Latest Odisha News

ପ୍ରକୃତିର କରାଳ ରୂପ: ନେଲାଣି ୩୦୮ ଜୀବନ, ଏବେ ବି ମାଟିତଳେ ୨୦୦ରୁ ଅଧିକ ଲୋକ, ଖୋଜିବ ଡ୍ରୋନ୍ ରାଡାର୍

ଓ୍ବାୟନାଡ: ଗତ ୩୦ ଜୁଲାଇରେ କେରଳ ଓ୍ବାୟନାଡରେ ପ୍ରକୃତି ଯେଉଁ ତାଣ୍ଡବ ରଚିଥିଲା ସେଥିରେ ଏଯାବତ ୩୦୮ ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ୪ ଦିନ ବିତିଯାଇଥିଲେ ମଧ୍ୟ ଏବେ ବି ଜାରି ରହିଛି ଉଦ୍ଧାର କାର୍ଯ୍ୟ । ମାଟି ତଳେ ଫସି ରହିଛନ୍ତି ୨୦୦ରୁ ଅଧିକ ଲୋକ । ସେମାନଙ୍କୁ ଜୀବିତ ଉଦ୍ଧାର କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଲାଗିପଡିଛନ୍ତି ଭାରତୀୟ ସେନା ।

ତେବେ ଏହାରି ଭିତରେ ଆଜି ସକାଳେ ମଲଓ୍ବେ ଅଞ୍ଚଳର ୪ ଜଣଙ୍କୁ ପଦାବେଟ୍ଟୀ କୁନ୍ନୁ ଅଞ୍ଚଳରୁ ଜୀବିତ ଉଦ୍ଧାର କରାଯାଇଛି । ସେପଟେ ଏହି ଭୟାବହ ଘଟଣାରେ ଏପର୍ଯ୍ୟନ୍ତ ୩୦୮ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୯୫ ଜଣଙ୍କର ମୃତଦେହ ମିଳିବା ସହିତ ସେମାନଙ୍କର ପୋଷ୍ଟମର୍ଟମ କରାଯାଇଛି । ହେଲେ ଆଉ ୧୦୫ ଲୋକଙ୍କ ମୃତଦେହ ମିଳିନଥିବା ବେଳେ ସେମାନଙ୍କ ଶରୀରର କିଛି କିଛି ଅଂଶ ମିଳିଥିବାରୁ ସେମାନଙ୍କୁ ମୃତ ବୋଲି ଘୋଷଣା କରାଯାଇଛି ।

ତେବେ ଏହି ଭୂସ୍ଖଳନ ଯୋଗୁଁ ୱାୟନାଡର ୪ଟି ଗାଁ ଚୁରାଲମାଲା, ଅଟାମାଲ, ମୁଣ୍ଡାକାଇ ଓ ନୁଲପୁଝା ସମ୍ପୂର୍ଣ୍ଣ ଧୂଳିସାତ୍ ହୋଇଥିବା ବେଳେ ଏଥିରେ ଦିନ ରାତି ଏକାଠି କରି ଭାରତୀୟ ସେନା, ବାୟୁସେନା ଓ ନୌସେନାର ୪୦ଟି ଟିମ୍ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ଅପରପକ୍ଷରେ ଉଦ୍ଧାର କାର୍ଯ୍ୟର ଆଜି ଚତୁର୍ଥ ଦିନରେ ଡ୍ରୋନ୍ ବେସଡ୍ ସର୍ଚ୍ଚ ଅପରେସନ ଜାରି କରାଯିବ ପାଇଁ ପ୍ରସ୍ତୁତି ଚାଲିଛି । ମାଟିତଳେ ଦବି ରହିଥିବା ମୃତଦେହକୁ ଠାବ କରିବା ପାଇଁ ଦିଲ୍ଲୀରୁ ଡ୍ରୋନ ରାଡାର ଆସନ୍ତାକାଲି ନିୟୋଜିତ କରାଯିବ । ସେପଟେ ସନ୍ଧାନ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ୬ କୁକୁର । ଏଥିସହିତ ଆଜି ତାମିଲନାଡୁରୁ ୪ ଅଧିକ କୁକୁର ଆସି କାର୍ଯ୍ୟରେ ନିୟୋଜିତ ହେବେ ।

Comments are closed.