Latest Odisha News

BREAKING NEWS

ଉଦ୍‌ଘାଟିତ ହେଲା ଜାତୀୟ ଜୁନିୟର ସନ୍ତରଣ ପ୍ରତିଯୋଗିତା

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମ୍ ସ୍ଥିତ ଇନଡୋର୍ ଜଳକ୍ରୀଡା କେନ୍ଦ୍ରରେ ୪୦ତମ ସବଜୁନିୟର ଏବଂ ୫୦ତମ ଜୁନିୟର ସନ୍ତରଣ ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଯାଇଛି । ଭାରତୀୟ ସନ୍ତରଣ ମହାସଂଘ, ଓଡ଼ିଶା ରାଜ୍ୟ ସନ୍ତରଣ ସଂଗଠନ ଏବଂ ଓଡ଼ିଶା ରାଜ୍ୟ କ୍ରୀଡା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ଏହି କାର‌୍ୟ୍ୟକ୍ରମରେ ୧୦୦୦ ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ଭାଗ ନେଇଛନ୍ତି । ଓଡିଶାରୁ ବାଳକ ବର୍ଗରେ ୨୧ ଏବଂ ବାଳିକା ବର୍ଗରେ ୧୮ ଜଣ ପ୍ରତିଯୋଗୀ  ଭାଗ ନେଇଛନ୍ତି । ଓଡ଼ିଶା ରାଜସ୍ୱ ଏବଂ ବିପର‌୍ୟ୍ୟୟ ପରିଚାଳନା ବିଭାଗ  ମନ୍ତ୍ରୀ  ସୁରେଶ ପୂଜାରୀ ମୁଖ୍ୟଅତିଥି ଭାବେ କାର‌୍ୟ୍ୟକ୍ରମରେ ଯୋଗଦାନ କରିଥିଲେ । ସେ କହିଥିଲେ ଯେ ଜୁନିୟର ସନ୍ତରଣ ପ୍ରତିଯୋଗିତା ହେଉଛି କ୍ରୀଡାବିତ୍ ମାନଙ୍କ ପାଇଁ ଏକ ବଡ଼ ପ୍ଲାଟଫର୍ମ ଯେଉଁଠାରେ ସେମାନେ ନିଜ ପ୍ରତିଭା ପ୍ରଦର୍ଶନ କରିପାରିବେ ।

ଓଡ଼ିଶାରେ ଜାତୀୟ ସନ୍ତରଣ ପ୍ରତିଯୋଗିତାର ଆୟୋଜନ ହେବା ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ । ଭାରତୀୟ ସନ୍ତରଣ ମହାସଂଘର ମହାସଚିବ ମୋନାଲ ଚୋକ୍ସି ସମସ୍ତ ପ୍ରତିଯୋଗୀଙ୍କୁ କହିଥିଲେ ଯେ, ଯୁବ ପ୍ରତିଭାଗୀମାନେ ନିଜର ପ୍ରତିଭା ପ୍ରଦର୍ଶନ କରିବା ତଥା ସେମାନଙ୍କୁ ପ୍ରୋତ୍ସାହନ ଦେବା ପାଇଁ ଜାତୀୟ ସନ୍ତରଣ ପ୍ରତିଯୋଗିତାର ଆୟୋଜନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କ୍ରୀଡା ଓ ଯୁବସେବା ବିଭାଗର ନିର୍ଦ୍ଦେଶକ ସିଦ୍ଧାର୍ଥ ଦାସ ଓ ଓଡ଼ିଶା ରାଜ୍ୟ ସନ୍ତରଣ ସଂଗଠନର ସଭାପତି ପ୍ରଦୀପ ପାଢ଼ୀ ଜାତୀୟ ସନ୍ତରଣ ପ୍ରତିଯୋଗିତା ସୁଚାରୁ ରୂପେ ସମ୍ପାଦନ ହେବ ବୋଲି ମତପ୍ରକାଶ କରିଥିଲେ । ତୃତୀୟ ଥର ପାଇଁ ଓଡ଼ିଶାରେ ଜାତୀୟ ସନ୍ତରଣ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି । ପ୍ରତିଯୋଗିତାରେ ଫ୍ରି ଷ୍ଟାଇଲ୍, ବ୍ୟାକ୍ ଷ୍ଟ୍ରୋକ, ବଟରଫ୍ଲାଏ ଷ୍ଟ୍ରୋକ ଆଦି ୭ ଟି ବିଭାଗରେ ପ୍ରତିଯୋଗିତା ଅନୁଷ୍ଠିତ ହେବ।

Comments are closed.