Latest Odisha News

କଫ ସିରପ ବୋତଲ ଗିଳି ହନ୍ତସନ୍ତ ନାଗ

ଭୁବନେଶ୍ଵର: କଫ ସିରପ ବୋତଲ ଗିଳି ହନ୍ତସନ୍ତ ନାଗ । ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କ ସାହାର୍ଯ୍ୟରେ ସାପ ପାଟିରୁ ବୋତଲ ଟିକୁ ବାହାର କାରାଯାଇଛି । ନାଗଟି ବର୍ତ୍ତମାନ ସମ୍ପୁର୍ଣ୍ଣ ସୁସ୍ଥ ଥିବା ବେଳେ ତାକୁ ସହର ବାହାରେ ଏକ ପ୍ରାକୃତିକ ଆବାସ ସ୍ଥଳୀରେ ଛାଡି ଦିଆଯାଇଛି ।

ସୂଚନା ଅନୁସାରେ, ପୁରୁଣା ଭୁବନେଶ୍ୱରସ୍ଥ ଜ୍ଞାନ ନଗର ନିକଟରେ ଏକ ନାଗ ସାପ ଖାଲି ଭିଡି ମୋଡି ହୋଇ ବାନ୍ତି କରିବା ପାଇଁ ଚେଷ୍ଟା କରୁଥିବା ଦେଖି କିଛି ଲୋକ ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କୁ ଫୋନ କରି ଜଣାଇଥିଲେ । ଖବର ପାଇ ଘଟଣା ସ୍ଥଳରେ ସଙ୍ଗେ ସଙ୍ଗେ ପହଞ୍ଚିଥିଲେ ଶୁଭେନ୍ଦୁ ମଲ୍ଲିକ । ଜ୍ଞାନ ନଗର ନିକଟରେ ଥିବା ପାହାଚରେ ଗଡିବା ପରେ ବିନ୍ଦୁ ସାଗର ବେଢାରେ ହିଁ ବାନ୍ତି କରିବାକୁ ଚେଷ୍ଟା କରୁଥିବା ସହ ଚାରି ପଟେ ଏତେ ଲୋକଙ୍କୁ ଦେଖି ବିକଳରେ ଛଟପଟ ହେଉଥିଲା ନାଗଟି ।

କାଳ ବିଳମ୍ବ ନକରି ସଙ୍ଗେ ସଙ୍ଗେ ଶୁଭେନ୍ଦୁ ବାମ ହାତରେ ସାପ ମୁଣ୍ଡକୁ ଧରି ଡାହାଣ ହାତରେ ସ୍ନେକ ହୁକ ସହାୟତାରେ ଯତ୍ନର ସହିତ ଆସ୍ତେ ଆସ୍ତେ ସାପ ତଳ ମାଢିକୁ ବୋତଲ ଦେହରୁ ତଳକୁ ଖସେଇ ଦେଇଥିଲେ । ଏହା ପରେ ସାପଟି ସହଜରେ ପୂରା ବୋତଲ ଟିକୁ ବାନ୍ତି କରି ଦେଇଥିଲା । ସାପଟି ସମ୍ପୂର୍ଣ୍ଣ ସୁସ୍ଥ ଅଛି କି ନାହିଁ ଜାଣିବା ପାଇଁ ଶୁଭେନ୍ଦୁ ସାପ ଟିକୁ ପ୍ରାୟ ୧୦ ମିନିଟ କାଳ ସେଇ ସ୍ଥାନରେ ଚଳପ୍ରଚଳ ହେବାକୁ ଦେଇଥିଲେ । ତାପରେ ସାପଟିକୁ ବ୍ୟାଗରେ ଭର୍ତ୍ତି କରି ସହର ବାହାରେ ଏକ ପ୍ରାକୃତିକ ଆବାସ ସ୍ଥଳୀରେ ଛାଡି ଦେଇଥିଲେ ।

ତେବେ ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କ କହିବା ଅନୁସାରେ, ସମ୍ଭବତଃ ସେଇ କଫ ସିରପ ବୋତଲଟି ତଳେ ପଡିଥିବା ବେଳେ କୌଣସି ମୂଷା ତାକୁ ରାମ୍ପୁଡି ବା କାମୁଡିବା ଦ୍ଵାରା ମୂଷା ଦେହର ଗନ୍ଧ ସେଇ ବୋତଲରେ ରହିଯାଇଥିଲା । ମୂଷା ଗନ୍ଧରେ ଆକୃଷ୍ଟ ହୋଇ ସାପଟି ଭୁଲ ବଶତଃ ପ୍ଲାଷ୍ଟିକ ବୋତଲ ଟିକୁ ଗିଳିଦେଇ ଥିଲା । ସାପଟି ଅନେକ ଦିନ ନ ଖାଦ୍ୟ ପାନୀୟ ଗ୍ରହଣ କରି ନପାରି ଦୁର୍ବଳ ହୋଇଯାଇଥିଲା । ହୁଏତ ଆଉ ଅଳ୍ପ କେଇ ଦିନରେ ମୃତ୍ୟୁ ବରଣ ମଧ୍ୟ କରିଥାନ୍ତା ବୋଲି କହିଛନ୍ତି ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ।

Comments are closed.