Latest Odisha News

ଗିରଫ ହେଲେ ବାଲେଶ୍ୱର ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ପ୍ରଭାସ ପ୍ରଧାନ

ବାଲେଶ୍ୱର: ଗିରଫ ହେଲେ ବାଲେଶ୍ୱର ଜିଲ୍ଲା ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ପ୍ରଭାସ କୁମାର ପ୍ରଧାନ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ଗତକାଲି (ଶୁକ୍ରବାର) ପ୍ରଭାସଙ୍କ ଘର, କାର୍ଯ୍ୟାଳୟ ସମେତ ୭ଟି ସ୍ଥାନରେ ଚଢ଼ାଉ କରିଥିଲା । ଚଢ଼ାଉ ସମୟରେ ପ୍ରଭାସଙ୍କର ଅଚଳାଚଳ ସମ୍ପତ୍ତି ଥିବା ଜଣାପଡ଼ିଛି । ଦୀର୍ଘ ସମୟ ଧରି ମାରାଥନ ଜେରା କରିବା ପରେ ଆଜି ସକାଳେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ୍ ।

ଭିଜିଲାନ୍ସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ପ୍ରଭାସ କୁମାର ପ୍ରଧାନ ଓ ତାଙ୍କ ପରିବାର ଲୋକଙ୍କ ନାଁରେ ୮୫ଟି ପ୍ଲଟ୍ ଅଛି । ଏସବୁ ପ୍ଲଟ୍‌ ର ସେଲ୍‌ ଡିଡ୍ ମୂଲ୍ୟ ୨.୦୭ କୋଟି ଟଙ୍କାରୁ ଅଧିକ ହେବ । ଚଢ଼ାଉ ବେଳେ ତାଙ୍କ ଘରୁ ନଗଦ ୧୧ ଲକ୍ଷ ୭୦ ହଜାର ୯୮୦ ଟଙ୍କା ମିଳିଛି। ତା’ ସହିତ ୩୩୪.୫୫ ଗ୍ରାମର ସୁନା ଅଳଙ୍କାର ମିଳିଛି ।

ବ୍ୟାଙ୍କ ଜମା, ପୋଷ୍ଟାଲ ଓ ବୀମା ଜମା ବାବଦକୁ ସେ ୭୮ ଲକ୍ଷ ୨ହଜାର ୭୭୯ ଟଙ୍କା ରଖିଛନ୍ତି । ତାଙ୍କର ଗୋଟିଏ ଚାରି ଚକିଆ ଓ ଗୋଟିଏ ଦୁଇ ଚକିଆ ଗାଡ଼ି ଅଛି । ତାଙ୍କ ଘରର ଆସବାବପତ୍ରର ମୂଲ୍ୟ ୬.୬୩ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଏନେଇ ଭିଜିଲାନ୍ସ ଏସପି ନରହରି ନାୟକ ସୂଚନା ଦେଇଛନ୍ତି ।

Comments are closed.