Latest Odisha News

BREAKING NEWS

ଉନ୍ମୋଚିତ ହେଲା ଓଡ଼ିଶାର ବିଦ୍ୟୁତ୍ ସଂଚାରଣ ଓ ବିତରଣ ଭିତ୍ତିଭୂମି ଆଧାରିତ ରିପୋର୍ଟ

ଭୁବନେଶ୍ଵର: ଉନ୍ମୋଚିତ ହେଲା ଓଡ଼ିଶାର ବିଦ୍ୟୁତ୍ ସଂଚାରଣ ଓ ବିତରଣ ଭିତ୍ତିଭୂମି ଆଧାରିତ ରିପୋର୍ଟ । ଆଜି ଭୁବନେଶ୍ୱର ସ୍ଥିତ  ମେଫେୟାର ଲାଗୁନରେ ଓଡ଼ିଶା ପାଇଁ ବିପର୍ଯ୍ୟୟ ପ୍ରତିରୋଧୀ ବିଦ୍ୟୁତ୍ ଭିତ୍ତିଭୂମି କର୍ମଶାଳାକୁ ଉଦ୍‌ଘାଟନ କରିଛନ୍ତି ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା । ରାଜ୍ୟ ସରକାର, କେନ୍ଦ୍ର ଶକ୍ତି ମନ୍ତ୍ରାଳୟ, ଓସ୍‌ଡମା, ଗ୍ରୀଡ୍‌କୋ ଓ କୋଆଲିସନ ଫର୍‌ ଡିଜାଷ୍ଟର ରେଜିଲିଏଣ୍ଟ ଇନଫ୍ରାଷ୍ଟ୍ରକଚର (ସିଡିଆର୍‌ଆଇ)ର ମିଳିତ ଉଦ୍ୟମରେ ଅନୁଷ୍ଠିତ ଏହି କର୍ମଶାଳାରେ ଓଡ଼ିଶାରେ ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି ନିର୍ମାଣ ଉପରେ ଗୁରୁତ୍ଵ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା । ଏହି ଅବସରରେ ଓଡ଼ିଶା ସରକାର ଓ ସିଡିଆର୍‌ଆଇଙ୍କ ଦ୍ଵାରା ଓଡ଼ିଶାର ବିଦ୍ୟୁତ୍ ସଂଚାରଣ ଓ ବିତରଣ ଭିତ୍ତିଭୂମି ଆଧାରିତ ପ୍ରକାଶିତ ରିପୋର୍ଟ ଉନ୍ମୋଚିତ ହୋଇଥିଲା ।  ଏହି ରିପୋର୍ଟ ଉପରେ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ସେମାନଙ୍କର  ମତ ରଖିଥିଲେ।

୧୯୯୯ ମହାବାତ୍ୟାରୁ ଶିକ୍ଷା ଲାଭ କରି ଓଡିଶା ଏହାର ଭିତ୍ତିଭୂମିକୁ ସୁଦୃଢ କରିଛି । ଏହି ମହାବାତ୍ୟା  ପରଠାରୁ ବିଦ୍ୟୁତ୍ ଭିତ୍ତିଭୂମିକୁ ବିପର୍ଯ୍ୟୟ ପ୍ରତିରୋଧୀ କରାଯିବା ପାଇଁ ଉଦ୍ୟମ ଅବ୍ୟାହତ  ରହିଛି । ବିଦ୍ୟୁତ୍ ଭିତ୍ତିଭୂମିକୁ ମଜଭୁତ୍ କରିବା ପାଇଁ ବଜେଟରେ ଅର୍ଥ ବ୍ୟବସ୍ଥା କରାଯାଉଛି । ବାତ୍ୟା ଓ ଅନ୍ୟ ବିପର୍ଯ୍ୟୟରେ ଆଦୌ କ୍ଷତିଗ୍ରସ୍ତ ନହେବା କିମ୍ବା ବିପର୍ଯ୍ୟୟ ସହନଶୀଳ ଭିତ୍ତିଭୂମି ନିର୍ମାଣ ଉପରେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ଗୁରୁତ୍ୱାରୋପ କରିଛନ୍ତି । ଏହି ରିପୋର୍ଟ ପ୍ରକାଶ କରିଥିବାରୁ କେନ୍ଦ୍ର ଶକ୍ତି ମନ୍ତ୍ରାଳୟର ଯୁଗ୍ମ ସଚିବ ଶ୍ରୀ ଶଶାଙ୍କ ଶେଖର ମିଶ୍ର ସିଡିଆରଆଇକୁ ପ୍ରଶଂସା କରିଥିଲେ। ଭବିଷ୍ୟତରେ କେନ୍ଦ୍ର ଶକ୍ତି ମନ୍ତ୍ରାଳୟ ବିପର୍ଯ୍ୟୟ ପ୍ରତିରୋଧୀ ବିଦ୍ୟୁତ୍ ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ବିଭିନ୍ନ ସ୍ତରରେ ଆଲୋଚନା କରିବ ବୋଲି ସେ କହିଥିଲେ ।

 

Comments are closed.