Latest Odisha News

BREAKING NEWS

ଆଜିଠୁ ନୀତି ଆୟୋଗ, ସାମିଲ ହେବେନି କଂଗ୍ରେସ ଓ ଆପ୍

ନୂଆଦିଲ୍ଲୀ: ଆଜିଠାରୁ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ନୀତି ଆୟୋଗର ସାଧାରଣ ପରିଷଦ ବୈଠକରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତେବେ ଏହି ବୈଠକରେ କଂଗ୍ରେସର ଶାସିତ ରାଜ୍ୟ ଏବଂ ଆମ୍ ଆଦମୀ ପାର୍ଟି ଶାସିତ ରାଜ୍ୟର କୌଣସି ମୁଖ୍ୟମନ୍ତ୍ରୀ ଯୋଗ ଦେବେ ନାହିଁ । ଏଥିରେ କେବଳ ଦିଲ୍ଲୀରେ ବିଜେପି ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ଏବଂ ଉପ-ମୁଖ୍ୟମନ୍ତ୍ରୀମାନେ ଯୋଗ ଦେବେ । ଏହି ବୈଠକରେ ୨୦୪୭କୁ ଭାରତକୁ ବିକଶିତ ଦେଶ କରି ଗଢ଼ିବା ଉପରେ ଆଲୋଚନା ହେବ। ଯୋଗଦେଇଥିବା ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ବିଭିନ୍ନ ପରାମର୍ଶ ରଖିବେ।

ତେବେ ବୈଠକ ଆଲୋଚନାରେ ପ୍ରମୁଖ ୫ଟି ପ୍ରସଙ୍ଗ ରହିବ । ପାନୀୟ ଜଳ, ବିଦ୍ୟୁତ, ସ୍ବାସ୍ଥ୍ୟସେବା, ଶିକ୍ଷା ଏବଂ ଜମି ଓ ସଂପତ୍ତି ଡିଜିଟାଇଜେସନ ଉପରେ ଗୁରୁତ୍ୱ ଦିଆଯିବ । ଏଥିସହ ସାଇବର ସିକ୍ୟୁରିଟି ଏବଂ ଏଆଇ ଉପରେ ମଧ୍ୟ ସ୍ୱତନ୍ତ୍ର ଅଧିବେଶନରେ ଆଲୋଚନା କରାଯିବ। ଗତ ବର୍ଷ ଡିସେମ୍ବରରେ ଆୟୋଜିତ ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ରାଷ୍ଟ୍ରୀୟ ସମ୍ମିଳନୀରେ ଆସିଥିବା ସୁପାରିସ ଉପରେ ମଧ୍ୟ ଆଲୋଚନା ହେବ। ଅନ୍ୟପଟେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ବୈଠକରେ ସାମିଲ ହେଉଥିବା ବେଳେ ତାମିଲନାଡୁ, ତେଲେଙ୍ଗାନା, କର୍ଣ୍ଣାଟକ, ହିମାଚଳ ପ୍ରଦେଶ, ପଞ୍ଜାବ, କେରଳ ମୁଖ୍ୟମନ୍ତ୍ରୀ ଏହି ବୈଠକରେ ସାମିଲ ହେଉନଥିବା ଜଣାପଡିଛି।

ସେପଟେ ଏହି ନୀତି ଆୟୋଗ ବୈଠକରେ ଯୋଗଦେବାକୁ ଦିଲ୍ଲୀରେ ପହଞ୍ଚିଛନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଶୁକ୍ରବାରଠାରୁ ସେ ୪ଦିନିଆ ଦିଲ୍ଲୀ ଗସ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ମୁଖ୍ୟ ଶାସନ ସଚିବ ମଧ୍ୟ ନୀତି ଆୟୋଗ ବୈଠକରେ ଯୋଗ ଦେବେ। ଏହି ବୈଠକ ପରେ ବିଜେପିର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ବୈଠକ ରହିଛି। ଏହାସହ ରାଜ୍ୟର ବିଭିନ୍ନ ପ୍ରସଙ୍ଗକୁ ନେଇ ମଧ୍ୟ କେନ୍ଦ୍ରମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ସାକ୍ଷାତ କରିବେ ମୁଖ୍ୟମନ୍ତ୍ରୀ ।

Comments are closed.