Latest Odisha News

ଓଡିଶାରେ କାମ କଲେ ଓଡିଆ ଶିଖ

ଭୁବନେଶ୍ବର: ଓଡିଶାରେ କାମ କରିବାକୁ ହେଲେ ଶିଖିବାକୁ ପଡିବ ଓଡିଆ ଭାଷା । ଗାଁ ଗହଳି ଲୋକ ହିନ୍ଦୀ ବୁଝନ୍ତିନି । ଗାଁରୁ ଜଣେ କେହି ଆସିଲେ ସେ କେମିତି ଶିଖିବ? ଏମିତି ଚାଲିବନି, ଓଡିଆ ଶିଖିବାକୁ ପଡିବ ବୋଲି ସିଧା ସିଧା କହିଛନ୍ତି ଏମଏସଏମଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ରାଜ୍ୟର ଷ୍ଟାର୍ଟଅପ୍ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଭୁବନେଶ୍ବର ଇନଫୋସିଟି-୨ କ୍ୟାମ୍ପସରେ ୨୦୨୧ ମସିହାରେ ଉଦଘାଟିତ ହୋଇଥିଲା ଓ-ହବ୍ । ସେଠାକୁ ଯାଇଥିବା ବେଳେ ଓଡିଆ ଭାଷାରେ ପ୍ରଶିକ୍ଷଣକୁ ଗୁରୁତ୍ବ ଦେଇଛନ୍ତି ଏମଏସଏମଇ ମନ୍ତ୍ରୀ ।

ଓଡିଆ ଶିଖ ଓଡିଆରେ ଶିଖାଅ

ଭୁବନେଶ୍ବର ଓ-ହବ୍ ବିଲଡିଂ ପରିଦର୍ଶନ କରିବା ବେଳେ ପ୍ରଶିକ୍ଷଣ କେମିତି ଦେଉଛ ବୋଲି ପ୍ରଶ୍ନ କରିଥିଲେ ଏମଏସଏମଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ଓଡିଆ ଉଦ୍ୟୋଗୀଙ୍କ ବିକାଶ କରିବାକୁ ହେଲେ ଓଡିଆ ଭାଷା ଶିଖିବାକୁ ପଡିବ । କାରଣ ଓଡିଆ ଲୋକଙ୍କୁ ଓଡିଆ ଭାଷାରେ ହିଁ ଶିଖାଇବାକୁ ହେବ । ନହେଲେ ଗାଁ ଗହଳିରୁ ଆସିଥିବା ଲୋକ କେମିତି ବୁଝିବେ । ଆଉ ଓଡିଆରେ ପ୍ରଶିକ୍ଷଣ ଦେବାକୁ ହେଲେ ନିଜେ ଓଡିଆ ଶିଖିବାକୁ ପଡିବ ବୋଲି ମନ୍ତ୍ରୀ କହିଥିଲେ ।

ଓ-ହବରେ ଓଡିଆଙ୍କୁ ମିଳୁନି ଜାଗା !

ଓଡିଶାର ଉଦ୍ୟୋଗୀଙ୍କୁ ରିହାତି ଦରରେ ଅଫିସ ପାଇଁ ଜାଗା ଦେବା ଲକ୍ଷ୍ୟର ଓ-ହବ୍ କରାଯାଇଥିଲା । ତେବେ ସେଠାରେ ଓଡିଆ ଉଦ୍ୟୋଗୀଙ୍କ ଜାଗାରେ ଅଫିସ ପାଇଁ ଏମଏନସିଙ୍କୁ ଜାଗା ଦିଆଯାଇଥିବା ଅଭିଯୋଗ ହୋଇଥିଲା। ଏମଏସଏମଇ ମନ୍ତ୍ରୀ ଓ-ହବରେ ଏହାର ଅନୁଧ୍ୟାନ କରିଛନ୍ତି । ତଦନ୍ତ ହେବ, ଅନିୟମିତତା ହୋଇଥିଲେ ଆକ୍ସନ୍ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ଓ-ହବରେ ବ୍ୟାପକ ଚଞ୍ଚକତା ନେଇ ଅଭିଯୋଗ ହୋଇଥିଲା । ଏମଏସଏମଇ ବିଭାଗ ଅଧୀନରେ ଷ୍ଟାର୍ଟଅପ୍ ଓଡିଶା ରହିଥିଲେ ବି ପୂର୍ବତନ ଆଇଟି ସଚିବ ବିଦେଶୀ କମ୍ପାନୀଙ୍କୁ ଜାଗା ଟେକି ଦେଇଥିବା କୁହାଯାଇଥିଲା । ନୂଆ ସରକାର ଆସିବା ପରେ ଅଭିଯୋଗ ନେଇ ନିଜେ ମନ୍ତ୍ରୀ ଗ୍ରାଉଣ୍ଡରେ ଅନୁଧ୍ୟାନ କରିଛନ୍ତି ।

ନୂଆ ସରକାରରେ ଓଡିଆ ଅସ୍ମିତାର ସ୍ବର

ବିଜେପି ସରକାର ପ୍ରଥମରୁ ହିଁ ଓଡିଆ ଭାଷାକୁ ଗୁରୁତ୍ବ ଦେଇଛନ୍ତି । ଲୋକସେବା ଭବନରେ ଏଣ୍ଟ୍ରିର ପ୍ରଥମ ଦିନରେ ହିଁ ସରକାରୀ କାମ ଓଡିଆ ଭାଷାରେ ହେବ ବୋଲି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସରକାରୀ ଓ ବେସରକାରୀ ସ୍ତରରେ ଓଡ଼ିଆ ଭାଷାର ବ୍ୟାପକ ବ୍ୟବହାର ପାଇଁ ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ କରାଯିବ । ଓଡ଼ିଆ ଭାଷା ଭବନ ବା ଅସ୍ମିତା ଭବନ ନିର୍ମାଣ କରିବା ନେଇ ବି କହିଥିଲେ ମୁଖ୍ୟମନ୍ତ୍ରୀ। ଓଡିଆ ଅସ୍ମିତା ପାଇଁ ୨ଶହ କୋଟିର କର୍ପସ ପାଣ୍ଠିକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ ବି ମିଳିଛି । ସିଏମଙ୍କ ପରେ ଏମଏସଏମଇ ମନ୍ତ୍ରୀ ମଧ୍ୟ ଓଡିଆ ଭାଷାରେ ଉଦ୍ୟୋଗୀଙ୍କୁ ପ୍ରଶିକ୍ଷଣ ଦେବା ଉପରେ ଗୁରୁତ୍ବ ଦେଇଛନ୍ତି ।

ଜିତାଇଥିଲା ଓଡିଆ ଅସ୍ମିତା

ନିର୍ବାଚନ ବେଳେ ବି ଓଡିଆ ଅସ୍ମିତାକୁ ପ୍ରମୁଖ ପ୍ରସଙ୍ଗ କରିଥିଲା ବିଜେପି। ରାଜ୍ୟ ଶାସନ ବ୍ୟବସ୍ଥାରେ ବିଜେଡିର କ୍ଷମତାକେନ୍ଦ୍ର ଭାବେ ଜଣାଶୁଣା ଭିକେ ପାଣ୍ଡିଆନଙ୍କ ପ୍ରଭାବକୁ ଟାର୍ଗେଟ୍ କରିଥିଲା। ଏଥିସହ ଓଡିଆ ବନାମ ଅଣଓଡିଆ ପ୍ରସଙ୍ଗକୁ ନେଇ ଲୋକଙ୍କ ପାଖରେ ପହଞ୍ଚିଥିଲା। ବିଜେପିର କଥା ଜନତାଙ୍କ ମନକୁ ଛୁଇଁଥିଲା, ଫଳରେ ପ୍ରଥମ ଥର ପାଇଁ ରାଜ୍ୟରେ ବିଜେପି କ୍ଷମତାକୁ ଆସିଥିଲା। ନିର୍ବାଚନ ବେଳେ ଦେଇଥିବା ପ୍ରତିଶ୍ରୁତି ମୁତାବକ ଓଡିଆ ଅସ୍ମିତା, ରତ୍ନଭଣ୍ଡାର ଖୋଲିବା ଭଳି ବିଭିନ୍ନ ପଦକ୍ଷେପ ନେଉଛନ୍ତି ମୋହନ ସରକାର । ବିଭିନ୍ନ ବିଭାଗର ମନ୍ତ୍ରୀଙ୍କ କାର୍ଯ୍ୟକଳାପରେ ବି ଓଡିଆ ଅସ୍ମିତାର ଝଲକ ଦେଖିବାକୁ ମିଳୁଛି ।

ଓଡିଆ ଅସ୍ମିତାକୁ ନେଇ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ସ୍ବାଗତଯୋଗ୍ୟ, ହେଲେ ମନ୍ତ୍ରୀଙ୍କ ବୟାନକୁ ନେଇ ଅନେକ ପ୍ରଶ୍ନ ଉଠୁଛି । ଓଡିଶାରେ କାମ କରିବାକୁ ହେଲେ ଓଡ଼ିଆ କହିବାକୁ କେହି ବାଧ୍ୟ କି ? ଓଡିଶା ଲୋକ ବି ରାଜ୍ୟ ବାହାରେ କାମ କରୁଛନ୍ତି । ସେମାନେ ବି ସେହି ରାଜ୍ୟର ଭାଷା ଶିଖିବାକୁ ବାଧ୍ୟ କି ? ଓଡିଆରେ ପ୍ରଶିକ୍ଷଣ କେତେ ଦୂର ଯୁକ୍ତିଯୁକ୍ତ ? ଏଭଳି ଅନେକ ବିଷୟ ରହିଛି, ଯେଉଁଥିରେ ଓଡିଆ ଭାଷାରେ ପ୍ରଶିକ୍ଷଣ ଦେବା କଷ୍ଟସାଧ୍ୟ ହୋଇପାରେ ।

Comments are closed.