Latest Odisha News

ଶପଥ ପୂର୍ବରୁ ପୂରା ଆକ୍ଟିଭ୍ ମୋଡରେ ବାବୁ ସିଂଙ୍କ

ଭୁବନେଶ୍ବର: ନବନିର୍ବାଚିତ ବିଧାୟକ ହେବା ପରେ ଏବେ ପୂରା ଆକ୍ଟିଭ ମୋଡରେ ବାବୁ ସିଂ । ଶପଥ ପୂର୍ବରୁ ସଫେଇ ଅଭିଯାନ ଆରମ୍ଭ କରିବା ସହିତ ଲୋକଙ୍କ ଭଲ ମନ୍ଦ ବୁଝୁଛନ୍ତି ବାବୁ । ଭୁବନେଶ୍ବର ଏକାମ୍ର କ୍ଷେତ୍ରର ନବନିର୍ବାଚିତ ବିଜେପି ବିଧାୟକ ବାବୁ ସିଂ ପାଓ୍ବାର ହାତେଇବା ପରେ ଏବେ ପୂରା ଆକ୍ଟିଭ ରହିଛନ୍ତି । ବିଧାୟକ ଭାବେ ଶପଥ ନେବାକୁ ଆହୁରି ୨ ଦିନ ବାକି ଥିବା ବେଳେ ନିର୍ବାଚନରେ ବିଜୟ ପାଇଁ ବାବୁ ସିଂ ଏକାମ୍ର ନିର୍ବାଚନମଣ୍ଡଳୀର ବିଭିନ୍ନ ୱାର୍ଡ ଏବଂ ଗାଁ ବୁଲି ଲୋକଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହିତ ସେମାନଙ୍କ ସହିତ ସ୍ଥାନୀୟ ସମସ୍ୟା ବିଷୟରେ ଆଲୋଚନା କରିଛନ୍ତି । ଏହି କ୍ରମରେ ସେ ଆଜି କେଦାର ଗୌରୀ ମନ୍ଦିର ବୁଲିବାକୁ ଯାଇ ସେଠାରେ ଥିବା ସମସ୍ତ କୁଣ୍ଡଗୁଡିକ ଦଳରେ ଭର୍ତ୍ତି ହୋଇଥିବା ଦେଖି ଏହାକୁ ସଫା କରିଛନ୍ତି ବାବୁ । ଏହା ସହିତ ଲିଙ୍ଗରାଜ ଓ ମା’ଗୌରୀଙ୍କ ବିବାହ ଉତ୍ସବ ଆସନ୍ତା ସୋମବାର ଆୟୋଜିତ ହେବାକୁ ଥିବା ବେଳେ ମନ୍ଦିରରେ ଚାଲିଛି ସଫେଇ କାମ । ଯାହାକୁ ତୁରନ୍ତ ଅଳ୍ପ ସମୟ ଅବଧି ମଧ୍ୟରେ ଶେଷ କରିବାକୁ ସେବାୟତଙ୍କୁ ପରାମର୍ଶ ମଧ୍ୟ ଦେଇଥିଲେ । ଏହାସହିତ ଆଖପାଖରେ ଥିବା ଡ୍ରେନଗୁଡିକୁ ମଧ୍ୟ ସଫା କରାଇଥିଲେ ବାବୁ ସିଂ ।

ଏଥର ରୋଚକ ୨୪ ନିର୍ବାଚନରେ ବହୁ ବରିଷ୍ଠ ନେତା ମାଟି କାମୁଡି ପଡିଥିବା ବେଳେ ବାଜି ମାରିନେଇଛନ୍ତି ନୂଆ ଚେହେରା । ୨୪ ବର୍ଷର ବିଜେଡି ସରକାରର ପତନ ହୋଇଛି । ଏହାରି ଭିତରେ ଅନେକ ବହୁ ପୁରୁଣା ଓ ଅଭିଜ୍ଞ ବିଜେଡି ନେତାଙ୍କୁ ଏଥର ପରାଜୟର ସ୍ବାଦ ଚଖାଇଛନ୍ତି ବିଜେପିର ନୂଆ ଚେହେରା । ସେମିତି କିଛି ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା ଏଥର ଭୁବନେଶ୍ବର ଏକାମ୍ର ବିଧାନସଭା କ୍ଷେତ୍ରରେ । ବିଜେଡିର ବରିଷ୍ଠ ନେତା ଅଶୋକ ପଣ୍ଡାକୁ ହରାଇଥିଲେ ବିଜେପିର ବାବୁ ସିଂ । ଯିଏ ଆସନ୍ତା ୧୧ ରେ ଭୁବନେଶ୍ବର ଏକାମ୍ର କ୍ଷେତ୍ର ପାଇଁ ବିଧାୟକଭାବେ ଶପଥ ନେବାକୁ ଯାଉଛନ୍ତି ।

Comments are closed.