Latest Odisha News

ପୁଣି ଅଡୁଆରେ କଣ୍ଠଶିଳ୍ପୀ: ହ୍ୟୁମାନ୍ ସାଗର ଓ ରୁକୁ ସୁନାଙ୍କ ବିରୋଧରେ ଏତଲା

ଭୁବନେଶ୍ୱର: ପୁଣି ଅଡୁଆରେ ଓଲିଉଡ୍‌ କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗର। ଜଗନ୍ନାଥଙ୍କ ଭଜନକୁ କଦର୍ଥ କରି ଗାଉଥିବା ଅଭିଯୋଗରେ କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗର ଓ ରୁକୁ ସୁନାଙ୍କ ବିରୋଧରେ ଏତଲା ହୋଇଛି। ଇଣ୍ଟର ନ୍ୟାସନାଲ ହ୍ୟୁମାନ୍ ରାଇଟ୍‌ସ କମିଶନ ସଂଘ ପକ୍ଷରୁ ଏତଲା ହୋଇଛି। ଜଗନ୍ନାଥ ଭଜନକୁ ଅଶ୍ଳିଳ ଭାବେ ଗାଇଥିବା ଅଭିଯୋଗ ହୋଇଛି।

୨ କଣ୍ଠଶିଳ୍ପୀଙ୍କ ନାଁରେ କ୍ୟାପିଟାଲ ଥାନାରେ ଏତଲା ଦେଲା ସଂଘ। ମାନବାଧିକାର କର୍ମୀ ଶିବ ସୁନ୍ଦର ସ୍ବାଇଁ ଏହି ଅଭିଯୋଗ କରିଛନ୍ତି। ସୂଚନା ଅନୁସାରେ ହ୍ୟୁମାନ ସାଗର ଏବଂ ରୁକୁ ସୁନାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ରୁକୁ ସୁନା ଜଗନ୍ନାଥଙ୍କ ଭଜନକୁ ଅଶ୍ଳୀଳ ଭାବରେ ଗାଇବା ଶୁଣିବାକୁ ମିଳିଛି ଏବଂ ହ୍ୟୁମାନ ଏହା ଶୁଣି ହସି ହସି ଗଡିପଡୁଥିବାର ଦେଖିବାକୁ ମିଳିଛି।

ତାଙ୍କ ପଛରୁ ମଧ୍ୟ ଅନେକ ଲୋକ ହସୁଥିବାର ଶୁଣାଯାଉଛି। ଉଭୟଙ୍କ ଏପରି କାର୍ଯ୍ୟ ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ ଆଘାତ ଦେଇଛି । ଏଭଳି କାର୍ଯ୍ୟ କରୁଥିବା ଲୋକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଇଣ୍ଟରନ୍ୟାଶନାଲ ହ୍ୟୁମାନ ରାଇଟ୍ସ କମିଶନ ସଂଘ ପକ୍ଷରୁ ଦାବି ହୋଇଛି। ଏହାସହ ଯେଉଁ ଷ୍ଟୁଡିଓରେ ଏହି ଗୀତ ରେକର୍ଡ ହୋଇଛି ତାହା ବିରୋଧରେ ମଧ୍ୟ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଆବଶ୍ୟକ ରହିଛି ବୋଲି ଅଭିଯୋଗକାରୀ କହିଛନ୍ତି। ଏପରିକି ତାଙ୍କୁ ବ୍ୟାନ କରିବା ଦରକାର ବୋଲି ମଧ୍ୟ ଦାବୀ ହୋଇଛି ।

Comments are closed.