କବିତା : ବସନ୍ତ ନାହିଁ
ପ୍ରିୟମ୍ବଦା ସାମଲ
ଯେହେତୁ ବସନ୍ତ ନାହିଁ
ଆଉ ନାହିଁ ମଳୟ ଜଞ୍ଜାଳ
ତେଣୁ ଆଜି ଭଲ ଲାଗେ
ସୂର୍ଯ୍ୟଙ୍କର ଏ ରୌଦ୍ର କିରଣ
ଭଲ ଲାଗେ ଜଳିବାକୁ
ବୈଶାଖର ନିଦାଘ ଦାରୁଣ।
ଶୋଇ ରହି ସମୟର
ଶାମୁକା ଭିତରେ
ମୁଦ୍ରିତ ସ୍ମୃତିର ଡେଣା ଖୋଲିବାକୁ
ଇଛା ହୁଏ ବୁଝିବାକୁ
ତା ଆଖିର ଭାଷା
ସେ ଯଦି ହଠାତ୍ ଆସେ
ବୈଶାଖୀର ଝାଞ୍ଜି ମଧ୍ୟେ
ଉଙ୍କି ମାରେ ତା ମନର
ଅନନ୍ତ ପିପାସା
ସେ ଯଦି ବସନ୍ତ ଦିଏ
ତା ପ୍ରାଣରେ କମ୍ପନ ଲଗାଇ
ନିଜକୁ ସଜାଇ କୁହେ
ସିଞ୍ଚି ଦିଅ ସିଞ୍ଚି ଦିଅ ଟିକିଏ ଅତର
ମୋ ହୃଦୟ ଦିଗ୍ ବଳୟ
ଛୁଇଁ ନାହିଁ ଛୁଇଁ ନାହିଁ
ବସନ୍ତ ଫୁଆର
ମୋତେ କ୍ଷମା କର।
ମୁଁ ଆଉ ଗାଉନି ଗୀତ
ମନ ମୋ ନାଚୁନି ମିତ
ନିଜର ଡାଏରୀ ସବୁ
ଚିରି ଦେବା ବେଳେ
କ୍ଷୁଦାର୍ଥ ନାଗର କଥା
ବୁଝୁ ନାହିଁ ଜମା
ବୁଝୁ ନାହିଁ ତା ମନର
ଯାବତ ଯନ୍ତ୍ରଣା
ରାତ୍ରିର ନରମ ଶେଯେ
ଢୋଳାଇବା ବେଳେ
ଚକ୍ଷୁ ଦର୍ପଣରେ ତାର
ଦେଖୁ ନାହିଁ କିଛି ପ୍ରତିବିମ୍ବ
ବସନ୍ତ ବା ଶରତ ଋତୁର
କେବଳ ପରଶ ପାଏ
ବୈଶାଖୀ ଝାଞ୍ଜିର।
ନନ୍ଦନ ବିହାର,ଭୁବନେଶ୍ୱର