Latest Odisha News

BREAKING NEWS

ଭାରତ ସରକାର, ତ୍ରିପୁରା ସରକାର, ଏନଏଲଏଫଟି ଏବଂ ଏଟିଟିଏଫ୍ ମଧ୍ୟରେ ଶାନ୍ତି ବୁଝାମଣାପତ୍ର ସ୍ୱାକ୍ଷରିତ

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଓ ସମବାୟ ମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ଭାରତ ସରକାର, ତ୍ରିପୁରା ସରକାର, ଏନଏଲଏଫଟି ଏବଂ ଏଟିଟିଏଫ୍ ମଧ୍ୟରେ ଏକ ଶାନ୍ତି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ଶାନ୍ତିପୂର୍ଣ୍ଣ, ସମୃଦ୍ଧ ଏବଂ ଉଗ୍ରବାଦ ମୁକ୍ତ ଉତ୍ତର-ପୂବାଞ୍ଚଳ ଲକ୍ଷ୍ୟ ପୂରଣ ଦିଗରେ ଏହି ବୁଝାମଣା ଏକ ମାଇଲଖୁଣ୍ଟ ସଦୃଶ ।

ଏହି ଅବସରରେ କେନ୍ଦ୍ର ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଅମିତ ଶାହ କହିଥିଲେ ଯେ, ଆଜି ସମଗ୍ର ଦେଶ ତଥା ତ୍ରିପୁରା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ । ସେ କହିଥିଲେ ଯେ ନ୍ୟାସନାଲ ଲିବରେସନ୍ ଫ୍ରଣ୍ଟ ଅଫ୍ ତ୍ରିପୁରା (ଏନଏଲଏଫଟି) ଏବଂ ଅଲ୍ ତ୍ରିପୁରା ଟାଇଗର ଫୋର୍ସ (ଏଟିଟିଏଫ) ଅସ୍ତ୍ର ତ୍ୟାଗ କରି ମୁଖ୍ୟଧାରାରେ ସାମିଲ ହୋଇ ସମଗ୍ର ତ୍ରିପୁରାର ବିକାଶ ନିମନ୍ତେ ଏହି ରାଜ୍ୟରେ ୩୫ ବର୍ଷ ଧରି ଚାଲିଥିବା ସଂଘର୍ଷର ଅବସାନ ଘଟାଇବା ଲାଗି ନିଜର ପ୍ରତିବଦ୍ଧତା ବ୍ୟକ୍ତ କରିଛନ୍ତି ।

ସେ ଆହୁରି କହିଥିଲେ ଯେ ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ହେବା ପରଠାରୁ ସେ ଶାନ୍ତି ଏବଂ ବାର୍ତ୍ତାଳାପ ମାଧ୍ୟମରେ ଏକ ସକ୍ଷମ ଏବଂ ବିକଶିତ ଉତ୍ତର-ପୂର୍ବାଞ୍ଚଳର ଦୃଷ୍ଟିକୋଣକୁ ଉପସ୍ଥାପନ କରିଛନ୍ତି । ସଡ଼କ, ରେଳ ଏବଂ ବିମାନ ଦ୍ୱାରା ଶ୍ରୀ ମୋଦି କେବଳ ଉତ୍ତର-ପୂର୍ବ ଏବଂ ଦିଲ୍ଲୀ ମଧ୍ୟରେ ଦୂରତା ହ୍ରାସ କରିନାହାନ୍ତି, ବରଂ ହୃଦୟ ମଧ୍ୟରେ ଦୂରତା ମଧ୍ୟ ଦୂରେଇ ଦେଇଛନ୍ତି । ଶ୍ରୀ ଶାହ ଆହୁରି କହିଥିଲେ, ଭାରତ ସରକାର ଅଷ୍ଟଲକ୍ଷ୍ମୀ ଅବଧାରଣା ଏବଂ ପୂର୍ବୋଦୟକୁ ମିଶାଇ ତ୍ରିପୁରା ସମେତ ସମଗ୍ର ଉତ୍ତର-ପୂର୍ବାଞ୍ଚଳର ବିକାଶ ପାଇଁ ସଂକଳ୍ପ ନେଇଛନ୍ତି, ଯେଉଁଥିରେ ଆଜିର ରାଜିନାମା ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ।

ସେହିପରି, ଆଜିର ରାଜିନାମା ହେଉଛି ଉତ୍ତର-ପୂର୍ବାଞ୍ଚଳ ପାଇଁ ଦ୍ୱାଦଶ ରାଜିନାମା ଏବଂ ତ୍ରିପୁରା ସହ ଜଡ଼ିତ ତୃତୀୟ ରାଜିନାମା । ଏହିସବୁ ରାଜିନାମା ମାଧ୍ୟମରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୦ ହଜାର ଆତଙ୍କବାଦୀ ଅସ୍ତ୍ରଶସ୍ତ୍ର ତ୍ୟାଗ କରି ମୁଖ୍ୟଧାରାକୁ ଆସିଛନ୍ତି । ଏହି ୧୨ଟି ରାଜିନାମା ଜରିଆରେ ଉଭୟ ପକ୍ଷର ହଜାର ହଜାର ଲୋକଙ୍କ ମୃତ୍ୟୁର କାରଣକୁ ରୋକିବା ପାଇଁ ଏକ ବଡ଼ ପଦକ୍ଷେପ ନିଆଯାଇଛି ।

ଆଜିର ରାଜିନାମା ଅନୁଯାୟୀ ୩୨୮ରୁ ଅଧିକ ସଶସ୍ତ୍ର କ୍ୟାଡର ହିଂସା ପରିତ୍ୟାଗ କରି ସମାଜର ମୁଖ୍ୟଧାରାରେ ସାମିଲ ହୋଇ କେବଳ ବିକଶିତ ତ୍ରିପୁରା ନୁହେଁ, ବରଂ ବିକଶିତ ଭାରତରେ ମଧ୍ୟ ଯୋଗଦାନ କରିପାରିବେ । ସେ କହିଥିଲେ ଯେ କେନ୍ଦ୍ର ସରକାର ତ୍ରିପୁରାର ଆଦିବାସୀ ଜନସଂଖ୍ୟାର ସାମଗ୍ରିକ ବିକାଶ ପାଇଁ ୨୫୦ କୋଟି ଟଙ୍କାର ଏକ ସ୍ୱତନ୍ତ୍ର ପ୍ୟାକେଜକୁ ମଞ୍ଜୁରି ଦେଇଛନ୍ତି ।

ଏହି କାର୍ଯ୍ୟକ୍ରମରେ ତ୍ରିପୁରା ମୁଖ୍ୟମନ୍ତ୍ରୀ ପ୍ରଫେସର ଡକ୍ଟର ମାଣିକ ଶାହା ଏବଂ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଓ ତ୍ରିପୁରା ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଶାନ୍ତି ବୁଝାମଣାପତ୍ର ସ୍ୱାକ୍ଷର ଅବସରରେ ଉପସ୍ଥିତ ଥିଲେ ।

Comments are closed.