ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ଦିବ୍ୟଯାତ୍ରା ଧାରାବହିକ ଅତ୍ୟନ୍ତ ବିଭ୍ରାନ୍ତିକର: ଶ୍ରୀଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ
ଭୁବନେଶ୍ଵର: ଆସନ୍ତା ଅଗଷ୍ଟ ୨୬ ତାରିଖରୁ ବିଭୁ ଅଗ୍ରୱାଲ୍ ନାମକ ଜଣେ ଉଦ୍ୟୋଗୀଙ୍କ ହରି ଓମ୍ ନାମକ ଓଟିଟି ପ୍ଲାଟ୍ଫର୍ମରେ ‘ଜୟ ଜଗନ୍ନାଥ’ନାମରେ ଏକ ଆପତ୍ତିଜନକ ଧାରାବାହିକ କାର୍ଯ୍ୟକ୍ରମର ପ୍ରସାରଣ ହେବାକୁ ଯାଉଛି । ତାହାକୁ ‘ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ଦିବ୍ୟଯାତ୍ରା’ ଆଖ୍ୟା ଦିଆଯାଇଛି। ଏହି କାର୍ଯ୍ୟକ୍ରମକୁ ନେଇ ଶ୍ରୀ ଅଗ୍ରୱାଲଙ୍କ ଫେସ୍ବୁକ୍ ଏବଂ ୟୁଟ୍ୟୁବ୍ ଓ ଅନ୍ୟାନ୍ୟ ସାମାଜିକ ଗଣମାଧ୍ୟମରେ ଯେଉଁ ବିଜ୍ଞାପନ ଭିଡିଓ ପ୍ରସାରିତ ହେଉଛି ତାହା ଶ୍ରୀଜଗନ୍ନାଥପ୍ରେମୀ ଭକ୍ତ ଏବଂ ଶ୍ରୀଜଗନ୍ନାଥ ତତ୍ତ୍ୱବିତ୍ମାନଙ୍କର ଧାର୍ମିକ ଓ ଆଧ୍ୟାତ୍ମିକ ଭାବନାକୁ ଆହତ କରିଛି।
ସେହି ବିଜ୍ଞାପନ ଭିଡିଓରେ ଦର୍ଶାଯାଇଛି ଯେ ଶ୍ରୀକୃଷ୍ଣଙ୍କ ଦେହାନ୍ତ ପରେ ଏବଂ ତାଙ୍କର ଦାହକ୍ରିୟା ସଂପନ୍ନ ହେବା ପରେ, ତାଙ୍କ ନିର୍ଦ୍ଦେଶରେ ତାଙ୍କର ଆତ୍ମାକୁ ଅର୍ଜୁନ ଗୋଟିଏ କାଠଗଣ୍ଡି ମଧ୍ୟରେ ରଖି ସମୁଦ୍ରରେ ଭସାଇ ଦେଉଛନ୍ତି। ସେହି କାଠଗଣ୍ଡିଟି ପାଣି ଭିତରେ ରକେଟ୍ ପରି ଛୁଟିଯାଉଛି। ଶ୍ରୀକୃଷ୍ଣଙ୍କର ସେହି ଆତ୍ମା ଜ୍ୟୋତି ରୂପରେ ଆସି ଶ୍ରୀଜଗନ୍ନାଥଙ୍କ କପାଳର ରତ୍ନଚିତା ମଧ୍ୟ ଦେଇ ତାଙ୍କ ଶରୀରରେ ପ୍ରବେଶ କରୁଛି। ଏହି କାହାଣୀର କୌଣସି ଶାସ୍ତ୍ରୀୟ ଭିତ୍ତି ନାହିଁ। କାରଣ ଶ୍ରୀଜଗନ୍ନାଥଙ୍କ ତତ୍ତ୍ୱ, ଦର୍ଶନ, ଭକ୍ତି ଓ ଆଧ୍ୟାତ୍ମିକତା ସଂପର୍କରେ ସର୍ବମାନ୍ୟ ପୁରାଣ ହେଉଛି ‘ସ୍କନ୍ଦପୁରାଣ’ ଅନ୍ତର୍ଗତ ‘ଶ୍ରୀପୁରୁଷୋତ୍ତମକ୍ଷେତ୍ରମାହାତ୍ମ୍ୟମ୍’। ତାହା ‘ସ୍କନ୍ଦପୁରାଣ-ଉତ୍କଳଖଣ୍ଡ’ ଭାବରେ ମଧ୍ୟ ସର୍ବମାନ୍ୟ ଓ ସୁପ୍ରସିଦ୍ଧ। ତାହା ଅନୁସାରେ, ଶ୍ରୀଜଗନ୍ନାଥ ପୂର୍ବରୁ ଶ୍ରୀନୀଳମାଧବ ରୂପେ ଉପାସିତ ହେଉଥିଲେ। ସେ ସେଠାରୁ ଅନ୍ତର୍ଦ୍ଧାନ ହେବା ପରେ ତାଙ୍କୁ ପାଇବାପାଇଁ ମାଳବ ଦେଶର ରାଜା ଇନ୍ଦ୍ରଦ୍ୟୁମ୍ନ ଶ୍ରୀକ୍ଷେତ୍ରକୁ ଆସି ସହସ୍ର ଅଶ୍ୱମେଧ ଯଜ୍ଞ କରିଥିଲେ। ସେହି ଯଜ୍ଞରେ ପ୍ରସନ୍ନ ହୋଇ ଭଗବାନ ବିଷ୍ଣୁ ମହୋଦଧିରେ ଦିବ୍ୟଦାରୁ ରୂପେ ଆବିର୍ଭୂତ ହୋଇଥିଲେ। ସେ ନିଜେ ଜଣେ ବିଶ୍ୱକର୍ମା (ବଢେଇ)ରୂପେ ଆବିର୍ଭୂତ ହୋଇ ନିଜେ ନିଜର ମୂର୍ତ୍ତି ଗଢିଥିଲେ। ଏହିପରି ଭାବରେ ଦାରୁବ୍ରହ୍ମ ଚତୁର୍ଦ୍ଧାମୂର୍ତ୍ତି ରୂପେ ଆବିର୍ଭୂତ ହୋଇଥିଲେ।
ମାତ୍ର ‘ଜୟ ଜଗନ୍ନାଥ’ କାର୍ଯ୍ୟକ୍ରମରେ ତାଙ୍କର ଆବିର୍ଭାବ ଦ୍ୱାପର ଯୁଗର ଶେଷରେ, ଶ୍ରୀକୃଷ୍ଣଙ୍କର ଦେହାନ୍ତ ପରେ ବୋଲି ଦର୍ଶାଯାଇଛି। ଏବଂ ତାଙ୍କର ଆତ୍ମା ଶ୍ରୀଜଗନ୍ନାଥଙ୍କ ମଧ୍ୟରେ ପ୍ରବେଶ କରିବାପରେ ସେ ଜଗନ୍ନାଥ ହୋଇଛନ୍ତି ବୋଲି ମଧ୍ୟ ଦର୍ଶାଯାଇଛି। ଏହା ଅତ୍ୟନ୍ତ ବିଭ୍ରାନ୍ତିକର ଏବଂ ଶ୍ରୀଜଗନ୍ନାଥଙ୍କ ସଂପର୍କିତ ଶାସ୍ତ୍ରୀୟ ଭିତ୍ତି ଓ ଭକ୍ତିଭାବନାର ପରିପନ୍ଥୀ। ଏଣୁ ଏହି ଶାସ୍ତ୍ରୀୟ ପ୍ରମାଣର ବିରୋଧୀ ତଥା ସନାତନ ହିନ୍ଦୁଧର୍ମର ଶ୍ରୀଜଗନ୍ନାଥପ୍ରେମୀଙ୍କ ଭାବନା, ଭକ୍ତି ଓ ଶ୍ରଦ୍ଧାକୁ ଆହତ କରୁଥିବା ଅଶାସ୍ତ୍ରୀୟ କାର୍ଯ୍ୟକ୍ରମକୁ ବିରୋଧ କରିଛି ଶ୍ରୀଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ ।
Comments are closed.