Latest Odisha News

BREAKING NEWS

‘ଓଡ଼ିଆ କଳା ଓ ସଂସ୍କୃତିର ନିଚ୍ଛକ ପ୍ରତିଫଳନ ହେଉଛି ଅନୁଭବ୍ୟ ଐତିହ୍ୟ ଗ୍ୟାଲେରୀ’

ଭୁବନେଶ୍ୱର: ଆଜି କ୍ରାନ୍ତି ଦିବସ ଅବସରରେ ଲୋକାର୍ପଣ ହେଲା ଅନୁଭବ୍ୟ ଐତିହ୍ୟ ଗ୍ୟାଲେରୀ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱର ସ୍ଥିତ ରାଜ୍ୟ ସଂଗ୍ରହାଳୟ ଗସ୍ତ କରି ସେଠାରେ ନବନିର୍ମିତ ଅନୁଭବ୍ୟ ଐତିହ୍ୟ ଗ୍ୟାଲେରୀର ଲୋକାର୍ପଣ କରିଛନ୍ତି ।

ଏହି ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ତାଙ୍କୁ ସ୍ୱାଗତ ଜଣାଇବା ସହିତ ଗ୍ୟାଲେରୀ ମଧ୍ୟରେ ସ୍ଥାପିତ ହୋଇଥିବା ବିଭିନ୍ନ ପ୍ରତିମୂର୍ତ୍ତି ଏବଂ ଚିତ୍ରକଳା ସମ୍ବନ୍ଧରେ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ । ଗ୍ୟାଲେରୀ ମଧ୍ୟରେ ସ୍ଥାପିତ ହୋଇଥିବା ଓଡ଼ିଶାର ପ୍ରସିଦ୍ଧ ନୃତ୍ୟକଳା ଯଥା ଛଉନୃତ୍ୟ, ଗୋଟିପୁଅ, ଗଦବା, ସାହିଯାତ ଆଦିର ଚିତ୍ର, ବିଭିନ୍ନ ପର୍ବପର୍ବାଣୀ ଯଥା ରଥଯାତ୍ରା, ରଜପର୍ବ, ମାଣବସା, ନୁଆଁଖାଇ ଏବଂ ଦଶବତାର ଚିତ୍ରକଳା, ଓଡ଼ିଆ ସମାଜର ଜୀବନଶୈଳୀକୁ ପ୍ରଦର୍ଶିତ କରୁଥିବା ନିଖୁଣ କାରୁକାର୍ଯ୍ୟ ଆଦି ଦେଖି ମୁଖ୍ୟମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଥିଲେ ।

ଓଡିଆ ଅସ୍ମିତା ପୁରପଲ୍ଲୀରେ ବାସ କରିଛି ଏବଂ ଏହି ନବନିର୍ମିତ୍ତ ଗ୍ୟାଲେରୀରେ ଏହା ଖୁବ ସୁନ୍ଦର ଭାବେ ପ୍ରତିଫଳିତ ହୋଇଛି ବୋଲି ସେ ମତପ୍ରକାଶ କରିଥିଲେ । ଏହା ସହିତ ଓଡ଼ିଶା ରାଜ୍ୟ ସଂଗ୍ରହଳୟକୁ ଆସୁଥିବା ବିଭିନ୍ନ ଦର୍ଶକ ମାନଙ୍କୁ ଏହା ଓଡ଼ିଶାର କଳା ଓ ସଂସ୍କୃତି ସମ୍ବନ୍ଧରେ ଗୁଢତଥ୍ୟ ପ୍ରଦାନ କରିବ ବୋଲି ସେ ମତବ୍ୟକ୍ତ କରିଥିଲେ ।

ଏଥିସହ ଆଜିର କ୍ରାନ୍ତି ଦିବସରେ ଭାରତର ସ୍ୱାଧୀନତା ପାଇଁ ବଳିଦାନ କରିଥିବା ବରପୁତ୍ର ମାନଙ୍କର ଫୋଟଚିତ୍ର ରାଜ୍ୟ ସଂଗ୍ରହାଳୟରେ ରଖିବା ପାଇଁ ସେ ପରାମର୍ଶ ଦେଇଥିଲେ । ଆଗକୁ ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ଆଉ 10ଟି ନୂଆ ଗ୍ୟାଲେରୀ ଲୋକାର୍ପିତ ହେବ ବୋଲି ସେ ସୂଚନା ପ୍ରଦାନ କରିଥିଲେ ।

Comments are closed.