Latest Odisha News

ସଜେଇ ହୋଇଛି ରଥ ପଥ, ଆସନ୍ତାକାଲି ବଡଦାଣ୍ଡକୁ ଓହ୍ଲାଇବେ ମହାପ୍ରଭୁ

ପୁରୀ: ବଡ ଦାଣ୍ଡରେ ଏକାକାର ହେବେ ଭକ୍ତ ଓ ଜଗନ୍ନାଥ । ଆଉ ମାତ୍ର ଘଣ୍ଟା କେଇଟା । ମହାପ୍ରଭୁଙ୍କ ଆଗମନରେ ଧନ୍ୟ ହେବ ବଡଦାଣ୍ଡ । ଜନସମୁଦ୍ର ମହାପ୍ରଭୁଙ୍କୁ ରଥକୁ ପାଛୋଟି ନେବେ । ଭକ୍ତଙ୍କ ସଙ୍ଗେ ଝୁଲି ଝୁଲି ବଡଦାଣ୍ଡରେ ଗଡିବ ମହାପ୍ରଭୁଙ୍କ ରଥ । ଏନେଇ ସରି ସରି ଆସିଲାଣି ସମସ୍ତ ପ୍ରସ୍ତୁତି । ଖାଲି ଯାହା ଶେଷ ସ୍ପର୍ଶ ଟିକକ ପାଉଛି । ବଡ ଦାଣ୍ଡରେ ଧାଡିରେ ଛିଡା ହେଲାଣି ତିନି ରଥ । ସୁନ୍ଦର କାରୁକାର୍ଯ୍ୟ ଓ ଝୋଟି ଚିତାରେ ଝଲସିଲାଣି ବଡ ଦାଣ୍ଡ । ସେପଟେ ତିନି ରଥର ସଜା କାମ ବି ଶେଷ ପର୍ଯ୍ୟାୟରେ । ରଥର ରଙ୍ଗ ଦୂର ଦୂର ଯାଏଁ ଝଟକିଲାଣି । ଜୀବନ୍ତ ଦିଶିଲେଣି ରଥରେ ଥିବା ସଖୀ, ପାର୍ଶ୍ବ ଦେବା ଦେବୀ ଏବଂ କଳା ଘୋଡା ଓ ଧଳା ଘୋଡା । ମହାପ୍ରଭୁଙ୍କ କାରୀଗରୀ ସେବାୟତ ମାନେ ଅତି ନିଖୁଣ ଭାବରେ ସମସ୍ତ କାର୍ଯ୍ୟ ସମ୍ପର୍ଣ୍ଣ କରିଆସିଲେଣି । ଏବେ ରଥ ପଥ ବ୍ୟାକୁଳ କେବେ ବିଜେ କରିବେ ମହାପ୍ରଭୁ ।

ସେପଟେ ପଟିଦିଅଁଙ୍କ ପାଖରୁ ରଥଖଳାରେ ଥିବା ତିନି ରଥକୁ ଆଜ୍ଞାମାଳ ବିଜେ ହୋଇଯାଇଛି । ଏହାପରେ ରଥଖଳାରୁ ସିଂହଦ୍ବାରକୁ ଆସିବେ ତିନି ରଥ । ଆସନ୍ତାକାଲି ଅର୍ଥାତ୍ ରବିବାର ମହାପ୍ରଭୁଙ୍କ ବିଜେ ପରେ ସିଂହଦ୍ବାରରୁ ଟଣାଯିବ ରଥ । ପ୍ରଥମେ ନନ୍ଦିଘୋଷ, ତା ପରେ ଦର୍ପଦଳନ ଓ ଶେଷରେ ତାଳଧ୍ବଜ ରଥ ଟଣାଯିବ ।

ଅନ୍ୟ ପକ୍ଷରେ ଅନେକ ବର୍ଷ ପରେ ଏଥର ବିରଳ ରଥଯାତ୍ରା ପାଳନ ହେବାକୁ ଯାଉଛି । ୫୩ ବର୍ଷ ପରେ ପୁଣି ଏକ ଆହ୍ବାନପୂର୍ଣ୍ଣ ରଥଯାତ୍ରା । ସେଥିପାଇଁ ୧୯୭୧ ମସିହା ଅନୁଯାୟୀ ଏଥର ମଧ୍ୟ ସେହି ସମାନ ନିତି କାନ୍ତିରେ ଗଡିବ ମହାପ୍ରଭୁଙ୍କ ରଥ । ଏଥିପାଇଁ ଗୋଟିଏ ଦିନରେ ନବଯୌବନ, ନେତ୍ରୋତ୍ସବ ଓ ଘୋଷଯାତ୍ରା ପଡ଼ୁଥିବାରୁ ଦୁଇ ଦିନ ଧରି ବଡଦାଣ୍ଡରେ ଗଡିବ ମହାପ୍ରଭୁଙ୍କ ରଥ । ସେଥିପାଇଁ ରବିବାର ସହଳ ଆରମ୍ଭ ହେବ ନୀତିକାନ୍ତି ।ସକାଳୁ ସକାଳୁ ନବଯୌବନ ବେଶ ଓ ନେତ୍ରୋତ୍ସବ କରାଯିବ । ତେଣୁ ଏଥର ସମୟ କମ୍ ଥିବାରୁ ଭକ୍ତ ନବଯୌବନ ବେଶ ଦର୍ଶନରୁ ବଞ୍ଚିତ ରହିବେ । ସେପଟେ କିନ୍ତିୁ ମହାପ୍ରଭୁଙ୍କ ପହଣ୍ଡି ଆରମ୍ଭ ହେଲା ବେଳକୁ ଦିନ ପ୍ରାୟ ୧ଟା ପାଖାପାଖି ହୋଇଯିବ । ଛେରା ପହଁରା ଓ ଅନ୍ୟ ନୀତିକାନ୍ତି ହେବା ସହ ଅପରାହ୍ନ ପ୍ରାୟ ୫ଟା ବେଳକୁ ରଥଟଣା କାର୍ଯ୍ୟ ଆରମ୍ଭ ହେବ। ଏହାପରେ ସେଦିନ ଅର୍ଥାତ୍ ରବିବାର ସୂର୍ଯ୍ୟ ଅସ୍ତପରେ ବଡଦାଣ୍ଡରେ ଅଟକିବେ ତିନି ରଥ । ତା ପରଦିନ ଅର୍ଥାତ୍ ସୋମବାର ପୁଣି ଅବକାଶ ନୀତି ଓ ଅନ୍ୟାନ୍ୟ ନୀତିକାନ୍ତି ପରେ ପୁଣି ମାଉସୀ ଗୁଣ୍ଡିଚା ମା’ ଅଭିମୁଖେ ଗଡିବ ତିନି ଠାକୁରଙ୍କ ରଥ ।

ତେବେ ୧୯୭୧ ମସିହା ନୀତି ଅନୁସାରେ ଚଳିତ ଥର ମଧ୍ୟ ନୀତି ନିର୍ଘଣ୍ଟ କରାଯାଇଛି । ଚଳିତବର୍ଷ ତିଥି କ୍ଷୟ ଯୋଗୁଁ ଗୋଟିଏ ଦିନରେ ରଥଯାତ୍ରା,, ନବଯୌବନ ଦର୍ଶନ ଓ ନେତ୍ରୋତ୍ସବ ପଡୁଥିବାରୁ ସମସ୍ତ ନୀତିକାନ୍ତି କରାଯାଇ ଅପରାହ୍ନ ୫ ଟାରେ ଅର୍ଥାତ ବିଳମ୍ବରେ ରଥଟଣା ହେବ। ତେବେ ଛତିଶା ନିଯୋଗ ବୈଠକରେ ନୀତିନିର୍ଘଣ୍ଟ ଅନୁଯାୟୀ ରାତି ୨ଟା ରେ ମଙ୍ଗଳ ଆଳତୀ, ୨. ୪୦ରେ ଦଶଵତାର ଠାକୁର ବାହୁଡା ବିଜେ, ୩ଟା ରେ ଅଣସର ତାଟି ଫିଟିବ, ୩.୪୫ଟା ରେ ଦଇତାପତି ସର୍ବାଙ୍ଗ, ୪ଟା ରେ ନେତ୍ରୋତ୍ସବ ବନ୍ଦାପନା, ୫.୨୫ରେ ଦ୍ୱାରପାଳ ପୂଜା, ସକାଳ ୬ ଟାରୁ ୭ ଟା ମଧ୍ୟରେ ଗୋପାଳବଲ୍ଲଭ ଓ ସକାଳଧୂପ, ୭.୩୦ ରୁ ୧୨ ଟା ମଧ୍ୟରେ ସେନାପଟା ଲାଗି, ଦିନ ୧୧ଟା ରେ ରଥ ପ୍ରତିଷ୍ଠା, ଦିନ ୧ଟା ରେ ମଙ୍ଗଳାର୍ପଣ, ଦିନ ୧.୧୦ ରେ ଧାଡି ପହଣ୍ଡି ଆରମ୍ଭ, ଦିନ ୨.୩୦ ରେ ପହଣ୍ଡି ଶେଷ, ଅପରାହ୍ନ ୪ଟା ରେ ଛେରାପହଁରା, ଅପରାହ୍ନ ୪.୩୦ ରେ ଚାରଫିଟା ଓ ଘୋଡା ସାରଥୀ ଲାଗିବା ଓ ଅପରାହ୍ନ ୫ଟା ରେ ରଥଟଣା ଆରମ୍ଭ ହେବ ବୋଲି ନିଷ୍ପତ୍ତି ହୋଇଛି ।

ସେପଟେ ରଥଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ବ୍ୟାପକ କରାଯାଇଛି । ଏଥିପାଇଁ ସଜାଗ ରହିଛି ପୁରୀ ପ୍ରଶାସନ । ଏଥିପାଇଁ ମୁତୟନ ହେବେ ୧୮୦ ପ୍ଲାଟୁନ ପୋଲିସ ଫୋର୍ସ ।

Comments are closed.