Latest Odisha News

BREAKING NEWS

ବିଆଇପିଏଫର ଆଇଡିଏଟ୍‌-୨୦୨୪ ଅନୁଷ୍ଠିତ: ସମ୍ମିଳନୀରେ ଗୋଷ୍ଠୀ-କେନ୍ଦ୍ରିକ ଜଳବାୟୁ ସ୍ଥାୟିତ୍ୱ ଉପରେ ଗୁରୁତ୍ୱାରୋପ

ଭୁବନେଶ୍ୱର: ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ୍ (ବିଆଇପିଏଫ୍‌) ପକ୍ଷରୁ ଦସରା ସହଭାଗିତାରେ ଏହାର ପ୍ରମୁଖ ବାର୍ଷିକ ସମ୍ମିଳନୀର ୧୩ତମ ସଂସ୍କରଣ ଆଇଡିଏଟ୍‌-୨୦୨୪ ଆୟୋଜିତ ହୋଇଯାଇଛି । ଚଳିତ ବର୍ଷର ବିଷୟବସ୍ତୁ  ଥିଲା “ଉତ୍କଳ ଉଦ୍ୟମ: ଜଳବାୟୁ ସ୍ଥାୟିତ୍ୱ ପାଇଁ ଗୋଷ୍ଠୀ-କେନ୍ଦ୍ରିକ ବିକାଶ” । ଏହି ସମ୍ମିଳନୀରେ ଜଳବାୟୁ ପରିବର୍ତନ ସମ୍ପର୍କିତ ଆହ୍ୱାନଗୁଡ଼ିକର ସମାଧାନ ଓ ଜଳବାୟୁ ଅନୁକୂଳନ ଉପରେ ଗୁରୁତ୍ୱାରୋପ କରାଯାଇଥିଲା ।

ଦସରା କ୍ଲାଇମେଟ୍ ରାଇଜ୍‌ର ନିର୍ଦ୍ଦେଶକ ସୁଶ୍ରୀ ପାର୍ନାଶା ବାନାର୍ଜୀ ଏହି ଆଲୋଚନାଚକ୍ରକୁ ପରିଚାଳନା କରିଥିଲେ । ଏହାସହିତ ୟୁଏନ୍‌ଡିପି ଇଣ୍ଡିଆ ଓଡ଼ିଶା କାର୍ଯ୍ୟାଳୟର ମୁଖ୍ୟ ଡଃ ଆଭା ମିଶ୍ର, ମହିଳା ହାଉସିଂ ଟ୍ରଷ୍ଟର ନିର୍ଦ୍ଦେଶକ ବିଜଲ ବ୍ରହ୍ମଭଟ୍ଟ ଏବଂ ଜଳବାୟୁ ଚମ୍ପିୟନ୍ ମଧୁସ୍ମିତା ପରିଡ଼ାଙ୍କ ମଧ୍ୟରେ ଜଳବାୟୁ ସ୍ଥାୟିତ୍ୱକୁ ନେଇ ଏକ ସରଗରମ ଆଲୋଚନା ହୋଇଥିଲା । ଏଥିରେ ଜଳବାୟୁ ସମ୍ପର୍କିତ କାର୍ଯ୍ୟପନ୍ଥାରେ ମହିଳାମାନଙ୍କୁ ଏକ ପ୍ରମୁଖ ଭୂମିକା ପ୍ରଦାନ ପାଇଁ ଏକ ବ୍ୟବସ୍ଥିତ ଯୋଜନା ପ୍ରସ୍ତୁତ ଉପରେ ଗୁରୁତ୍ୱ ଦିଆଯାଇଥିଲା ।

ଦୀର୍ଘସ୍ଥାୟୀ କାର୍ଯ୍ୟପନ୍ଥାର ପ୍ରସାର, ପ୍ରାକୃତିକ ସଂସଧାନ ପରିଚାଳନା ମାଧ୍ୟମରେ ଦୂର୍ବଳତାଗୁଡ଼ିକୁ ଦୂର କରିବା ଏବଂ ସମଗ୍ର ଦେଶରେ ଗୋଷ୍ଠୀମାନଙ୍କ ପାଇଁ ସମାନ ସଂସାଧନ ଉପଲବ୍ଧତାକୁ ସୁନିଶ୍ଚିତ କରିବା ଆଇଡିଏଟ୍‌-୨୦୨୪ର ମୁଖ୍ୟ ଉଦ୍ଦେଶ୍ୟ । ଏହି କାର୍ଯ୍ୟକ୍ରମରେ ସହଭାଗୀତା ବୃଦ୍ଧି ଉପରେ ମଧ୍ୟ ବିଶେଷ ଧ୍ୟାନ ଦିଆଯାଇଛି । ଏହି ସମ୍ମିଳନୀ ଜଳବାୟୁ ସ୍ଥାୟିତ୍ୱ ଏବଂ ଅନ୍ତର୍ଭୁକ୍ତକାରୀ ଅନୁକୂଳନ ପଦକ୍ଷେପ ଦିଗରେ ତୃଣମୂଳସ୍ତରରେ ଲୋକମାନଙ୍କୁ ସହାୟତା ପ୍ରଦାନ ପାଇଁ ପରୋପକାରୀ ଭୂମିକା ତୁଲାଇବା ଉପରେ ବିଶେଷ ଗୁରୁତ୍ୱ ଦେଉଛି ।

 

Comments are closed.