Latest Odisha News

ଓଡ଼ିଆରେ ଶାସନ କେତେ ଆହ୍ୱାନ? ଏବେ ବି ବଜାର ଘାଟରେ ରହିଛି ଇଂରାଜୀର ପ୍ରଭାବ

ଭୁବନେଶ୍ୱର: ଓଡ଼ିଶାରେ ଓଡ଼ିଆଙ୍କ ଶାସନ ଆରମ୍ଭ ହୋଇଛି। ବିଜେପି କ୍ଷମତାକୁ ଆସିବା ପରେ ଏହିପରି ଏକ ବାର୍ତ୍ତା ଦେଇଛି। କିନ୍ତୁ ନିଜ ପ୍ରକୋଷ୍ଠରେ ପ୍ରବେଶ କରିବା ପରେ ସରକାରର ସମସ୍ତ ନଥିପତ୍ର ଓଡ଼ିଆରେ ହେବ ଏବଂ ଓଡିଆରେ ସରକାରୀ କାମ ହେବ ବୋଲି ଯେଉଁ ବାର୍ତ୍ତା ଦେଇଛନ୍ତି ତାହା କେତେ ଫଳପ୍ରଦ ହେବେ ତାହା ଏବେ ଚର୍ଚ୍ଚାର ବିଷୟ।

୨୦୧୮ରେ ନବୀନ ପଟ୍ଟନାୟକ ସରକାର ମଧ୍ୟ ଓଡ଼ିଆରେ ଶାସନ ହେବ ବୋଲି ଘୋଷଣା କରିଥିଲେ। କିନ୍ତୁ ତାଙ୍କ ସରକାର କ୍ଷମତାରୁ ଚାଲିଗଲେ ସତ କିନ୍ତୁ ଏହି ଘୋଷଣା କେବେଳ ଏକ ଧୂଆଁବାଣ ଥିଲା ପରେ ମନେହୁଏ। ଆଉ ଏହାରି ଭିତରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଓଡ଼ିଆରେ ଶାସନ ନାରା ଦେବା ଚର୍ଚ୍ଚାକୁ ଖୋରାକ ଯୋଗାଇଛି। ତେଣୁ ପ୍ରାଥମିକ ଭାବେ ମୁଖ୍ୟମନ୍ତ୍ରୀ ତାଙ୍କ ପାଖକୁ ଆସିବାକୁ ଥିବା ସମସ୍ତ ଫାଇଲ ଓଡିଆରେ ରହିବା ଆବଶ୍ୟକ ବୋଲି କହିଛନ୍ତି। ଏପରିକି ତାଙ୍କ ସରକାରରେ ଥିବା ମନ୍ତ୍ରୀଙ୍କ ପ୍ରକୋଷ୍ଠର ନାମଫଳକରେ ଓଡ଼ିଆ ଅସ୍ମିତାର ଝଲକ ଦେଖିବାକୁ ମିଳୁଛି।

ଓଡ଼ିଆର ଶାସନ ଅର୍ଥ ସବୁକିଛି ଓଡ଼ିଆରେ ହେବ। ଯାହା ଏବେ ଇଂରାଜୀରେ ଚାଲିଆସୁଛି। କିନ୍ତୁ ରାଜ୍ୟରେ ସୀମାନ୍ତ ଜିଲ୍ଲାରେ ପଡୋଶୀ ରାଜ୍ୟରେ ପ୍ରଭାବ ରହିଛି। ସେ କୋଟିଆ, ଗଜପତି, ବ୍ରହ୍ମପୁର ହେଉ ଅବା ଝାରସୁଗୁଡା ଏବଂ ଜଳେଶ୍ୱର। ଭୋଗରାଇ ଓ ଚନ୍ଦନେଶ୍ୱର ପଶ୍ଚିମବଙ୍ଗକୁ ଲାଗି ହୋଇ ରହିଛି। ଅନେକ ଲୋକ ଓଡ଼ିଶାରେ ରହିଲେ ମଧ୍ୟ ବଙ୍ଗାଳୀ ଭାଷା କୁହନ୍ତି। ଏପରି ସ୍ଥିତିରେ ଏଠାରେ ସ୍ଥାନୀୟ ପ୍ରଶାସନ ଓଡ଼ିଆରେ ପ୍ରଶାସନ ଚଳାଇବାରେ କେତେ ସହଜ ହେବେ ତାହା ସମୟ କହିବ। ସମାନ ଭାବେ କୋଟିଆରେ ଆନ୍ଧ୍ରପ୍ରଦେଶର ପ୍ରଭାବ ରହିଥିବା ବେଳେ ବ୍ରହ୍ମପୁରରେ ତେଲୁଗୁ ଭାଷାଭାଷୀଙ୍କ ପ୍ରଭାବ ରହିଛି।

ସବୁଠୁ ବଡ଼କଥା ହେଲା ଲୋକେ କିଭଳି ଏହାକୁ ଗ୍ରହଣ କରୁଛନ୍ତି। ତତ୍କାଳୀନ ସରକାର ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇ କହିଥିଲେ ଯେ ବ୍ୟବସାୟିକ ପ୍ରତିଷ୍ଠାନ ହେଉ ଅବା ସ୍କୁଲ କଲେଜ ଗୁଡିକର ନାମ ପ୍ରଥମେ ବଡ ବଡ ଅକ୍ଷରରେ ଓଡ଼ିଆରେ ଲେଖାହେବ। ପରେ ହିନ୍ଦୀ ନହେଲେ ଇଂରାଜୀ। ଯିଏ ନିୟମ ନମାନିବେ ମୋଟା ଅଙ୍କର ଜୋରିମାନା ଗଣିବେ। ଏହାରି ଭିତରେ କଟକ ଓ ଭୁବନେଶ୍ୱରକୁ ଯଦି ଦେଖିବା ତାହେଲେ ଏବେ ବି ଏଠାରେ ଓଡ଼ିଆ ଭାଷାରେ ଲେଖା ଆଖି ଦୃଶିଆ ହୋଇପାରିନି। ଏବେ ବି ମଲ ହେଉ ଅବା ବଡ ବଡ ବିଜ୍ଞାପନ ହୋର୍ଡିଂରେ ଇଂରାଜୀର ପ୍ରଭାବ ରହିଛି।

ଯଦି ଅନ୍ୟ ରାଜ୍ୟ କଥା ଦେଖିବା ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ପଞ୍ଜାବରେ ସେଠିକାର ଆଞ୍ଚଳିକ ଭାଷାକୁ ଲୋକଙ୍କ ସହିତ ସରକାର ମଧ୍ୟ ଗୁରୁତର ଦେବାରୁ ସେଠାକାର ଭାଷାର ପ୍ରାଧାନ୍ୟ ରହିଛି। ହେଲେ ଓଡ଼ିଶାରେ ଦୀର୍ଘ ବର୍ଷ ହେବ ଅଣ ଓଡ଼ିଆଙ୍କ ରାଜୁତି ପରେ ଏବେ ଓଡିଶାରେ ଓଡିଆର ଶାସନକୁ ଲୋକେ କିଭଳି ଗ୍ରହଣ କରୁଛନ୍ତି ତାହା ସମୟ ହିଁ କହିବ।

Comments are closed.