Latest Odisha News

ରାଜ୍ୟର ଶ୍ରେଷ୍ଠ ମେଡିକାଲ୍ କଲେଜର ମାନ୍ୟତା ଲାଭ କଲା ଏମ୍ସ ଭୁବନେଶ୍ୱର

ଭୁବନେଶ୍ୱର: ଦେଶର ଶ୍ରେଷ୍ଠ ମେଡିକାଲ କଲେଜ ବର୍ଗରେ ୧୫ତମ ସ୍ଥାନରେ ରହିଛି ଏମ୍ସ ଭୁବନେଶ୍ୱର । ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ଶିକ୍ଷାନୁଷ୍ଠାନ ମାନ୍ୟତା ତାଲିକା (ଏନଆଇଆରଏଫ) ଜାରି ହୋଇଛି । ଗତ ବର୍ଷ ଏହି ଜାତୀୟ ଅନୁଷ୍ଠାନ ଏନଆଇଆରଏଫ୍ ତାଲିକାରେ ୧୭ତମ ସ୍ଥାନରେ ଥିଲା । ତେବେ ୨୦୨୨ରେ ୨୬ତମ ସ୍ଥାନ ହାସଲ କରିଥିବା ଏହି ଅନୁଷ୍ଠାନ ମାତ୍ର ଦୁଇ ବର୍ଷ ମଧ୍ୟରେ ୧୧ ସୋପାନ ଉପରକୁ ଉଠି ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରିଛି । ଯାହାକି ଗୌରବର ବିଷୟ ଅଟେ ।

ଶିକ୍ଷାଦାନ, ଶିକ୍ଷା ଏବଂ ସମ୍ବଳ (ଟିଏଲଆର), ଗବେଷଣା ଏବଂ ବୃତ୍ତିଗତ ଅଭ୍ୟାସ (ଆରପି), ସ୍ନାତକୋତ୍ତର ଫଳାଫଳ (ଜିଓ), ଆଉଟରିଚ୍ ଏବଂ ଇନକ୍ଲୁସିଭିଟି (ଓଆଇ) ଏବଂ ପିଅର ପର୍ସେପ୍‌ସନ (ପିପି) ଭଳି ୫ଟି ମାପଦଣ୍ଡକୁ ଭିତ୍ତି କରି ଏହି ମାନ୍ୟତା ତାଲିକା ପ୍ରସ୍ତୁତ କରାଯାଇଛି । ଏକାଡେମିକ୍ ଏବଂ ବୃତ୍ତିଗତ ଉତ୍କର୍ଷ ପ୍ରତି ପ୍ରତିବଦ୍ଧତାକୁ ପ୍ରତିଫଳିତ କରି ଏମ୍ସ ଭୁବନେଶ୍ୱର ଚଳିତ ବର୍ଷ ୧୦୦ରୁ ୬୨.୯୭ ସ୍କୋର କରିଛି ।

ସୂଚନାଯୋଗ୍ୟ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଘୋଷଣା କରିଥିବା ୨୦୨୪ ବର୍ଷ ପାଇଁ ଏନଆଇଆରଏଫ ତାଲିକା ଅନୁସାରେ ଏମ୍‌ସ ଭୁବନେଶ୍ୱରକୁ ଓଡ଼ିଶାର ସର୍ବୋତ୍ତମ ମେଡିକାଲ୍ କଲେଜର ମାନ୍ୟତା ପ୍ରଦାନ କରିଛି । କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ସିଇଓ ଡ. ଆଶୁତୋଷ ବିଶ୍ବାସଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ଏହି ଜାତୀୟ ଅନୁଷ୍ଠାନ ଭିତ୍ତିଭୂମି, ଶିକ୍ଷା, ରୋଗୀସେବା ଏବଂ ଗବେଷଣା ସମେତ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଛି ।

ଏହି ଅବସରରେ ଡ. ବିଶ୍ବାସ ସମସ୍ତ ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ଏବଂ ଛାତ୍ରଛାତ୍ରୀ ତଥା ଏମ୍ସର ବିଶାଳ ପରିବାରକୁ ସେମାନଙ୍କର ଉତ୍ସର୍ଗୀକୃତ ମନୋଭାବ ତଥା କଠିନ ପରିଶ୍ରମ ପାଇଁ ହୃଦୟରୁ ଅଭିନନ୍ଦନ ଜଣାଇଛନ୍ତି । ରୋଗୀ ସେବା, ଗବେଷଣା ଏବଂ ଶିକ୍ଷାର ସାମଗ୍ରିକ ବିକାଶରେ ଏହି ଅନୁଷ୍ଠାନ ଉତ୍କର୍ଷର ନିରନ୍ତର ଅନୁସରଣ ଜାରି ରଖିବ ବୋଲି ଡ. ବିଶ୍ବାସ ମତବ୍ୟକ୍ତ କରିଛନ୍ତି ।

Comments are closed.