Latest Odisha News

ଆଇଏଏସ ଅରବିନ୍ଦ ପାଢ଼ୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତ

ଭୁବନେଶ୍ୱର: ଆଇଏଏସ ଅରବିନ୍ଦ ପାଢ଼ୀ ହେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ବିକ୍ରମ ଯାଦବଙ୍କୁ ଏହି ପଦରୁ ହଟାଇ ୧୯୯୬ ବ୍ୟାଚର ଆଇଏଏସ ଅରବିନ୍ଦ ପାଢ଼ୀଙ୍କୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତି ଦେଇଛନ୍ତି ସରକାର। ଆଇନ ବିଭାଗ ତରଫରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ୨୦୧୪ରେ ଅରବିନ୍ଦ ପାଢୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱରେ ରହିଥିଲେ।

ଉଲ୍ଲେଖଯୋଗ୍ୟ, ନିକଟରେ ପହଣ୍ଡି ବେଳେ ବଡଠାକୁର ହାମୁଡାଇ ହୋଇ ପଡ଼ିଯାଇଥିଲେ। ସେହିପରି ରଥଟାଣିବା ବେଳେ ଭିଡରେ ଜଣେ ବଲାଙ୍ଗୀର ସଇଁତଳାର ଶ୍ରଦ୍ଧାଳୁଙ୍କର ମୃତ୍ୟୁ ଘଟିବା ସହ ଠେଲାପେଲାରେ ଅନେକ ଆହତ ହୋଇଥିଲେ। ଏହାପରେ ଶ୍ରୀମନ୍ଦିର ପ୍ରଶାସନର ବ୍ୟବସ୍ଥା ଉପରେ ଅନେକ ପ୍ରଶ୍ନ ଉଠିଛି। ଆଉ ଏହାରି ଭିତରେ ଅରବିନ୍ଦ ପାଢୀଙ୍କୁ ଗୁରୁ ଦାୟିତ୍ୱ ଦେଇଛନ୍ତି ସରକାର। ନିକଟରେ ବିକ୍ରମ ଯାଦବ ଛୁଟିରେ ଥିବା ବେଳେ ଅରବିନ୍ଦ ପାଢୀ ଅତିରିକ୍ତ ଭାବେ ଦାୟିତ୍ୱ ତୁଲାଇଥିଲେ। ଏବେ କୃଷି ସଚିବ ଦାୟିତ୍ୱରେ ମଧ୍ୟ ରହିଛନ୍ତି ଅରବିନ୍ଦ ପାଢ଼ୀ।

ମଙ୍ଗଳବାର ମହାପ୍ରଭୁ ବଳଭଦ୍ରଙ୍କୁ ତାଙ୍କ ରଥରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ପହଣ୍ଡିରେ ନିଆଯାଉଥିବା ବେଳେ ଘଟିଥିବା ଦୁର୍ଭାଗ୍ୟଜନକ ଦୁର୍ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ମଧ୍ୟରେ ଚିଠି ଆଦାନ ପ୍ରଦାନ ହେବା ପରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।

ଏହି ଘଟଣା ସମଗ୍ର ବିଶ୍ୱରେ ଶ୍ରଦ୍ଧାଳୁଙ୍କ ଭାବନାକୁ ଗଭୀର ଆଘାତ ଦେଇଛି ବୋଲି ବିରୋଧୀ ଦଳ ଅସନ୍ତୋଷ ବ୍ୟକ୍ତ କରିଛି। ଓଡ଼ିଆ ଲୋକଙ୍କ ସର୍ବୋଚ୍ଚ ଦେବତା ଏବଂ ଓଡ଼ିଆ ଅସ୍ମିତା ବା ଓଡ଼ିଆ ସ୍ୱାଭିମାନର ପ୍ରତୀକ ବୋଲି କହି ଭଗବାନ ବଳଭଦ୍ରଙ୍କ ମୂର୍ତ୍ତି ପଡିଯିବା ପାଇଁ ଯେଉଁମାନେ ଦାୟୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନବୀନ ପଟ୍ଟନାୟକ ମୋହନ ମାଝୀଙ୍କୁ ଅନୁରୋଧ କରିଥିଲେ। ଚାରମାଳ ପହଣ୍ଡି ସମୟରେ ବଡ଼ ଠାକୁର ମୁହଁ ଭାଙ୍ଗିପଡ଼ିବାର ଦୃଶ୍ୟ ହୃଦୟ ବିଦାରକ ଥିଲା। ରଥଯାତ୍ରାର ହଜାର ହଜାର ବର୍ଷର ଇତିହାସରେ ଏଭଳି ଦୁର୍ଭାଗ୍ୟଜନକ ଘଟଣା ଶୁଣିବାକୁ ମିଳିନଥିଲା।

ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଓ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହିପରି ଏକ ଘଟଣାକୁ ଏକ ସାମାନ୍ୟ ଘଟଣା ବୋଲି କହିଥିବାରୁ ନବୀନ ତାଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ରାଜ୍ୟର କିଛି ମନ୍ତ୍ରୀଙ୍କ ଉଦାସୀନ ମନ୍ତବ୍ୟ ଜଗନ୍ନାଥପ୍ରେମୀଙ୍କ ଦୁଃଖକୁ ଦ୍ୱିଗୁଣିତ କରିଛି ବୋଲେ ସେ କହିଥିଲେ।

ଏହାର ଜବାବରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ମୁଁ ଆପଣଙ୍କ ଚିଠିକୁ ଗମ୍ଭୀରତାର ସହ ନେଇଛି ଏବଂ ଚତୁର୍ଦ୍ଧା ମୂର୍ତ୍ତି ଓ ଶ୍ରୀଗୁଣ୍ଡିଚା ଯାତ୍ରାର ସମସ୍ତ ରୀତିନୀତିକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ଆମେ ସମସ୍ତେ ମିଳିମିଶି କାର୍ଯ୍ୟ କରିପାରିବା। ମୁଁ ସର୍ବଦା ଅତ୍ୟନ୍ତ ଶ୍ରଦ୍ଧାର ସହ ଆପଣଙ୍କ ଉପଦେଶ ଗ୍ରହଣ କରିବି।

Comments are closed.