Latest Odisha News

BREAKING NEWS

ଆଇଆଇଟି ଗ୍ରାଜୁଏଟ ପାରା ଶଟଲର ନୀତେଶ

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସରେ ଭାରତର ବ୍ୟାଡମିଂଟନ ଖେଳାଳି ନୀତେଶ କୁମାର ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତି ଗୌରବାନ୍ୱିତ କରିଛନ୍ତି । ପୁରୁଷ ସିଙ୍ଗଲ୍ସ ଏସଏଲ୩ ଫାଇନାଲରେ ସେ ବ୍ରିଟେନର ଡାନିଏଲ ବେଥେଲଙ୍କୁ ୨-୧ରେ ହରାଇଥିଲେ । ଉଭୟ ପରସ୍ପରକୁ ଓଭରାଲ ୧୦ ଥର ଭେଟିଥିଲେ ମଧ୍ୟ ନୀତେଶଙ୍କ ଏହା ପ୍ରଥମ ବିଜୟ । ୧୯୯୪ରେ ରାଜସ୍ଥାନରେ ଜନ୍ମ ଗ୍ରହଣ କରିଥିବା ନୀତେଶ ଜଣେ ମେଧାବୀ ଛାତ୍ର ଥିଲେ । ୨୦୦୯ର ଏକ ଟେନ୍ର ଦୁର୍ଘଟଣାରେ ସେ ବାମ ଗୋଡ ହରାଇଥିଲେ । ମାସ ମାସ ଧରି ତାଙ୍କୁ ଖଟରେ ଶୋଇ ରହିବାକୁ ପଡିଥିଲା । ଏହା ସତ୍ୱେ ସେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଥିଲେ । ୨୦୧୩ରେ ସେ ଆଇଆଇଟି ମାଣ୍ଡିରେ ଯୋଗ ଦେଇଥିଲେ । ପାରା ବ୍ୟାଡମିଂଟନ ଖେଳାଳି ପ୍ରମୋଦ ଭଗତଙ୍କ ପ୍ରଦର୍ଶନ ତାଙ୍କୁ ଜଣେ ବ୍ୟାଡମିଂଟନ ଖେଳାଳି ହେବା ପାଇଁ ପ୍ରେରଣା ଯୋଗାଇଥିଲା ।

୨୦୧୬ରେ ସେ ଜାତୀୟ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ । ୨୦୧୭ରେ ଅନୁଷ୍ଠିତ ଇରିଶ ପାରା ବ୍ୟାଡମିଂଟନରେ ସେ ପ୍ରଥମ ଆନ୍ତର୍ଜାତୀୟ ଟାଇଟଲ ହାସଲ କରିଥିଲେ । ଏହା ପରେ ସେ ଆଉ ପଛକୁ ଚାହିଁ ନ ଥିଲେ । ୨୦୨୨ ଏସିଆନ ପାରା ଗେମ୍ସରେ ସେ ପୁରୁଷ ଡବଲ୍ସରେ ସ୍ୱର୍ଣ୍ଣ, ପୁରୁଷ ସିଙ୍ଗଲ୍ସରେ ରୌପ୍ୟ ଓ ମିକ୍ସଡ ଡବଲ୍ସରେ ବ୍ରୋଞ୍ଜ ପଦକ ଜିତିଥିଲେ । ୨୦୧୮ ପାରା ଏସିଆନ ଗେମ୍ସର ପୁରୁଷ ଡବଲ୍ସରେଏବଂ ୨୦୨୪ ବିଶ୍ୱ ଚାମ୍ପିୟନଶିପରେ ସିଙ୍ଗଲ୍ସ ବିଭାଗରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ । ୨୦୧୯ ବିଶ୍ୱଚାମ୍ପିୟନଶିପ ଓ ୨୦୨୨ ବିଶ୍ୱ ଚାମ୍ପିୟନଶିପରେ ସେ ରୌପ୍ୟ ପଦକ ଜିତିଥିଲେ ।

Comments are closed.