Latest Odisha News

ଚିକିଟି ମଦ ମୃତ୍ୟୁ ମାମଲା: ବ୍ରହ୍ମପୁର ଅବକାରୀ ଇନ୍ସପେକ୍ଟର ଓ ଏସ୍‌ଆଇଙ୍କ ବଦଳି

ଭୁବନେଶ୍ୱର: ଚିକିଟି ମଦ ମୃତ୍ୟୁ ଘଟଣା ପରେ ୨ ଅଧିକାରୀଙ୍କ ବଦଳି। ବ୍ରହ୍ମପୁର ଅବକାରୀ ଇନ୍ସପେକ୍ଟର ଓ ଏସ୍‌ଆଇଙ୍କ ବଦଳି ହୋଇଥିବା ସୂଚନା ରହିଛି। ବ୍ରହ୍ମପୁର ଅବକାରୀ ଇନ୍ସପେକ୍ଟର ରମେଶ ଚନ୍ଦ୍ର ମହାନ୍ତିଙ୍କୁ କୋରାପୁଟକୁ ବଦଳି କରାଯାଇଥିବା ବେଳେ ଏସଆଇ ପ୍ରସନ୍ନ କୁମାର ଜାଲିଙ୍କୁ ଢେଙ୍କାନାଳକୁ ବଦଳି କରାଯାଇଛି। ବୁଧବାର ବ୍ରହ୍ମପୁର ଅବକାରୀ ଅଧୀକ୍ଷକ ନିଲମ୍ବିତ ହୋଇଛନ୍ତି।

ସେପଟେ ଅପମିଶ୍ରିତ ମଦ ଦୁଇଟି ଜୀବନ ନେଇଛି। ଜିଲ୍ଲାର ଚିକିଟି ବ୍ଲକ ଜେନାପୁରରେ ଅପମିଶ୍ରିତ ମଦ୍ୟପାନ କରି ଗୁରୁତର ହେବା ପରେ ଏ‌ମକେସିଜି ମେଡିକାଲରେ ଚିକିତ୍ସିତ ହେଉଥିବା ୧୪ ଜଣଙ୍କ ମଧ୍ୟରୁ ବୁଧବାର ୨ ଜଣଙ୍କ ମୃତ୍ୟୁ ହୋଇଛି। ସୂଚନା ଥାଉକି ବୁଧବାର ଏହି ଘଟଣାକୁ ନେଇ ରାଜ୍ୟ ସରକାର କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ବେଆଇନ ତଥା ଚୋରା ମଦ କାରବାରକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବା ପାଇଁ ଆବଶ୍ୟକୀୟ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯିବ ବୋଲି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ।

ରାଜ୍ୟରେ ବେଆଇନ ମଦ କାରବାର କେବେ ବି ଗ୍ରହଣୀୟ ନୁହେଁ । ତେଣୁ ଏହି ଘଟଣା ନେଇ ରାଜ୍ୟର ସମସ୍ତ ଅଞ୍ଚଳରେ ତୀକ୍ଷ୍ଣ ଦୃଷ୍ଟି ରଖିବା ସହିତ ବେଆଇନ ମଦ ଭାଟି ଓ ବିକ୍ରି ସ୍ଥାନରେ ଚଢ଼ାଉ କରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ଚିକିଟି ଘଟଣାରେ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବ୍ୟକ୍ତିଙ୍କୁ ସ୍ବତନ୍ତ୍ର ଚିକିତ୍ସା ସହାୟତା ଯୋଗାଇ ଦେବାକୁ ମନ୍ତ୍ରୀ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।

 

Comments are closed.