Latest Odisha News

ବିଧାନସଭା ନିର୍ବାଚନ: ତିନି ପ୍ରମୁଖ ଦଳକୁ କନ୍ଦାଇଦେଲେ ସ୍ବାଧୀନ ପ୍ରାର୍ଥୀ

ଭୁବନେଶ୍ବର : ନା କୌଣସି ଦଳର ଟିକେଟ୍ ନା ପାର୍ଟି ଫଣ୍ଡିଂ। ମଇଦାନରେ ରାଜ୍ୟର ତିନି ପ୍ରମୁଖ ଦଳଙ୍କୁ ସିଧା ଟକ୍କର । ଦଳୀୟ ସଂଗଠନ ନାହିଁ କି ପ୍ରଚାର ମଇଦାନରେ ନାହାନ୍ତି ଷ୍ଟାର ପ୍ରଚାରକ । ନିଜେ ହିଁ ପ୍ରାର୍ଥୀ ନିଜେ ହିଁ କ୍ୟାମ୍ପେନର । ତଥାପି ବଡ଼ ରାଜନୈତିକ ଦଳର ପ୍ରାର୍ଥୀଙ୍କ ଉପରେ ଭାରି ପଡିଛନ୍ତି ସ୍ବାଧୀନ ପ୍ରାର୍ଥୀ। ୨୦୨୪ ବିଧାନସଭା ନିର୍ବାଚନରେ ୩ଜଣ ସ୍ବାଧୀନ ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ରାଜ୍ୟର ବିଭିନ୍ନ ସିଟରେ ବିଜୟ ସମୀକରଣ ବିଗାଡିଛନ୍ତି। ଦଳ କି ନେତୃତ୍ବଙ୍କ ମୁହଁକୁ ଦେଖି ଯେ, ଜନତା ଭୋଟ୍ କରିନାହାନ୍ତି, ପ୍ରାର୍ଥୀଙ୍କ ଦମ୍ ଦେଖି ଭୋଟ୍ ଦେଇଛନ୍ତି ସେକଥା ପ୍ରମାଣିତ କରିଛନ୍ତି ସ୍ବାଧୀନ ପ୍ରାର୍ଥୀ।

ନିଜ ଦମରେ ଜିତିଲେ ବାଜି

ଧରାଶାୟୀ ହେଲେ ଟାଣୁଆ ନେତା ଓ ବାହୁବଳୀ, ନିଜ ଦମରେ ବାଜି ମାରିନେଲେ ସ୍ବାଧୀନ ପ୍ରାର୍ଥୀ। ଏଥର ନିର୍ବାଚନରେ ତିନି ପ୍ରମୁଖ ପ୍ରାର୍ଥୀଙ୍କୁ ମାତ୍ ଦେଇ ରାଜ୍ୟରେ ନୂଆ ଟ୍ରେଣ୍ଡ ସୃଷ୍ଟି କରିଛନ୍ତି। ଧର୍ମଶାଳାରେ ହିମାଂଶୁ ଶେଖର ସାହୁ, ବଡମ୍ବାରେ ବିଜୟ କୁମାର ଦଳବେହେରା ଓ ମାହାଙ୍ଗାରେ ଶାରଦା ପ୍ରଧାନ ବାଜିମାତ୍ କରିଛନ୍ତି । ଧର୍ମଶାଳାରେ ହିମାଂଶୁଙ୍କୁ ବିଜେପି ଟିକେଟ୍ ନଦେବା ପରେ ସେ ସ୍ବାଧୀନ ଭାବେ ଲଢିଥିଲେ। ବିଜେଡିର ଟାଣୁଆ ନେତା ପ୍ରଣବ ବଳବନ୍ତରାୟଙ୍କୁ ଟକ୍କର ଦେଇ ବିଜୟୀ ହୋଇଛନ୍ତି ହିମାଂଶୁ । ବଡମ୍ବାରେ ବିଜେଡି ହେଭିଓ୍ବେଟ୍ ଦେବୀପ୍ରସାଦ ମିଶ୍ରଙ୍କୁ ମାତ୍ ଦେଇଛନ୍ତି ସ୍ବାଧୀନ ପ୍ରାର୍ଥୀ ବିଜୟ କୁମାର ଦଳବେହେରା। ସେ ବି ବିଜେପି ଟିକେଟ୍ ନପାଇ ସ୍ବାଧୀନ ଭାବେ ଲଢିଥିଲେ । ସେହିପରି ମାହାଙ୍ଗାରେ ବିଜେଡି ନେତା ପ୍ରତାପ ଜେନାଙ୍କ ପୁଅ ଅଙ୍କିତ ଜେନାଙ୍କୁ ଧୁଳି ଚଟାଇଛନ୍ତି ସ୍ବାଧୀନ ପ୍ରାର୍ଥୀ ଶାରଦା ପ୍ରସାଦ ପ୍ରଧାନ ।

ହାରିଲେ କିନ୍ତୁ କନ୍ଦାଇଦେଲେ

ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ହାରିଲେ, ହେଲେ ବଡ ନେତାଙ୍କୁ ବି କନ୍ଦାଇଦେଲେ। ଘସିପୁରାରୁ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ ସୌମ୍ୟରଞ୍ଜନ ପଟ୍ଟନାୟକ। ବିଜେଡି ପ୍ରାର୍ଥୀ ବଦ୍ରିନାରାୟଣ ପାତ୍ରଙ୍କଠାରୁ ସେ ହାରିଛନ୍ତି । ହେଲେ ନିର୍ବାଚନ ପ୍ରଚାର ସମୟରେ ହିଁ ସୌମ୍ୟଙ୍କ ଦମ୍ ଦେଖିଲା ଭଳି ରହିଥିଲା। ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କୁ ପଛରେ ପକାଇ ବଦ୍ରିଙ୍କୁ ସିଧା ଟକ୍କର ଦେଇଥିଲେ ସୌମ୍ୟ। ସେହିପରି ନୂଆପଡାରେ ପିସିସି ସଭାପତି ଶରତ ପଟ୍ଟନାୟକ ହୁଅନ୍ତୁ ବି ବିଜେପି ହେଭିଓ୍ବେଟ୍ ବସନ୍ତ ପଣ୍ଡାଙ୍କ ପୁଅ ଅଭିନନ୍ଦନ ପଣ୍ଡା, ସମସ୍ତଙ୍କୁ ପଛରେ ପକାଇ ରାଜେନ୍ଦ୍ର ଢୋଲକିଆଙ୍କୁ ଟକ୍କର ଦେଇଥିଲେ ସ୍ବାଧୀନ ପ୍ରାର୍ଥୀ ଘାସିରାମ ମାଝୀ। ନିଜ ଦମରେ  ୫୦ହଜାରରୁ ଅଧିକ ଭୋଟ୍ ପାଇଛନ୍ତି। ୨୦୧୯ ନିର୍ବାଚନରେ ସେ କଂଗ୍ରେସରୁ ଲଢି ଦ୍ବିତୀୟ ସ୍ଥାନରେ ରହିଥିଲେ, ହେଲେ ଏଥର ତାଙ୍କୁ କଂଗ୍ରେସ ଟିକେଟ୍ ଦେଇନଥିଲା।

ପରାଜୟର ହେଲେ କାରଣ

ରାଜ୍ୟର ବିଭିନ୍ନ ସ୍ଥାନରେ ଟାଣୁଆ ନେତାଙ୍କ ପରାଜୟର କାରଣ ହୋଇଛନ୍ତି ସ୍ବାଧୀନ ପ୍ରାର୍ଥୀ । ରାଉରକେଲାରେ ମାତ୍ର ସାଢେ ତିନି ହଜାର ଭୋଟରେ ହାରିଛନ୍ତି ବିଜେପି ହେଭିଓ୍ବେଟ୍ ଦିଲ୍ଲୀପ ରାୟ। ୨୦୧୯ରେ ବିଜେପି ପ୍ରାର୍ଥୀ ରହିଥିବା ନିହାର ରାୟ ଏଥର ସ୍ବାଧୀନ ଭାବେ ନିର୍ବାଚନ ଲଢି ଅଢେଇ ହଜାରରୁ ଅଧିକ ଭୋଟ୍ ପାଇଛନ୍ତି। ତେଣୁ ନିହାର ଭୋଟ୍ ଭାଗ କରିବା ଦିଲ୍ଲୀପଙ୍କ ପରାଜୟର କାରଣ ହୋଇପାରେ ବୋଲି କୁହାଯାଉଛି । ଖଣ୍ଡପଡ଼ାରେ ବି ବିଜେଡି ପାଇଁ ଅନୁଭବ ପଟ୍ଟନାୟକ ମହଙ୍ଗା ପଡିଥିବା ବେଳେ ଜଟଣୀ ଲଢେଇରେ ସ୍ବାଧୀନ ପ୍ରାର୍ଥୀ କରିଛନ୍ତି ଭୋଟ୍ ଭାଗ ।

କେଉଁଠି ଦଳରୁ ଟିକେଟ୍ ନମିଳିବାରୁ ନିଜସ୍ବ ସଂଗଠନ ବଳରେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ତ କେଉଁଠି ନିଜ ଦମରେ ନିର୍ବାଚନ ଜିତିବାକୁ ସ୍ବାଧୀନ ଭାବେ ଲଢିଛନ୍ତି । ସ୍ବାଧୀନ ପ୍ରାର୍ଥୀ ଯେ ବିନା ଦଳୀୟ ଆଶୀର୍ବାଦରେ ନିର୍ବାଚନରେ ଫ୍ୟାକ୍ଟର ହେଇପାରିବେ, ସେକଥା ସେମାନେ ଏଥର ପ୍ରମାଣିତ କରିଛନ୍ତି । ସେହିପରି କେବଳ ଦଳ କି ନେତାଙ୍କ ପ୍ରତିଶ୍ରୁତି ଦେଖି ନୁହେଁ ପ୍ରାର୍ଥୀର ଦକ୍ଷତା ଦେଖି ଏଥର ଭୋଟ୍ ଦେଇଛନ୍ତି ଜନତା। ଯିଏ ସ୍ଥାନୀୟ ଅଞ୍ଚଳର ସମସ୍ୟା ବୁଝି ସମାଧାନ ପାଇଁ ଉଦ୍ୟମ କରିବ ସେଭଳି ନେତାଙ୍କୁ ବାଛିଛନ୍ତି । ସ୍ବାଧୀନ ପ୍ରାର୍ଥୀ ଭାବେ ହାଇପ୍ରୋଫାଇଲ୍ ଧର୍ମଶାଳା ଆସନରୁ ଜିତିଥିବା ହିମାଂଶୁ ଶେଖର ସାହୁ ବିଜେପିରେ ସାମିଲ ହୋଇଛନ୍ତି । ୨୦୧୯ରେ ମକରନ୍ଦ ମୁଦୁଲି ଏକମାତ୍ର ସ୍ବାଧୀନ ପ୍ରାର୍ଥୀ ଭାବେ ରାୟଗଡାରୁ ଜିତିଥିଲେ । ୨୦୧୪ରେ ଚମ୍ପୁଆରୁ ସନାତନ ମହାକୁଡ ଓ ସତ୍ୟବାଦୀରୁ ଉମାକାନ୍ତ ସାମନ୍ତରାୟ ସ୍ବାଧୀନ ପ୍ରାର୍ଥୀ ଭାବେ ବିଜୟୀ ହୋଇଥିଲେ । ତେବେ ୨୦୦୯ରେ ୬ଜଣ ସ୍ବାଧୀନ ପ୍ରାର୍ଥୀ ଜିତିଥିଲେ ।

Comments are closed.