Latest Odisha News

BREAKING NEWS

ସହରାଞ୍ଚଳ ଲୋକଙ୍କୁ ଉତ୍ତମ ସେବା ଯୋଗାଣ ପାଇଁ ଟିମ୍‍ ୱାର୍କ ଉପରେ ବିଭାଗୀୟ ମନ୍ତ୍ରୀଙ୍କ ଗୁରୁତ୍ୱ

ଭୁବନେଶ୍ୱର: ସହରାଞ୍ଚଳର ଲୋକଙ୍କୁ ଉନ୍ନତମାନର ସେବା ଯୋଗାଇ ଦେବାପାଇଁ ଅଧିକାରୀମାନେ ‘ଟିମ୍‍ ୱାର୍କ’ କରିବାକୁ କହିଛନ୍ତି ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର । ଆଜି ଲୋକସଭା ଭବନର କନଭେନସନ ହଲରେ ସହରାଞ୍ଚଳ ପ୍ରଶାସନର ପ୍ରାଥମିକତା ନେଇ ପୌର ଅଧିକାରୀମାନଙ୍କର ଦିନିକିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ମନ୍ତ୍ରୀ ଡାକ୍ତର ମହାପାତ୍ର ।

ମନ୍ତ୍ରୀ ପୌରସଂସ୍ଥାରେ ବ୍ୟାପକ ପରିମାଣରେ ବୃକ୍ଷ ରୋପଣ କରିବା ସହିତ ସ୍ୱଚ୍ଛ ଭାରତ ଅଭିଯାନର ଆଭିମୁଖ୍ୟ ଅନୁଯାୟୀ ରାସ୍ତାଘାଟକୁ ପରିଷ୍କାର ପରିଚ୍ଛନ୍ନ ରଖିବା ଉପରେ ଗୁରୁତ୍ୱ ଦେଇଛନ୍ତି । ସେହିଭଳି ସହରାଞ୍ଚଳ ବିଶେଷକରି ଚିକିତ୍ସାଳୟରୁ ବାହାରୁଥିବା ବର୍ଜ୍ୟଗୁଡିକ ଜଳଉତ୍ସକୁ ଦୂଷିତ କରୁଥିବାରୁ ଏ ଦିଗରେ ପଦକ୍ଷେପ ଗ୍ରହଣ ପାଇଁ କହିଛନ୍ତି ।

ବିଭାଗୀୟ ଅଧିକାରୀମାନେ ଅଫିସରେ ବସି ନରହି କ୍ଷେତ୍ର ଗସ୍ତରେ ଯିବାକୁ ମନ୍ତ୍ରୀ ପରାମର୍ଶ ଦେବା ସହିତ ଦିନେ ଅତି କମ୍‍ରେ ତିନି ଚାରି ଘଣ୍ଟା ୱାର୍ଡ ପରିଦର୍ଶନ ପାଇଁ କହିଛନ୍ତି । ସହରାଞ୍ଚଳର ଟ୍ରାଫିକ ବ୍ୟବସ୍ଥା ଉପରେ ମନ୍ତ୍ରୀ ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି । ଲୋକେ ଅଳ୍ପ ସମୟ ମଧ୍ୟରେ ଯେଭଳି ଗନ୍ତବ୍ୟସ୍ଥଳରେ ପହଞ୍ଚିପାରିବେ ସେଥିପାଇଁ ଯୋଜନା ପ୍ରସ୍ତୁତ କରିବାକୁ ଅଧିକାରୀମାନଙ୍କୁ କହିଛନ୍ତି । ଏଥି ସହିତ ସହରାଞ୍ଚଳରେ ଆଇନ୍‍ଶୃଙ୍ଖଳା ପାଇଁ ଅଧିକରୁ ଅଧିକ ସିସିଟିଭି ଲଗାଇବା ଉପରେ ମତ ଦେଇଛନ୍ତି ।

ସହରାଞ୍ଚଳରେ ହେଉଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟର ରକ୍ଷଣା ବେକ୍ଷଣ ସମ୍ପୃକ୍ତ ନିର୍ମାଣକାରୀ ସଂସ୍ଥା ଓ ଠିକାଦାରମାନେ କରିବା ଉପରେ ମନ୍ତ୍ରୀ ଜୋର ଦେଇଛନ୍ତି । ଏମାନେ ଅତି କମ୍‍ରେ ତିନି ବର୍ଷ ପର୍ଯ୍ୟନ୍ତ ରକ୍ଷଣା ବେକ୍ଷଣ କରିବେ । ଯଦି ଏଥିରେ କେହି ଖିଲାପ ପରେ ତେବେ ସେମାନଙ୍କ ବିରୁଦ୍ଧରେ ଫୌଜଦାରୀ ମୋକଦ୍ଦମା ରୁଜୁ କରାଯିବ ବୋଲି ମନ୍ତ୍ରୀ ଚେତାଇ ଦେଇଛନ୍ତି ।

Comments are closed.