Latest Odisha News

BREAKING NEWS

ଟ୍ରାଫିକ୍ ସିଗନାଲରେ ହଠାତ୍ ଚଳନ୍ତା କାରରୁ ଖସିଲା ନାଗ, ଆଉ ତା’ପରେ…

ଭୁବନେଶ୍ବର: ଆଜି ରାଜଧାନୀର ରବି ଟକିଜ୍ ଛକ ନିକଟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ମଧ୍ୟାହ୍ନ ପ୍ରାୟ ୧ଟା ୩୦ରେ ରବି ଟକିଜ୍ ଛକରେ ପ୍ରବଳ ଭିଡ ସମୟରେ ଟ୍ରାଫିକ ସିଗ୍ନାଲ ପରେ କେଦାରଗୌରୀ ପଟୁ କଳ୍ପନା ଆଡ଼କୁ ଯାଉଥିବା ଏକ କାର ତଳୁ ଏକ ନାଗ ସାପ ଖସି ପଡ଼ିଲା । ଏହାପରେ କିଛି ସମୟ ପାଇଁ ଉକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିଲା ।

ହଠାତ୍ ଏକ ସାପ ଚଳନ୍ତା କାର ରୁ ଖସିବା ଦେଖି ଅନ୍ୟ ଗାଡ଼ି ଚାଳକ ମାନେ ବ୍ୟସ୍ତ ହୋଇ ପଡିଥିଲେ, କିନ୍ତୁ ଟ୍ରାଫିକ କନେଷ୍ଟବଳ ସାହସ କରି ସବୁ ଗାଡ଼ିକୁ ବନ୍ଦ କରି ସାପ କୁ ରାସ୍ତା ଦେବା ପାଇଁ ବାଟ ସଫା କରିଦେଲେ । ସାପଟି ରାସ୍ତା ପାର ହୋଇ ନିକଟସ୍ଥ ମୌସୁମୀ ସାନିଟାରୀ ଦୋକାନ ଆଡ଼କୁ ମୁହାଁଇ ଫୁଟପାଥ ଆଡ଼କୁ ଆସିଲା । କାଳେ, ଦୋକାନ ଭିତରକୁ ପଶି ଯିବ, ତେଣୁ ସାନିଟାରୀ ଦୋକାନ ର ଜଣେ କର୍ମଚାରୀ ସାହାସ କରି ଏକ ଖାଲି ପେଟି ଆଣି କୌଶଳ କରି ସାପ ଟିକୁ ତା ଭିତରେ ଭର୍ତ୍ତି କରି ଦେଲେ । ସାପଟି ପେଟି ରୁ ବାହାରି ଆସି ପୁଣି ଯଦି ଟ୍ରାଫିକ ସମସ୍ୟା ସୃଷ୍ଟି କରିବ, ସେଥିପାଇଁ ସେଇ ପେଟି ଉପରେ ଦୁଇଟି କାଠ ପକେଇ ଟ୍ରାଫିକ ପୋଲିସ ସେଇଠି ଜଗି ରହିଲେ ।

ଟ୍ରାଫିକ ପୋଲିସଙ୍କ ଠାରୁ ଖବର ପାଇ ସ୍ନେକ୍ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଘଟଣା ସ୍ଥଳରେ ପହଞ୍ଚି ଏକ ୩ ଫୁଟ୍ ଲମ୍ବର ନାଗ ସାପ ସେଇ ପେଟି ଭିତରେ ବାହାର କରି ସାପ ବ୍ୟାଗ୍ ରେ ଭର୍ତ୍ତି କରିଥିଲେ । ଏହାପରେ ଟ୍ରାଫିକ ପରିଚାଳନା ପୂର୍ବ ପରି ସୁରୁଖୁରୁ ରେ ଚାଲିଥିଲା ।

ଏହା ପରେ ସାପ ଟିକୁ ସହର ବାହାରେ ଏକ ପ୍ରାକୃତିକ ଆବାସ ସ୍ଥଳୀରେ ଛାଡ଼ି ଦିଆଯାଇଛି । ସାପଟି କେଉଁଠୁ ଆସିଥିଲା, କାର ଚାଳକଙ୍କ ଜାଣତରେ ବା ଅଜାଣତରେ ଘଟଣା ଘଟିଗଲା ତାହା ଜଣା ପଡିନାହିଁ । ଯଦି ରବି ଟକିଜ୍ ଛକରେ ଥିବା ଟ୍ରାଫିକ ପୋଷ୍ଟ ଗୁଡିକରେ ଲାଗିଥିବା ସିସିଟିଭି କ୍ୟାମେରାର ଫୁଟେଜ ଯାଞ୍ଚ କଲେ କେଉଁ ନମ୍ବର ର କାର ବା ଅନ୍ୟ ଗାଡ଼ି ରୁ ନାଗ ସାପଟି ଖସି ପଡିଥିଲା ତାହା ଜଣା ପଡିପାରନ୍ତା ବୋଲି କହିଛନ୍ତି ସ୍ନେକ୍ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ।

Comments are closed.