Latest Odisha News

ପୁଣି ମୁକୁଳା ଡ୍ରେନରେ ଭାସିଗଲା କୁନିପୁଅ, ୪ ଘଣ୍ଟା ପରେ ମିଳିଲା ମୃତଦେହ

ବ୍ରହ୍ମପୁର: ମାସେ ତଳେ ରାଜଧାନୀ ଭୁବନେଶ୍ୱର ମୁକୁଳା ଡ୍ରେନରେ ନାବାଳକ ପଡିଯିବା ଘଟଣା ମନରୁ ନଲିଭୁଣୁ ବ୍ରହ୍ମପୁରରେ ଆଉ ଏକ ସମାନ ଘଟଣା ଘଟିଛି। ଏଠାରେ ପୁଣି ମୁକୁଳା ଡ୍ରେନ ନାଳରେ ଭାସିଗଲା ୧୦ ବର୍ଷ ନାବାଳକ। ଦୀର୍ଘ ୪ ଘଣ୍ଟା ପରେ ନାବାଳକର ମୃତଦେହ ଉଦ୍ଧାର ହୋଇଛି। ତେବେ ଲଗାଣ ବର୍ଷାରେ ଭାସିଯାଇଥିଲା କୁନିପୁଅ।

ଲକ୍ଷ୍ମୀ ନୃସିଂହ ସାହି ୧୪ନମ୍ବର ଗଳିର ଶେଷ ମୁଣ୍ଡରେ ଥିବା ନାଳରୁ ସାଇରାମଙ୍କ ମୃତଦେହ ଉଦ୍ଧାର ହୋଇଛି । ଗତକାଲି ରାତି ୮ଟା ବେଳେ ସାଇକେଲ ଚଳାଇ ଆସୁଥିବା ସାଇରାମ ପାତ୍ର ହଠାତ୍ ରାସ୍ତା କଡ ନାଳରେ ପଡିଯାଇଥିଲେ । ପ୍ରବଳ ବର୍ଷା ଯୋଗୁଁ ନାଳ ପାଣି ରାସ୍ତା ଉପରକୁ ମାଡ଼ି ଆସିଥିଲା । ଫଳରେ ରାସ୍ତା ଓ ନାଳ ଜଣାପଡ଼ୁନଥିଲା । ପାଣିର ପ୍ରଖର ସ୍ରୋତରେ ଭାସି ଯାଇଥିଲା ନାବାଳକ ।

ନିକଟରେ ଥିବା କିଛି ଯୁବକ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇପାରିନଥିଲେ। ପରେ କେବଳ ତାଙ୍କ ସାଇକେଲ ଟି ହିଁ ମିଳିଥିଲା। ସ୍ଥାନୀୟ ଲୋକେ ବିଏମସି ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ଓ ବି ଏମ୍ ସିର ଉପସ୍ଥିତିରେ ଦୀର୍ଘ ୪ଘଣ୍ଟା ଧରି ଖୋଜାଖୋଜି ପରେ ପିଲାଟିର ମୃତଦେହ ଉଦ୍ଧାର ହୋଇଥିଲା । ପିଲାଟିର ମୃତଦେହ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ମେଡ଼ିକାଲ ନିଆଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।

Comments are closed.