Latest Odisha News

ସ୍ବତନ୍ତ୍ର ରାଜ୍ୟ ପାହ୍ୟା : ବିହାରକୁ ନା, ଓଡିଶାକୁ ?

ନୂଆଦିଲ୍ଲୀ: ନୀତିଶଙ୍କୁ କେନ୍ଦ୍ରର ନା । କେନ୍ଦ୍ରରେ ଏନଡିଏ ସରକାରର ଅନ୍ୟତମ ପ୍ରମୁଖ ସହଯୋଗୀ ନୀତିଶ କୁମାରଙ୍କ ଜେଡିୟୁକୁ ଜୋରଦାର ଝଟକା। ବିହାରକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଦେବାକୁ ମନା କରିଛନ୍ତି କେନ୍ଦ୍ର ସରକାର। 2012 ଅନ୍ତଃମନ୍ତ୍ରୀସ୍ତରୀୟ ଦଳ ବା ଆଇଏମଜି ରିପୋର୍ଟ ଅନୁସାରେ ବିହାରକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଦିଆଯାଇପାରିବ ନାହିଁ ବୋଲି କେନ୍ଦ୍ରର ମୋଦି ସରକାର କହିଛନ୍ତି। ସେପଟେ ଓଡିଶାକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଦେବାକୁ ଜୋରଦାର ଦାବି କଲାଣି ବିଜେଡି । ବିହାରକୁ ନା କହିଥିବା କେନ୍ଦ୍ର ସରକାର ଓଡିଶାକୁ ଦେବେ କି ସ୍ବତନ୍ତ୍ର ରାଜ୍ୟ ପାହ୍ୟା ?

କାହିଁକି ବିହାରକୁ ନା ?

ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବା ପାଇଁ କିଛି ସ୍ବତନ୍ତ୍ର ମାନଦଣ୍ଡ ରହିଛି। ପୂର୍ବରୁ କିଛି ରାଜ୍ୟକୁ ଜାତୀୟ ବିକାଶ ପରିଷଦ ପକ୍ଷରୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ହିସାବରେ ସହାୟତା ଦିଆଯାଇଥିଲା। ପାହାଡିଆ ଅଞ୍ଚଳ, କମ ଜନସଂଖ୍ୟା ଘନତା ଏବଂ ଅଧିକ ସଂଖ୍ୟକ ଆଦିବାସୀ ଜନସଂଖ୍ୟା ଥିବା ରାଜ୍ୟ, ପଡୋଶୀ ଦେଶ ସୀମାରେ ରହିଥିବା ରାଜ୍ୟ, ଆର୍ଥିକ ତଥା ଭିତ୍ତିଭୂମି କ୍ଷେତ୍ରରେ ପଛୁଆ ଭଳି ବିଭିନ୍ନ ମାନଦଣ୍ଡ ଆଧାରରେ ରାଜ୍ୟଗୁଡିକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦିଆଯାଇଥିଲା। ତେବେ ତାଲିକାଭୁକ୍ତ କୌଣସି ମାନଦଣ୍ଡ ବିହାର ପୂରଣ କରୁନଥିବାରୁ ଏହାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦିଆଯାଇନଥିବା କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ କହିଛନ୍ତି। ବିହାର ଝାଡଖଣ୍ଡ ଅଲଗା ହେବା ପରଠାରୁ ବିହାର ପାଇଁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି ହୋଇଆସୁଛି।

ବିଜେଡି ଉଠାଇଲାଣି ସ୍ବର

ବିହାରକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଝଟକା ଲାଗିଥିବା ବେଳେ ଓଡିଶା ପାଇଁ ବିଜେଡି ଜୋରଦାର କଲାଣି ସ୍ବର। ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିନରେ ହିଁ ରାଜ୍ୟସଭାରେ ବିଜେଡି ସାଂସଦମାନେ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରସଙ୍ଗ ଉଠାଇଛନ୍ତି। ଓଡିଶା 1999 ମହାବାତ୍ୟାରୁ ଆରମ୍ଭ କରି 2019ରେ ଫନି ପର୍ଯ୍ୟନ୍ତ ଗତ 25ବର୍ଷରେ 4ଟି ବଡ଼ ବାତ୍ୟାର ସାମନା କରିଛି। ତେବେ ରାଜ୍ୟରେ ନବୀନ ସରକାର ଆସିବା ପରେ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିଛି। ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ସାମନା କରୁଥିବା ଓଡିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦେବା ସହ ଅନୁଦାନ ଦେବାକୁ ବିଜେଡି ସାଂସଦ ମୁନ୍ନା ଖାଁ ଦାବି ଉଠାଇଛନ୍ତି। ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକରେ ବିଜେଡି ରାଜ୍ୟସଭା ନେତା ସସ୍ମିତ ପାତ୍ର ଓଡିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ ପ୍ରସଙ୍ଗ ଉଠାଇଥିଲେ।

ସ୍ବତନ୍ତ୍ର ପାହ୍ୟା ସମୀକରଣ

ଗତ 20ବର୍ଷ ହେଲା ଓଡିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପାଇଁ ଦାବି କରି ଆସୁଥିଲା ବିଜେଡି। ସେତେବେଳେ ସରକାରରେ ଥିବା ବିଜେଡି ଏବେ ବିରୋଧୀ ଆସନରେ। କ୍ଷମତାରେ ରହିନଥିଲେ ବି ରାଜ୍ୟସଭା ଓ ବିଧାନସଭାରେ ଏନଡିଏ ସରକାର ପାଇଁ ଦରକାର ପଡିପାରେ ବିଜେଡି । ପୂର୍ବରୁ ବି ମୋଦି ସରକାରକୁ ନିସର୍ତ୍ତ ସମର୍ଥନ ଦେଇ ଆସିଛି ବିଜେଡି। ରାଜ୍ୟରେ ଉଭୟ ଦଳ ପରସ୍ପରର ବିରୋଧୀ ହୋଇଥିଲେ ବି କେନ୍ଦ୍ର ସମୀକରଣ ଭିନ୍ନ। ତେଣୁ ବିହାରକୁ ମନା କରିଥିଲେ ବି ଓଡିଶା ପାଇଁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବାକୁ ରାଜି ହେବ କି କେନ୍ଦ୍ର?

Comments are closed.