୁ ଆସିଥିଲା । ପ୍ରଦୀପଙ୍କ ବେକ ଓ ଛାତିରେ ଆଘାତ ଲାଗିବାରୁ ତାଙ୍କୁ ଭୁବନେଶ୍ବର ଏମସରେ ଭର୍ତ୍ତି କରି ଚିକିତ୍ସା କରାଯାଇଥିଲା । କେବଳ ପ୍ରଦୀପ ନୁହନ୍ତି ଟିଟିଲାଗଡ଼ ବିଜେପି ବିଧାୟକ ପ୍ରାର୍ଥୀ ନବୀନ ଜୈନଙ୍କୁ ପ୍ରଚାର ସାରି ଫେରିବା ବେଳେ ତେଣ୍ଡିପାଲି ଗାଁରେ ମରଣାନ୍ତକ ଆକ୍ରମଣ ହୋଇଥିଲା । ସେହିପରି ଝରିଗାଁ ବିଧାନସଭା ବିଜେପି ପ୍ରାର୍ଥୀ ନରସିଂହ ଭତ୍ରାଙ୍କୁ ଏକ ବୁଥରେ ବିଜେଡି କର୍ମୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ଟିକେଟ୍ ବଦଳ ପରେ ପୁରୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ହୋଇଥିଲା । ସେହିପରି କଳାହାଣ୍ଡି ଲୋକସଭା ସ୍ବାଧୀନ ପ୍ରାର୍ଥୀ ନରେଶ ହିଆଲ ମଧ୍ୟ ଦୁର୍ବୃତ୍ତଙ୍କ ମାଡ଼ରେ ଲହୁଲୁହାଣ ହୋଇଥିଲେ । ପିପିଲି ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀଙ୍କ ଗାଡ଼ିକୁ ନିମାପଡା ତେରୁଣ୍ଡିଆ ଗାଁରେ ପଥରମାଡ଼ ହୋଇଥିଲା ।

ଅଭିଳାଷ ଲହୁଲୁହାଣ

ଚାନ୍ଦବାଲି ସସିତାଦେଇପୁର ନିକଟରେ ପ୍ରଚାର ସାରି ଫେରୁଥିବା ବେଳେ ଯୁବ ବିଜେପି ରାଜ୍ୟ ସଭାପତି ଅଭିଳାଷ ପଣ୍ଡା ଓ ତାଙ୍କ ସହଯୋଗୀଙ୍କ ଉପରେ ଆକ୍ରମଣ ହୋଇଥିଲା । ଶହେରୁ ଦେଢଶହ କର୍ମୀ ଏକାସାଙ୍ଗେ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ଏଥିରେ ଅଭିଳାଷଙ୍କ ମେରୁଦଣ୍ଡ ପାଖାପାଖି ଆଘାତ ଲାଗିଛି । ଘଟଣା ପଛରେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ହାତ ଥିବା ଅଭିଯୋଗ ହୋଇଥିଲା। କିଛି ଦିନ ତଳେ ଚାନ୍ଦବାଲି ତୋଟାପଡାରେ ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ସୁବାସ ସାହୁଙ୍କ ଉପରେ ମଧ୍ୟ ମରଣାନ୍ତକ ଆକ୍ରମଣ ହୋଇଥିଲା ।

ଧର୍ମଶାଳାରେ ଚଢିଗଲା ଗାଡି

ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନମଣ୍ଡଳୀରେ ବିଜେଡି ଓ ସ୍ବାଧୀନ ପ୍ରାର୍ଥୀ ମୁହାଁମୁହିଁ ହୋଇଥିଲେ । ପୋଷ୍ଟର ମାରିବାକୁ ନେଇ ପ୍ରଥମେ ବିଜେଡି ପ୍ରାର୍ଥୀ ପ୍ରଣବ ବଳବନ୍ତରାୟଙ୍କ ସମର୍ଥକ ସ୍ବାଧୀନ ପ୍ରାର୍ଥୀ ହିମାଂଶୁ ସାହୁଙ୍କ ସମର୍ଥକଙ୍କୁ ମାଡ଼ ମାରି ମୁଣ୍ଡ ଫଟାଇ ଦେଇଥିଲେ । ପରେ ହିମାଂଶୁଙ୍କ ସମର୍ଥକ ପ୍ରଣବଙ୍କ ବାଇକ୍ ରାଲି ଉପରେ ସ୍କର୍ପିଓ ଚଢାଇ ଦେଇଥିଲେ । ଏଥିରେ ୩ଜଣ ଆହତ ହୋଇଥିଲେ । ପରେ ମାର୍କେଟ୍ କମ୍ପ୍ଲେକ୍ସରେ ଭଙ୍ଗାରୁଜା କରିଥିଲେ ଉତ୍ୟକ୍ତ ଲୋକେ ।

ଘସିପୁରାରୁ ଭଣ୍ଡାରୀପୋଖରୀ, ଆଠଗଡ଼ରୁ ଭଞ୍ଜନଗର, ବିଭିନ୍ନ ସ୍ଥାନରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ଘସିପୁରାରେ ସୌମ୍ୟଙ୍କ ସମର୍ଥକ ଗୁରୁତର ହୋଇଛନ୍ତି ତ ପିପିଲିରେ ଆକ୍ରମଣରେ ଗୁରୁତର ହୋଇଛନ୍ତି ୩ଜଣ ପୁଣି ନିମାପଡାରେ ବିଜେଡି କର୍ମୀଙ୍କୁ ଛୁରାମାଡ଼ ହୋଇଛି। କେତେବେଳେ ପ୍ରଚାରରେ ମୁହାଁମୁହିଁ ତ କେତେବେଳେ ଖଣ୍ଡା ଭୁଜାଲିରେ ଆକ୍ରମଣ କରୁଛନ୍ତି ଦୁର୍ବୃତ୍ତ।

Comments are closed.