Latest Odisha News

BREAKING NEWS

ପୁଣି ଲଘୁଚାପ, ଆହୁରି ୪ ଦିନ ପ୍ରବଳ ବର୍ଷିବ

ଭୁବନେଶ୍ବର: ଉତ୍ତର ବଙ୍ଗୋପସାଗର ଏବଂ ତତସଂଲଗ୍ନ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଯୋଗୁଁ ଉତ୍ତର ଓ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ନେଇ ସତର୍କ କରାଇଛି ପାଣିପାଗ ବିଭାଗ । ଏହାର ପ୍ରଭାବରେ ରାଜ୍ୟରେ ଆଗାମୀ ୪ ଦିନ ପ୍ରବଳ ବର୍ଷିବ ବୋଲି ସତର୍କ କରାଇଛି ପାଣିପାଗ ବିଭାଗ । ଅର୍ଥାତ୍ ୩୧ ତାରିଖ ଯାଏଁ ତ୍ରାହି ନାହିଁ ।

ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ବଳ ଗୋଟାଉଛି । ଯାହା ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଗାଙ୍ଗେୟ ପଶ୍ଚିମବଙ୍ଗ, ସଂଲଗ୍ନ ଝାଡ଼ଖଣ୍ଡ ଓ ଉତ୍ତର ଓଡ଼ିଶା ଦେଇ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରିବ।

ଏହାର ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ପାଣିପାଗ ସତର୍କ ସୂଚନା ଜାରି କରାଯାଇଛି। ଉତ୍ତର ବଙ୍ଗୋପସାଗର, ସଂଲଗ୍ନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଓଡ଼ିଶା ଉପକୂଳରେ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବା ସହ ପାଗ ଖରାପ ରହିବ ବୋଲି ଆଇଏମଡି ପକ୍ଷରୁ ସତର୍କ କରାଯାଇଛି। ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ଏହି ଅଞ୍ଚଳରେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନଯିବାକୁ ସତର୍କ କରାଯାଇଛି।

ଏନେଇ ଆଜି ୧୦ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। କୋରାପୁଟ, ନବରଙ୍ଗପୁର, ନୂଆପଡା, କଳାହାଣ୍ଡି, ବଲାଙ୍ଗିର, କନ୍ଧମାଳ, ସୋନପୁର, ବରଗଡ, କଟକ ଓ ନୟାଗଡରେ ପ୍ରବଳ ବର୍ଷା ହୋଇପାରେ ବୋଲି ୟେଲୋ ଓ୍ବାର୍ଣ୍ଣି ଜାରି କରାଯାଇଛି ।

ସେପଟେ ରାଜ୍ୟରେ ତୁହା କୁ ତୁହା ବର୍ଷା ଲାଗିରହିଥିବା ବେଳେ ଉଛୁଳିଲାଣି ନଦୀ, ପୋଖରୀ, ବିଲବାଡି । ଉପରମୁଣ୍ଡରେ ମଧ୍ୟ ପ୍ରବଳ ବର୍ଷା ଜାରି ରହିଥିବାରୁ ୨୮ ତାରିଖରେ ଅର୍ଥାତ୍ ଆସନ୍ତାକାଲି ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟାଜଳ ନିଷ୍କାସନ ହେବ।

Comments are closed.