Latest Odisha News

BREAKING NEWS

ଖୋଜାହେବ ରତ୍ନଭଣ୍ଡାର ସୁଡଙ୍ଗ

ପୁରୀ: ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ ଉଠିବା ଦିନଠୁ ଗୋଟିଏ ପ୍ରସଙ୍ଗ ଯାହା ବେଶ୍ ଚର୍ଚ୍ଚାରେ ଥିଲା ତାହା ହେଲା ରତ୍ନଭଣ୍ଡାର ଭିତରେ ଥିବା ଗୁପ୍ତ ସୁଡଙ୍ଗ । ଯାହାକୁ ନେଇ ଅନେକ ଲୋକ ଅନେକ ମତ ପ୍ରକାଶ କରିଛନ୍ତି । ସାରା ଓଡିଶା ଲୋକଙ୍କ ମଧ୍ୟରେ ବି ଏହାର ଉତ୍କଣ୍ଠା ଏବେ ବି ଭରି ରହିଛି । ଆଉ ବିଶ୍ବାସ ବି ଅଛି ଯେ ମହାପ୍ରଭୁଙ୍କ ରତ୍ନଭଣ୍ଡାରରେ କିଛି ରହସ୍ୟମୟୀ ସୁଡଙ୍ଗ ମଧ୍ୟ ରହିଛି । ଲୋକଙ୍କ ବିଶ୍ବାସକୁ ଦୃଷ୍ଟିରେ ରଖି ରତ୍ନଭଣ୍ଡାର ସ୍ଥାନାନ୍ତରଣ ଓ ଯାଞ୍ଚ ପରେ ବି ପୁଣି ଥରେ ରତ୍ନଭଣ୍ଡାର ଖୋଲାଯାଇ ସୁଡଙ୍ଗ ଅଛି କି ନାହିଁ ବୋଲି ଯାଞ୍ଚ କରାଯିବ ବୋଲି କହିଥିଲେ ଯାଞ୍ଚ କମିଟି ଅଧ୍ୟକ୍ଷ ପୂର୍ବତନ ଜଷ୍ଟିସ ବିଶ୍ବନାଥ ରଥ ।

ଯାହା ଉପରେ ପ୍ରତିକ୍ରିୟା ଦେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ସୁଡ଼ଙ୍ଗ ଅଛି କି ନାହିଁ ତାହାକୁ ନେଇ ସର୍ଭେ ହେବ । ରତ୍ନଭଣ୍ଡାର ମାଟିତଳେ କିମ୍ବା କାନ୍ଥ ଭିତରେ କିଛି ଅଛି କି ନାହିଁ ତାହା ସର୍ଭେ ଦ୍ବାରା ଜଣାପଡିବ । ପ୍ରାଥମିକ ପ୍ରକ୍ରିୟାରେ ପ୍ରଥମେ ରତ୍ନଭଣ୍ଡାର ମରାମତି କରାଯିବ । ମରାମତି ପରେ ଏଏସଆଇର ଉଚ୍ଚସ୍ତରୀୟ କମିଟିଙ୍କ ଦ୍ବାରା ଗଣତି ମଣତି ପ୍ରକ୍ରିୟା ଆରମ୍ଭ କରାଯିବ । ୧୯୭୮ ମସିହା ଡାଟାବେସ୍‌ ଅନୁଯାୟୀ ଅଳଙ୍କାର ମେଳକ କରାଯିବ । ଏହାପରେ ଗୁପ୍ତ ସୁଡଙ୍ଗ ନେଇ ସର୍ଭେ କରାଯିବ ।

Comments are closed.